କୋଭିଡ୍କୁ ନେଇ WHOର ତାଜା ଗାଇଡଲାଇନ୍ସ, ଆଇସୋଲେସନରୁ ନେଇ କୋଭିଡ୍ ଚିକିତ୍ସାରେ ପରିବର୍ତ୍ତନ
17/01/2023 at 9:08 PM

ନୂଆଦିଲ୍ଲୀ, ୧୭/୦୧: ଅନେକ ଦେଶରେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। ତାଜା ସଂକ୍ରମଣ ନୂଆ ଲହର ଆଶଙ୍କା ବଢ଼ାଇଛି। ଏହାରି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଭାଇରସକୁ ନେଇ ନୂଆ ମାର୍ଗଦର୍ଶିକା ଜାରି କରିଛି। ଯେଉଁଥିରେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଏବଂ କୋଭିଡ-୧୯ ଚିକିତ୍ସା ଉପରେ ଏହାର ମାର୍ଗଦର୍ଶିକାରେ ପରିବର୍ତ୍ତନ କରାଯାଇଛି। ଡବ୍ଲୁଏଚଓ ସଂକ୍ରମଣ ହ୍ରାସ ପାଇଁ ସମସ୍ତଙ୍କୁ ମାସ୍କ ପିନ୍ଧିବା ଏବଂ ବୁଷ୍ଟର ଡୋଜ୍ ନେବା ପାଇଁ ଆହ୍ବାନ କରିଛି।
ହାରାହାରି ୧୦ ଦିନ ପାଇଁ ଆଇସୋଲେଟ୍ ରହିବାକୁ ହେବ:
ହୁ କହିଛି ଯଦି କୋଭିଡ-୧୯ ରୋଗୀଙ୍କୁ ଯଦି ଭାଇରସ ଲକ୍ଷଣ ଦେଖାଯାଉଛି ତେବେ ତାଙ୍କୁ ଲକ୍ଷଣର ପ୍ରାରମ୍ଭିକ ସମୟରେ ହାରାହାରି ୧୦ ଦିନ ପାଇଁ ଆଇସୋଲେଟ୍ ରହିବାକୁ ହେବ। ଡବ୍ଲୁଏଚଓ ଏହାର ନୂଆ ଗାଇଡଲାଇନରେ କହିଛି ଯେ ବିନା ଲକ୍ଷଣ ଥିବା କୋଭିଡ୍ ସଂକ୍ରମିତ, ଯାହାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ସେମାନଙ୍କଠାରେ କୌଣସି ଲକ୍ଷଣ ନାହିଁ ତାଙ୍କୁ ୫ ଦିନ ପାଇଁ ଆଇସୋଲେସନରେ ରହିବା ଦରକାର। ପ୍ରଥମେ ଏହି ରୋଗୀଙ୍କ ପାଇଁ ଆଇସୋଲେସନର ଅବଧି ୧୦ ଦିନ ଥିଲା।
ମାସ୍କ ପିନ୍ଧିବାକୁ ନେଇ ଗାଇଡଲାଇନ୍:
ଦୁନିଆରେ କୋଭିଡ-୧୯ର ବର୍ତ୍ତମାନର ସଂକ୍ରମଣକୁ ଦେଖି ‘ହୁ’ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ କରିଥିଲେ। ଡବ୍ଲୁଏଚଓ କହିଛି ଯେ ଏହି ମାରାତ୍ମକ ଭାଇରସକୁ ହରାଇବା ପାଇଁ ସାର୍ବଜନିକ ସ୍ଥାନରେ ମାସ୍କ ପିନ୍ଧିବା ଏବେବି ଜରୁରୀ। ’ହୁ’ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ନିର୍ମାତ୍ରେଲଭିର-ରିତୋନଭୀର ବ୍ୟବହାର ନେଇ କହିଛନ୍ତି। ହୁ ଅନ୍ୟ ଦୁଇ ଔଷଧ ସୋଟ୍ରୋବିମାବ ଏବଂ କାସିରିବିମାବ-ଇମଦେବିମାବର ମଧ୍ୟ ସମୀକ୍ଷା ଏବଂ କୋଭିଡ-୧୯ ଚିକିତ୍ସା ପାଇଁ ଏହାର ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଛନ୍ତି।