ଚିନ୍ତାଜନକ ! WHO କହିଲା- ୨୦୨୧ ମଧ୍ୟ ପର୍ଯ୍ୟନ୍ତ ବାହାରିପାରିବନି କରୋନା ଭ୍ୟାକସିନ୍
4/09/2020 at 8:13 PM

ଜେନେଭା: କରୋନା ଭ୍ୟାକସିନକୁ ନେଇ ବିଶ୍ବରେ ପ୍ରତିଯୋଗିତା ଚାଲିଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଆଣିଛି ଦୁଃଖ ଖବର । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) କରୋନା ଭ୍ୟାକସିନ୍କୁ ନେଇ ନୂଆ ମନ୍ତବ୍ୟ ଦେଇଛି । ଆଗାମୀ ବର୍ଷ ମଧ୍ୟ ପର୍ଯ୍ୟନ୍ତ କରୋନା ଭ୍ୟାକସିନ୍ ଆସିପାରିବ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦାବି କରିଛି । ଯେତେ ବି ଫାର୍ମାସିଟିକାଲ କମ୍ପାନୀ ଏବେସୁଦ୍ଧା ଭ୍ୟାକସିନ ପ୍ରସ୍ତୁତ କରିଛନ୍ତି ସେମାନେ ଆଡଭାନ୍ସଡ୍ କ୍ଲିନିକାଲ ଟ୍ରାଏଲରେ ଅତିକମ୍ରେ ୫୦ ପ୍ରତିଶତ ରେଜଲ୍ଟ ଦେବାରେ ସକ୍ଷମ ହୋଇପାରି ନାହାନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରବକ୍ତା ମାର୍ଗାରେଟ ହ୍ୟାରିସ୍ କହିଛନ୍ତି ।
ଅନ୍ୟପଟେ ଚଳିତବର୍ଷ ଅକ୍ଟୋବର ବା ନଭେମ୍ବରରେ ଦୁଇଟି ଭ୍ୟାକସିନ ପ୍ରସ୍ତୁତ କରିପାରିବ ବୋଲି ସ୍ବାସ୍ଥ୍ୟ ଏଜେନ୍ସିକୁ କହିଛି ଆମେରିକୀୟ ସଂସ୍ଥା ସେଣ୍ଟର ଫର ଡିଜିଜ୍ କଂଟ୍ରୋଲ ଆଣ୍ଡ ପ୍ରିଭେନ୍ସନ (ସିଡିସି) । ପୂର୍ବ ସପ୍ତାହରେ ସିଡିସି ଦ୍ବରା ଜନ ସ୍ବାସ୍ଥ୍ୟ ଏଜେନ୍ସିକୁ ପଠାଯାଇଥିବା ଦସ୍ତାବିଜ୍ରେ ଦୁଇଟି ଭ୍ୟାକସିନ୍ର ନାଁ ଏ ଓ ବି ବୋଲି ଉଲ୍ଲେଖ ରହିଛି । ଏଥିରେ ଭ୍ୟାକସିନ୍ ସମ୍ପର୍କିତ ବହୁ ତଥ୍ୟ ମଧ୍ୟ ସାମିଲ ରହିଛି ।
ଏଥିରେ ଭ୍ୟାକସିନ୍ ପ୍ରସ୍ତୁତ ହେବା ବେଳେ ତାପମାତ୍ରା କେତେ ରହିବ ଆବଶ୍ୟକ ତାହା ମଧ୍ୟ ଉଲ୍ଲେଖ ରହିଛି । ତେବେ ଏହି ମାନକ ମାର୍ଡର୍ଣ୍ଣା ଓ ଫାଇଜର କମ୍ପାନୀ ଦ୍ବାରା ବିକଶିତ ଭ୍ୟାକସିନ ସହ ମେଳ ଖାଉଥିବା ଜଣାପଡ଼ିଛି । ଏହାସହ ଆମେରିକାରେ ଏସ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ ଭ୍ୟାକସିନର ଟ୍ରାଏଲ ତୃତୀୟ ଚରଣରେ ପହଞ୍ଚିସାରିଛି । ଆମେରିକାରେ ମୋଟ ୮୦ ସ୍ଥାନରେ ୩୦ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷଣ ଚାଲିଥିବା ଜଣାପଡ଼ିଛି । ନିକଟରେ ଏହି ଭ୍ୟାକସିନ ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଥିଲେ । ଏସ୍ଟ୍ରାଜେନେକା ଭ୍ୟାକସିନ୍ର ତୃତୀୟ ଚରଣ ପରୀକ୍ଷଣ ଚାଲିଛି, ଏହା ଅନ୍ୟ ଭ୍ୟାକସିନ୍ ସୂଚୀରେ ସାମିଲ ହୋଇସାରିଛି । ଯାହାର ବ୍ୟବହାର କରୋନା ସହ ଲଢ଼ିବା ପାଇଁ ହେବ ବୋଲି ସୂଚନା ଦେଇଥିଲେ ଟ୍ରମ୍ପ ।