ହିମାଚଳ ପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ ? ନିଷ୍ପତ୍ତି ନେବେ ହାଇକମାଣ୍ଡ

Published By : Prameya-News7 Bureau | December 09, 2022 IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ? ତାକୁ ନେଇ କଂଗ୍ରେସରେ ଚାଲିଛି ମାନସ ମନ୍ଥନ। ଏହି କ୍ରମରେ ରାଜଧାନୀ ସିମଲାରେ ଶୁକ୍ରବାର ସନ୍ଧ୍ୟାରେ କଂଗ୍ରେସର ନବ ନିର୍ବାଚିତ ବିଧାୟକ ଦଳ ବୈଠକ ବସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ  ହେବ ଏହାର ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡ ନେବେ ବୋଲି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ଚେହେରା ବିଷୟରେ ବୈଠକ ସମୟରେ ବିଧାୟକଙ୍କ ମତାମତ ନିଆଯାଇଥିଲା। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦର ଦାବିଦାର ନେଇ ହୋଇଥିବା ଶକ୍ତି ପ୍ରଦର୍ଶନ ସମୟରେ ବିଧାୟକ ଦଳର ବୈଠକ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ରାଜ୍ୟ କଂଗ୍ରେସ ସଭାପତି ପ୍ରତିଭା ସିଂହ, ପୂର୍ବତନ ବିରୋଦୀଦଳ ନେତା ମୁକେଶ ଅଗ୍ନିହୋତ୍ରୀ ଏବଂ ନିର୍ବାଚନ ଅଭିଯାନ କମିଟିର ପ୍ରମୁଖ ସୁଖବିନ୍ଦର ସିଂହ ସିକ୍ତୁ ନିଜ ସମର୍ଥକଙ୍କ ସହିତ ପାର୍ଟି କାର୍ଯ୍ୟାଳୟ ପହଞ୍ଚିଥିଲେ। ସେମାନଙ୍କ ସମର୍ଥକ ନିଜ ନିଜ ନେତା ସପକ୍ଷରେ ଖୁବ୍ ନାରା ଦେଇଥିଲେ।

ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ଏବଂ ହିମାଚଳ ପ୍ରଦେଶର ଏଆଇସିସି ପ୍ରଭାରୀ ରାଜୀବ ଶୁକ୍ଳା ଯୋଗ ଦେଇଥିଲେ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ଦୌଡରେ ବର୍ତ୍ତମାନ କଂଗ୍ରେସ ସଭାପତି ପ୍ରତିଭା ସିଂହ, ପୂର୍ବତନ ବିରୋଦୀଦଳ ନେତା ମୁକେଶ ଅଗ୍ନିହୋତ୍ରୀ ଏବଂ ନିର୍ବାଚନ ଅଭିଯାନ କମିଟିର ପ୍ରମୁଖ ସୁଖବିନ୍ଦର ସିଂହ ସିକ୍ତୁ ସାମିଲ୍ ଅଛନ୍ତି। ବୈଠକରେ କଂଗ୍ରେସର ୩୯ ବିଧାୟକ ଉପସ୍ଥିତ ଥିଲେ। ଜଣେ ବିଧାୟକ ରାସ୍ତାରେ ଥିବା କାରଣରୁ ପହଞ୍ଚି ପାରିନଥିଲେ। ବୈଠକରେ ଗୋଟିଏ ଧାଡିରେ ପ୍ରସ୍ତାବ ଗୃହୀତ କରାଗଲା ଯେ, ହାଇକମାଣ୍ଡ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ତାର ନିଷ୍ପତ୍ତି ନେବେ।

ଏହା ପୂର୍ବରୁ ପାର୍ଟି ପର୍ଯ୍ୟବେକ୍ଷକଙ୍କ ଆଲୋଚନା ସମୟରେ ପ୍ରତିଭା ସିଂହଙ୍କ ସମର୍ଥକ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମେତ ଅନ୍ୟ ପର୍ଯ୍ୟବେକ୍ଷକଙ୍କ ଗାଡି ରୋକିବାକୁ ଚେଷ୍ଟା କରିଥିଲେ ଏବଂ ସିଂହଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ସରଗରମ ମଧ୍ୟରେ ସୁଖବିନ୍ଦର ସିଂହ ସୁକ୍ତୁ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ପଦର ଆଶାୟୀ ନୁହେଁ। ମୁଁ କଂଗ୍ରେସ ଦଳର ଜଣେ ଅନୁଶାସନ ସିପାହୀ ଏବଂ କର୍ମକର୍ତ୍ତା। ପାର୍ଟି ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ଅନ୍ତିମ ନିଷ୍ପତ୍ତି ହେବ। ଏହା ପୂର୍ବରୁ କଂଗ୍ରେସ ପର୍ଯ୍ୟବେକ୍ଷକ ଭୂପେଶ ବଘେଲ ଏବଂ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ସହିତ ହିମାଚଳ ପ୍ରଦେଶର କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଳା ରାଜ୍ୟପାଳଙ୍କୁ ଭେଟି ପାର୍ଟିର ବିଜୟୀ ବିଧାୟକଙ୍କ ତାଲିକା ପ୍ରଦାନ କରିଛନ୍ତି।

ରାଜ୍ୟପାଳଙ୍କ ସହିତ ସାକ୍ଷାତ ପରେ କଂଗ୍ରେସ ପର୍ଯ୍ୟବେକ୍ଷକ ଏବଂ ରାଜୀବ ଶୁକ୍ଳା ପ୍ରତିଭା ସିଂହଙ୍କ ସହିତ ରୁଦ୍ଧ ଦ୍ଵାର ବୈଠକ କରିଛନ୍ତି। ବୈଠକ ପରେ ପ୍ରତିଭା ସିଂହ କହିଛନ୍ତି ଯେ, ରାଜ୍ୟରେ ପାର୍ଟି ଭିତରେ କୌଣସି ମତଭେଦ ନାହିଁ। ସମସ୍ତେ ଆମ ସହିତ ଅଛନ୍ତି। ସାଂପ୍ରତିକ ସମୟରେ କଂଗ୍ରେସ ସାମ୍ନାରେ ମୁଖ୍ୟମନ୍ତ୍ରୀ ପଦ ଚୟନ କରିବା ବଡ ଚ୍ୟାଲେଞ୍ଜ। ସୂଚନାଯୋଗ୍ୟ, କଂଗ୍ରେସ ହିମାଚଳ ପ୍ରଦେଶର ୬୮ ବିଧାନସଭା ଆସନରୁ କଂଗ୍ରେସ ୪୦ଟି ଆସନରେ ବିଜୟ ଲାଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.