ନୂଆଦିଲ୍ଲୀ ୩୦।୧୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଗ୍ରେଟର କୈଳାଶରେ ପଦଯାତ୍ରା କାଳରେ ଶନିବାର ଆକ୍ରମଣ ହୋଇଛି। ଭିଡ ଭିତରୁ ଜଣେ ବ୍ୟକ୍ତି କେଜରିୱାଲଙ୍କ ଉପରକୁ ତରଳ ପକାଇବାକୁ ଉଦ୍ୟମ କରିଥିଲା। ତେବେ ସୁରକ୍ଷାରେ ମୁତୟନ ପୋଲିସ ଓ ସମର୍ଥକ ଉଦ୍ୟମ ପଣ୍ଡ କରିଦେଇଛନ୍ତି। ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛି ଓ ଏବେ ପଚରାଉଚରା କରାଯାଉଛି। ପ୍ରାରମ୍ଭିକ ପଚରା ଉଚରାରେ କେଜରିୱାଲଙ୍କ ଉପରକୁ ଆକ୍ରମଣ ଉଦ୍ୟମ କରିଥିବା ବ୍ୟକ୍ତି ଜଣେ ବସ୍ ମାର୍ସଲ ବୋଲି ଜଣାପଡିଛି।
ତେବେ ଆମ ଆଦମୀ ପାର୍ଟି ଏହି ପଦଯାତ୍ରା ନିମନ୍ତେ ପୋଲିସଠାରୁ କୌଣସି ପୂର୍ବ ଅନୁମତି ନେଇ ନଥିଲା। ପଦଯାତ୍ରା ଚୌପାଲ ସାବିତ୍ରୀ ନଗରରୁ ଆରମ୍ଭ ହୋଇ ମେଘନା ମୋଟର୍ସ ନିକଟରେ ସମାପ୍ତ ହୋଇଛି। ତେବେ ଏଥି ପାଇଁ ପୋଲିସକୁ ପାର୍ଟି ପକ୍ଷରୁ କୌଣସି ପୂର୍ବ ସୂଚନା ଦିଆ ଯାଇନଥିଲା। ତେବେ ପଦଯାତ୍ରାରେ ପୋଲିସ ସାଦା ପୋଷାକ ଓ ପୋଷାକରେ ମଧ୍ୟ ମୁତୟନ ଥିଲେ। କେଜରିୱାଲଙ୍କ ସୁରକ୍ଷା ପାଇଁ ରସି ମଧ୍ୟ ଲଗାଯାଇଥିଲା। ଏହା ସତ୍ତ୍ୱେ ସନ୍ଧ୍ୟା ପ୍ରାୟ ୫ଟା ୫୦ ମିନିଟରେ କେଜରିୱାଲ ସମର୍ଥକଙ୍କ ସହ ହାତ ମିଳାଉଥିବା ବେଳେ ଅଶୋକ ଝା ନାମକ ବ୍ୟକ୍ତି ଜଣକ କିଛି ପାଣିଆ ଦ୍ରବ୍ୟ କେଜରିୱାଲଙ୍କ ଉପରକୁ ଫିଙ୍ଗିବାକୁ ଉଦ୍ୟମ କରିଥିଲା।
ପାଣି ଫିଙ୍ଗିବା ବେଳେ ଅଶୋକ ରସିରୁ ବେଶ୍ ଦୂରରେ ଥିଲା ଓ କେଜରିୱାଲଙ୍କ ନିକଟକୁ ଆସିବା ପାଇଁ ଚେଷ୍ଟା କରି ମଧ୍ୟ ଆସି ପାରିନଥିଲା। ଦିଲ୍ଲୀ ପୋଲିସ କହିଛି ଯେ କେଜରିୱାଲଙ୍କ ଉପରକୁ ପାଣି ଫିଙ୍ଗିବା ପାଇଁ ତାର ଉଦ୍ୟମକୁ ବିଫଳ କରିଦିଆଯାଇଛି। ପୋଲିସ ତାକୁ ତୁରନ୍ତ ଗିରଫ କରିଛି। ପଚରା ଉଚରାରୁ ଜଣାପଡିଛି ଯେ ଏହି ବ୍ୟକ୍ତି ଖାନପୁର ଡିପୋରେ ବସ୍ ମାର୍ସଲ ରୂପେ କାର୍ଯ୍ୟ କରୁଛି। ତା ସମ୍ପର୍କରେ ବିସ୍ତୃତ ଯାଞ୍ଚ କରାଯାଉଛି।