ନୂଆଦିଲ୍ଲୀ ୧୧।୨: କରୋନା ଭାଇରସ୍ କେବଳ ଚୀନ୍ ରେ ସୀମିତ ରହିବ ନାହିଁ ।ଚୀନ୍ କୁ ଆଦୌ ଯାଇନଥିବା ଲୋକଙ୍କଠାରେ ମଧ୍ୟ କରୋନା ଭାଇରସ୍ ଦେଖାଦେଇଛି । ଏହାକୁ ଟିପ୍ ଅଫ୍ ଦି ଆଇସବର୍ଗ କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହା ଅର୍ଥ ଯାହା କୁହାଯାଉଛି ସ୍ଥିତି ଆହୁରି ସଂଗୀନ । ତେଣୁ ଯେକୌଣସି ସ୍ଥାନରେ ବି ଏହି ଭାଇରସ୍ ଦେଖାଦେଇପାରେ ବୋଲି ଡବ୍ଲୁଏଚଓ ସତର୍କ କରିଦେଇଛନ୍ତି ।
ଚୀନ୍ ର ନୋଭେଲ୍ ଭାଇରସ୍ ଯୋଗୁଁ ୯୦୯ ଲୋକଙ୍କର ଜୀବନ ଗଲାଣି । ୪୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କେବଳ ରବିବାର ୯୮ ଜଣଙ୍କର ମୃତ୍ୟୁ ହୋଇଛି। ଚୀନ୍ ର ସଂକ୍ରମଣ କିଛିଟା କମିଛି ବୋଲି ଯଦିଓ ଚୀନ ସରକାର କହୁଛନ୍ତି କିନ୍ତୁ ଏହି ଗ୍ରାଫ ଦେଖିଲେ ସ୍ଥିତି ସଙ୍କଟଜନକ ରହିଛି। ଯେତେ ଦିନ ଗଡୁଛି ସେତିକି ମୃତାକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି। ଫେବ୍ରୁଆରୀ ୧୦ ସୁଦ୍ଧା ଚୀନ୍ ର ୪୦,୯୭୧ ଜଣ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଛନ୍ତି ।
ଚୀନ୍ ବାହାରେ ୩୫୦ଟି କରୋନା ପଜିଟିଭ୍ କେସ୍ ଦେଖାଦେଇଛି । ଏବେ ସୁଦ୍ଧା ଚୀନ ଭିନ୍ନ ସିଙ୍ଗାପୁରରେ ୪୩, ଥାଇଲାଣ୍ଡରେ ୩୨, ଦକ୍ଷିଣ କୋରିଆରେ ୨୭, ତାଇୱାନରେ ୧୮, ମାଲେସିୟାରେ ୧୭, ଭିଏତନାମରେ ୧୪, ଆମେରିକାରେ ୧୨, ବ୍ରିଟେନରେ ୮, ୟୁଏଇରେ ୭ ଜଣଙ୍କଠାରେ କରୋନା ଭାଇରସ୍ ଚିହ୍ନଟ ହୋଇସାରିଲାଣି । ସେଥିମଧ୍ୟରୁ ଭାରତରେ କେରଳରେ ୩ ଜଣ ଅଛନ୍ତି ।
ଚୀନର ଉହାନ ସହରରେ ଭୟଙ୍କର କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ନର୍ସମାନେ ପ୍ରସ୍ତୁତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରାୟ ୨୦ରୁ ଅଧିକ ଡାକ୍ତର ଓ ନର୍ସ ଉହାନକୁ ଯିବା