ଅଭାବିଙ୍କ ଚାଉଳ ଚୋରି କଲା କିଏ ? ସରକାରୀ ନିୟମରେ ଏକାଥରେ ୩ ମାସର ରାସନ, କିନ୍ତୁ ବୃଦ୍ଧ ଦମ୍ପତିଙ୍କୁ ମିଳିଛି ମାତ୍ର ୧୫ କିଲୋ

Published By : Prameya-News7 Bureau | May 03, 2020 IST

ବାଂଶପାଳ୩/୫: ଭୋକ ଉପାସରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି। ୧୫ କେଜି ଚାଉଳ ଗଲାନି ୧୫ ଦିନ। ଏପଟେ ଅସହାୟ ବୃଦ୍ଧାଙ୍କୁ ଆହାର ଯୋଗାଉଛି କାଇପୋକ। କରୋନାର କରୁଣ ଦୁଃଖରେ ଯୁଝି ହେଉଛନ୍ତି ବୃଦ୍ଧ ଦମ୍ପତି। ରାଜ୍ୟରେ ଯେତେ​‌ ଲକ୍‌ଡାଉନ୍‌ ଅବଧି ବଢ଼ୁଛି, ସେତେଦିନ ଭୋକରେ ଆଉଟୁପାଉଟୁ ହେଉଛନ୍ତି ଏହି ବୁଢ଼ା ବାପା- ମାଆ

କୋରନା କଳବରେ ପୂରା ବିଶ୍ବ। ସରକାରଙ୍କ ନିୟମ ଲକଡାଉନ୍‌ ଘୋଷଣା କରିବାର ଆଜକୁ ୪୨ ଦିନ ବିତିଗଲାଣି।ସରକାର ଲକଡାଉନ୍‌ରେ ସାଧାରଣ ଲୋକେ ଯେପରି ହଇରାଣ ନହୁଅନ୍ତି ବା ଭୋକ ଉପାସରେ ନରହୁନ୍ତି ସେଥିପାଇଁ ପଞ୍ଚାୟତ ଜରିଆରେ ୩ ମାସର ଚାଉଳ ସାଙ୍ଗକୁ ରନ୍ଧା ଖାଦ୍ୟ ଏବଂ ପ୍ରତି ହିତାଧିକାରିଙ୍କ କାର୍ଡ ପିଛା ୧୦୦୦ ଟଙ୍କା ସହାୟତା ଦେବାର ବ୍ୟବସ୍ଥା କରିଛନ୍ତି।

ଯେଉଁ ଗରିବ ଅସହାୟ ଲୋକ କାର୍ଡ ପାଇନାହାନ୍ତି ସେମାନକୁଂ ମଧ୍ୟ ଚାଉଳ ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି। ହେଲେ ଏସବୁ ସୁବିଧାରୁ ବଞ୍ଚିତ ଅଛନ୍ତି ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ କାଦଡିହା ଗ୍ରାମର ଡବ ମୁଣ୍ଡା ଓ ସ୍ତ୍ରୀ ସୁଦୁର ମୁଣ୍ଡା। ଏହି ଦୁଇଜଣଙ୍କ ବୟସ ପାଖାପାଖି ୭୫ ଟପିବ।

ଭଙ୍ଗା କୁଢ଼ିଆ ଘରେ ଅନାହାରରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି। ପଞ୍ଚାୟତ କାର୍ଯ୍ୟାଳୟରେ ଅନେକ ଥର ଆବେଦନ କରିବା ପରେ ସ୍ତ୍ରୀ ସୁଦୁର ମୁଣ୍ଡାଙ୍କ ନାମରେ ଏକ ବିପିଏଲ କାର୍ଡ ମିଳିଥିଲା ହେଲେ ଏଥିରେ ସ୍ବାମୀଙ୍କ ନାଁକୁ କାଟି ଦିଆଯାଇଥିଲା। ସ୍ବାମୀଙ୍କ ନାମରେ ନାଁ ଚଢାଇବା ପାଇଁ ପଞ୍ଚାୟତର ପିଇଓଙ୍କୁ ବାରମ୍ବାର ଗୁହାରି କରିବା ପରେ ମଧ୍ୟ ନାଁ ସାମିଲ କରାଗଲା ନାହିଂ କି ଚାଉଳ ମଧ୍ୟ ମିଳିଲା ନାହି।

ବର୍ତ୍ତମାନ ସାରା ଦେଶ ଲକଡାଉନ୍ ଥିବା ବେଳେ ଆଦିବାସୀ ବସ୍ତିରେ ବସବାସ କରୁଥିବା ନିରୀହ ଲୋକେ ପୋଲିସର ମାଡ ଭୟରେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି। କାମଧନ୍ଦା କରି ନପାରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏହା ମଧ୍ୟମରେ ବୃଦ୍ଧା ବୟସରେ ବା କାମ କରି ପେଟକୁ ଦାନା ଯୋଗାଇବା ପାଇଁ ମଧ୍ୟ ଡବ ମୁଣ୍ଡା ଓ ସ୍ତ୍ରୀ ସୁଦୁର ମୁଣ୍ଡାଙ୍କ ପକ୍ଷରେ ସମ୍ଭବ ନୁହେଁ। ଗତ ୨୦ ଦିନ ପୁର୍ବରୁ ସିଂପୁର ପଞ୍ଚାୟତରୁ ସ୍ତ୍ରୀ ସୁଦୁର ମୁଣ୍ଡାଙ୍କ ନାଁରେ ୧୫ କିଲୋ ଚାଉଳ ମିଳିଥିଲା। ୩ ମାସର ଅଗ୍ରିମ ଚାଉଳ ପାଇବା ଆଶାରେ ବୃଦ୍ଧ ଦମ୍ପତି ଖୁସି ହୋଇଯାଇଥିଲେ। ହେଲେ ବୃଦ୍ଧ ଦମ୍ପତିଙ୍କୁ ମିଳିଥିଲଶ ୧୫ କିଲୋ ଚାଉଳ। ଲକଡାଉନ୍‌ର ୧୫ ଦିନ ଗଲା ନାହିଂ ଫଳରେ ସପ୍ତାହେ ହେବ ମହୁଲ ଫୁଲ ସିଝା,ପଣସ,କାଇ ପୋକ ଆଦି ଖାଇ ଜୀବନ ବିତାଉଛନ୍ତି ତ ଆଉ କେତେ ବେଳେ ଭୋକ ଉପାସରେ  କାଟୁଛନ୍ତି ଏହି ବୃଦ୍ଧ ଦମ୍ପତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.