ରେଭେନ୍ସା ୟୁନିଭରସିଟି ଏବଂ ଟି.ଇ.ରେଭେନ୍ସା, ୧୫୬ ବର୍ଷ ପରେ କାହିଁକି ବିବାଦ ?

Published By : Prameya-News7 Bureau | September 03, 2024 IST

ନୂଆଦିଲ୍ଲୀ: ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ଉପରେ ବିଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ପରେ ଏବେ ଏହା ରାଜ୍ୟର ସବୁଠୁ ବଡ଼ ବିତର୍କର ପ୍ରସଙ୍ଗ ହୋଇଛି । ବିରୋଧୀ ବିଜେଡି ଏବଂ କଂଗ୍ରେସ ଏହାକୁ ନେଇ ବିଜେପିକୁ ଘେରୁଛନ୍ତି । ବୁଦ୍ଧିଜୀବୀ ଏବଂ ସାମ୍ୱାଦିକମାନେ ଏହି ନାମକରଣ ପ୍ରସ୍ତାବକୁ ବିରୋଧ କରୁଥିବା ବେଳେ ଅନେକ ବିତର୍କ ପାଇଁ ମତ ରଖୁଛନ୍ତି । ରେଭେନ୍ସାର ପୂର୍ବତନ ଛାତ୍ରଛାତ୍ରୀ ରେଭେନ୍ସା ଏକ ନାମ ନୁହଁ ବରଂ ଏକ ଇମୋସନ ବୋଲି କହୁଛନ୍ତି । ତେବେ କିଏ ଏହି ବ୍ରିଟିଶ ଅଫିସର ଟି.ଇ.ରେଭେନ୍ସା, ଯାହାଙ୍କ ନାଁରେ ହୋଇଛି କଲେଜର ନାମକରଣ ? କଲେଜ ସ୍ଥାପନାରେ କଣ ଥିଲା ତାଙ୍କ ଭୂମିକା ? କାହିଁକି ତାଙ୍କୁ ନେଇ ବିବାଦ ?

ଓଡ଼ିଶାର ପ୍ରଥମ ତଥା ଦେଶରେ ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ରେଭେନ୍ସାର ୧୫୬ ବର୍ଷର ସମୃଦ୍ଧ ଇତିହାସ । ତେବେ ବର୍ତ୍ତମାନ ଏହି ମହାନ ଶିକ୍ଷାନୁଷ୍ଠାନର ନାମକୁ ନେଇ ଚାଲିଛି ବିତର୍କ । ଆଉ ଏହି ବିତର୍କର କେନ୍ଦ୍ରରେ ଅଛନ୍ତି ଜଣେ ବ୍ରିଟିଶ ପ୍ରଶାସକ । ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନିର ଜଣେ ଅଧିକାରୀ ଜନ ହର୍ଡିସ ରେଭେନ୍ସାଙ୍କ ଘରେ ଜନ୍ମିତ ଥୋମାସ ଏଡୱାର୍ଡ ରେଭେନ୍ସା ୧୮୬୫ରୁ ୧୮୭୮ ଯାଏ ଓଡ଼ିଶା ଡିଭିଜନର କମିଶନର ଥିଲେ । ଓଡ଼ିଶାରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କ୍ଷେତ୍ରରେ ରେଭେନ୍ସା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କେବଳ ଏତିକି ନୁହେଁ ଓଡ଼ିଆ ପିଲାଙ୍କ ମଧ୍ୟରେ ଶିକ୍ଷାକୁ ବଢାଇବାରେ ବି ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ କୁପରିଚାଳନା ପାଇଁ ତାଙ୍କୁ ଦାୟୀ କରାଯାଉଥିଲେ ମଧ୍ୟ ଓଡ଼ିଶାର ସ୍ୱାସ୍ଥ୍ୟ, ଶିକ୍ଷା, ଜଳସଚେନର ଆବଶ୍ୟକତାକୁ ସେ ବେଶ ଉପଲବ୍ଧି କରିଥିଲେ ।