ପୂର୍ବରୁ ସ୍ବେଚ୍ଛାକୃତଭାବେ ଚୁଟି କାଟିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କରୋନା ଏପିସେଣ୍ଟର ଉହାନ ସହରକୁ ଯାଇ ସ୍ବାସ୍ଥ୍ୟସେବା ଦେବା ପୂର୍ବରୁ ନର୍ସ ଓ ଡାକ୍ତର ସେମାନଙ୍କର ଚୁଟି କାଟିଛନ୍ତି ।
ଚୀନର କରୋନା ଭାଇରସର ଏପିସେଣ୍ଟର ହୁବେଇ ଅଞ୍ଚଳରେ କରୋନା ଭୂତାଣୁମୁକ୍ତ କରିବା ତଥା ସଂକ୍ରମଣକୁ ବ୍ୟାପିବାରୁ ରୋକାଯିବ ସେନେଇ ଚାଲିଛି ବଡ ଧରଣର ଅଭିଯାନ । ସେଠାରେ ଚୀନ ସରକାର ୩୭୭ଟି ସାନିଟେସନ ଟ୍ରକ ମୁତୟନ କରିଛନ୍ତି। ଏହି ଟ୍ରକ ଗୁଡିକ ସହରର ଗଳି କନ୍ଦିରେ ବିଶୋଧକ ସିଞ୍ଚୁଛି। ଏହି ଅଭିଯାନରେ ବିଶୋଧକ ସ୍ପ୍ରେ କରୁଥିବା ଟ୍ରକଗୁଡିକୁ ଦ୍ରୁତ ଗତିରେ ନ ଚଳାଇବାକୁ ବାରଣ କରାଯାଇଛି। ସହରର ସବୁ କୋଣ ଅନୁକୋଣରେ ବିଶୋଧକ ସ୍ପ୍ରେ ଦ୍ବାରା କରୋନା ଭୂତାଣୁ ମୁକାବିଲାରେ ଏହା ସହାୟକ ହୋଇପାରିଛି ବୋଲି କୁହାଯାଉଛି।
ସହରର ସାର୍ବଜନିକ ସ୍ଥାନରେ ଯେମିତି ମୁଖ୍ୟ ରାସ୍ତା, ଗଳି, ବ୍ରିଜ ଆଦି ଯାଗାରେ ସାନିଟେସନ ଟ୍ରକ ଦ୍ବାରା ବିଶୋଧକ ସ୍ପ୍ରେ କରାଯାଉଛି । ସହରର ଯେଉଁ ସବୁ ଜାଗାରେ ସାନିଟେସନ ଗାଡି ପହଞ୍ଚି ପାରୁନି ସେଠାରେ ସ୍ବାସ୍ଥ୍ୟକର୍ମୀ ନିଜେ, ହାତରେ ବିଶୋଧକ ଧରି ପହଞ୍ଚାଯାଉଛନ୍ତି ଏବଂ ସ୍ପ୍ରେ କରୁଛନ୍ତି। ଦେଖନ୍ତୁ ଘରେ, ବାହାରେ, ପାର୍କିଂ ସ୍ଥାନ ଗୁଡିକରେ କେମିତି ସ୍ବାସ୍ଥ୍ୟକର୍ମୀ ବିଶୋଧକ ସ୍ପ୍ରେ କରୁଛନ୍ତି। ଯେଉଁ ସବୁ ସ୍ଥାନ ଗୁଡିକରେ କରୋନା ଭୂତାଣୁ ସଂକ୍ରମଣର ଭୟ ରହିଛି ସେସବୁ ସ୍ଥାନଗୁଡିକରେ ଭଲଭାବେ ବିଶୋଧକ ସ୍ପ୍ରେ କରାଯାଉଛି। ତେବେ ବିଶୋଧକ ସ୍ପ୍ରେ କରାଯିବାପୂର୍ବର ଟିଭି, ରେଡିଓ, ଖବରକାଗଜ, ସୋସିଆଲ ମିଡିଆରେ ଲୋକଙ୍କୁ ବାହାରକୁ ନ ବାହାରିବପାଇଁ ବାରଣ କରାଯାଉଛି । ଘରର ଝରକା ବନ୍ଦ କରିବାକୁ କୁହାଯାଉଛି । ଗାଡି ଗୁଡିକୁ ଘୋଡାଇବାକୁ କୁହାଯାଉଛି।