୨୦୨୪ ପାଇଁ କାହାର ମୁଖ୍ୟମନ୍ତ୍ରୀ ଚେହେରା କିଏ ? ଧର୍ମେନ୍ଦ୍ରଙ୍କ ଉତ୍ତରରେ ରାଜନୀତି ସରଗରମ
24/09/2023 at 7:48 PM

ଭୁବନେଶ୍ଵର: ୨୦୨୪ ପାଇଁ କାହାର ମୁଖ୍ୟମନ୍ତ୍ରୀ ଚେହେରା କିଏ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡି ସର୍ବମାନ୍ୟ ନେତା କହୁଥିବା ବେଳେ କିଏ ହେବେ ବିଜେପି ଏବଂ କଂଗ୍ରେସର ଚେହେରା ? ସବୁଥର ଭଳି ଏଥର ମଧ୍ୟ ନିର୍ବାଚନ ପୂର୍ବରୁ ଉଠିଲାଣି ଏମିତି ପ୍ରଶ୍ନ। ଆଉ ଏମିତି ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉତ୍ତର ରାଜ୍ୟ ରାଜନୀତିରେ ଚର୍ଚ୍ଚା, ଆଲୋଚନା ବଢାଇଛି। ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଓଡ଼ିଶାରେ ବିଜେପି ଜିତିବ। ଧର୍ମେନ୍ଦ୍ରଙ୍କ ଏଇ କେଇପଦ କଥା ସବୁ ଦଳକୁ ଚର୍ଚ୍ଚାର ଖୋରାକ୍ ଯୋଗାଇଛି। ଆଲୋଚନା, ସମାଲୋଚନାକୁ ବଳ ଦେଇଛି।
Also read- ରାହୁଲଙ୍କ ପ୍ରଶ୍ନ- ଜାତିଗତ ଜନଗଣନାକୁ କାହିଁକି ଡରୁଛନ୍ତି ପ୍ରଧାନମନ୍ତ୍ରୀ?
ବିନା ଚେହେରାରେ ବିଜେପି ମୈଦାନକୁ ଓହ୍ଲାଇବା ଘୋଷଣାର କଡ଼ା ଜବାବ ଦେଇଛି ବିଜେଡି। ବିଧାୟକ ଭାଗିରଥୀ ସେଠୀ କହିଛନ୍ତି ବିଜେପିରେ ଗୃହ କନ୍ଦଳ ବଢିଛି। ତେଣୁ ଜଣଙ୍କର ନାଁ କହିଲେ ଅନ୍ୟ ଜଣେ ବିବାଦ କରିବ। ସେହି ଭୟରେ ସେମାନେ ଘୋଷଣା କରିବାକୁ ଡରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଲଢିବାକୁ ବିଜେପିରେ ନେତା ନାହାନ୍ତି। ରାଜ୍ୟରେ ବିଜେପି ଜିତିବା ଦିବା ସ୍ବପ୍ନ କହି କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଭାଗିରଥୀ ସେଠୀ। ଯାହାର ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। କହିଛନ୍ତି ବିଜେପିର ଅନେକ ଚେହେରା ଅଛନ୍ତି ।

ବିଜେଡି, ବିଜେପିର ଆରୋପ ପ୍ରତ୍ୟାରୋପ ଭିତରେ ମୁଖ୍ୟମନ୍ତ୍ରୀ ଚେହେରା ପ୍ରସଙ୍ଗରେ ଆଗକୁ ଆସିଛନ୍ତି ରାଜ୍ୟ କଂଗ୍ରେସର ନେତା । ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି କଂଗ୍ରେସ ଦଳରେ ଅନେକ ଚେହେରା ଅଛନ୍ତି। ଦଳ କିନ୍ତୁ ଏବେ କୌଣସି ଘୋଷଣା କରିବନି। ନିର୍ବାଚନ ପରେ ହିଁ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିବ ବୋଲି କହିଛନ୍ତି ତାରା।
Also read- ସନାତନ ଧର୍ମକୁ ନେଇ ବିବାଦରେ ମୁହଁ ଖୋଲିଲେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ, ଜାଣନ୍ତୁ କହିଲେ କ’ଣ?
ଏବେ ଫେରିବା ମୂଳ ପ୍ରସଙ୍ଗକୁ। କାହିଁକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗ ଉଠାଇଲେ । ବିନା ମୁଖ୍ୟମନ୍ତ୍ରୀ ଚେହେରାରା ଓଡ଼ିଶାରେ ଜିତିବୁ ବୋଲି କହିଲେ। ଅବସର ଥିଲା ଓଡ଼ିଶା ଲିଟେରାରି ଫେଷ୍ଟିଭାଲ। ଓଡ଼ିଶାରେ କିଏ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଏଥିରେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ବଲା ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ରଙ୍କୁ । ଯାହାର ଉତ୍ତରରେ ଧର୍ମେନ୍ଦ୍ର କହିଥିଲେ ବିଜେପି ଏବେଠୁ ନିଜର ଫର୍ମୁଲା କହିବନି। ମହାରାଷ୍ଟ୍ର ଓ ହରିୟାଣାରେ ବି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ଜିତିଛି। ଅନ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବିନା ବିଜେପି ଜିତିଛି। ଓଡ଼ିଶାରେ ମଧ୍ୟ ବିଜେପି ଜିତିବ । ସେହିପରି ୨୦୨୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନ୍ଡିଏ ନିର୍ବାଚନ ଲଢ଼ିବ। ୩୫୦ରୁ ଅଧିକ ଆସନ ପାଇ କେନ୍ଦ୍ରରେ ସରକାର ଗଢିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।