ରେଭେନ୍ସା କଲେଜ ସ୍ଥାପନା କରି ଓଡ଼ିଶାରେ ଉଚ୍ଚ ଶିକ୍ଷାକୁ ଆଗକୁ ବଢାଇବା ଦିଗରେ ଟି.ଇ.ରେଭେନ୍ସାଙ୍କ ଯୋଗଦାନ ମହତ୍ୱପୂର୍ଣ୍ଣ ।୧୮୬୬ରେ ନ’ଅଙ୍କ ଦୁର୍ଭିକ୍ଷ ସମୟରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା, ଯାହା ଏହି କ୍ଷେତ୍ରରେ ଶିକ୍ଷାର ଆବଶ୍ୟକତାକୁ ସାମନାକୁ ଆଣିଥିଲା । ୧୮୬୮ ମସିହାରେ ଏକ ଛୋଟିଆ ସ୍କୁଲ ଭାବେ ଏହାର ଆରମ୍ଭ ହୋଇଥିଲା । ତେବେ ୧୮୭୬ ମସିହାରେ ଏହା ଏକ ଫାଷ୍ଟ-ଗ୍ରେଡ୍ କଲେଜ ହୋଇଥିଲା । ଏହା ପ୍ରଥମେ କଟକ କଲେଜ ନାଁରେ ପରିଚିତ ଥିଲା । କିନ୍ତୁ ପରେ କଲେଜ ପ୍ରତିଷ୍ଠାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଟି.ଇ.ରେଭେନ୍ସାଙ୍କ ସମ୍ମାନରେ ତତ୍କାଳୀନ ମୟୂରଭଞ୍ଜ ରାଜା କଲେଜର ନାଁ ରେଭେନ୍ସା ରଖିବାକୁ ପ୍ରସ୍ତାବ ଦେଇଥିଲେ । ସେହି ଅନୁସାରେ କଟକ କଲେଜ ନାଁ ପରିବର୍ତ୍ତନ କରି ରେଭେନ୍ସା କଲେଜ କରାଗଲା ।

'କଟକରେ ଏକ କଲେଜ ସ୍ଥାପନା ମୋ ପାଇଁ ବ୍ୟକ୍ତିଗତ ଭାବେ ଗୁରୁତ୍ୱପୂର୍ଣ୍ଣ ଏବଂ ଓଡ଼ିଶାର ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ମଧ୍ୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ ।' (୧୮୭୫ ଅଗଷ୍ଟ ୫ରେ ବେଙ୍ଗଲ ସରକାରଙ୍କ ସଚିବଙ୍କୁ ରେଭେନ୍ସା ଲେଖିଥିବା ଚିଠି: ନମ୍ୱର ୧୦୮)

ଟି.ଇ.ରେଭେନ୍ସା ଓଡ଼ିଶାରେ ମହିଳା ଶିକ୍ଷା ପାଇଁ ଅନେକ କାମ କରିଥିଲେ । କାରଣ ସେହି ସମୟରେ କେହି ମଧ୍ୟ ନିଜ ଝିଅଙ୍କୁ ସ୍କୁଲ୍ ପଠାଇବା ପାଇଁ ପ୍ରସ୍ତୁତ ନଥିଲେ । ଏଥିପାଇଁ ଆର୍ଥିକ ସହାୟତାକୁ ସ୍ୱୀକୃତି ଦିଆଗଲା, ଯାହାର ପରିଣାମସ୍ୱରୁପ କଟକରେ ବାଳିକା ବିଦ୍ୟାଳୟ ସ୍ଥାପନ ହେଲା । ପ୍ରଥମେ ଏହାକୁ ଏକ ପ୍ରାଥମିକ ବିଦ୍ୟାଳୟ ରୂପେ ଆରମ୍ଭ କରାଯାଇଥିଲା, ପରେ ୧୮୭୩ରେ ଏହି ଗର୍ଲ୍ସ ସ୍କୁଲର ନାଁ ପରିବର୍ତ୍ତନ କରି ରେଭେନ୍ସା ହିନ୍ଦୁ ଗର୍ଲ୍ସ ସ୍କୁଲ କରାଗଲା । 

୧୮୬୫ ମସିହାରେ ରେଭେନ୍ସା କମିଶନର ଭାବେ ଦାୟିତ୍ୱ ନେଇଥିଲେ । ୧୮୬୬ରେ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ହୋଇଥିଲା । ବର୍ଷା ହୋଇନଥିଲା, ଅନାହାରରେ ଲୋକଙ୍କ ଜୀବନ ଚାଲି ଯାଇଥିଲା । କିଛି ବିଶେଷଜ୍ଞଙ୍କ ଅନୁସାରେ ରେଭେନ୍ସା ସେତେବେଳେ ଅନେକ ଭୁଲ କରିଥିଲେ । ତାଙ୍କ କୁପରିଚାଳନା ଯୋଗୁଁ ରାଜ୍ୟରେ ଏଭଳି ଭୟାଭହ ସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି କିଛି ଐତିହାସିକ ଏହି ଭୟାବହ ସ୍ଥିତି ପାଇଁ ତାଙ୍କୁ ଦାୟୀ କରନ୍ତି । ନ’ଅଙ୍କ ଦୁର୍ଭିକ୍ଷ ସ୍ଥିତିକୁ ଏବେ ଯୁକ୍ତି ରଖି ବିଜେପି ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ କଥା ଉଠାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.