ନଇମ କାସିମ ହେଜବୁଲ୍ଲାର ନୂଆ ମୁଖ୍ୟ, ହସନ ନସରଲ୍ଲାଙ୍କ ସ୍ଥାନରେ ମିଳିଲା ନିଯୁକ୍ତି

Published By : Prameya-News7 Bureau | October 29, 2024 IST

ନୂଆଦିଲ୍ଲୀ: ଲେବାନନର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ନିଜର ନୂଆ ମୁଖିଆ ଚୟନ କରିଛି । ନଇମ କାସିନ ଏବେ ଏହି ସଂଗଠନର ନୂଆ ମୁଖିଆ ହୋଇଛନ୍ତି । ଗତ ମାସରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ନିହତ ହୋଇଥିବା ନସରଲ୍ଲାଙ୍କ ସ୍ଥାନ ନେବେ । ହେଜବୁଲ୍ଲା ମଙ୍ଗଳବାର ଏହି ସୂଚନା ଦେଇଛି । କାସିମ ଦୀର୍ଘ ବର୍ଷରୁ ନସରଲ୍ଲାଙ୍କ ସହାୟକ ଥିଲେ ଏବଂ ନସରଲ୍ଲାଙ୍କ ମୃତ୍ୟୁ ପରେ ଏହି ଚରମପନ୍ଥୀ ସଂଗଠନର କାର୍ଯ୍ୟକାରୀ ମୁଖ୍ୟ ଭାବେ କାମ କରୁଥିଲେ । 

ହେଜବୁଲ୍ଲା ଏନେଇ ଏକ ବୟାନ ଜାରି କରିଛି । ଏଥିରେ କୁହାଯାଇଛି ଯେ ହେବଜୁଲ୍ଲାର ନିଷ୍ପତ୍ତି ନେଉଥିବା ‘ସୂରା ପରିଷଦ’ ପକ୍ଷରୁ ତିନି ଦଶନ୍ଧିରୁ ଅଧିକ ସମୟ ଯାଏ ନସରଲ୍ଲାଙ୍କ ଉପନେତା ଥିବା କାସିମକୁ ନୂଆ ମହାସଚିବ ଚୟନ କରାଯାଇଛି । ଯେପର୍ଯ୍ୟନ୍ତ ବିଜୟ ନମିଳିଛି ସେପର୍ଯ୍ୟନ୍ତ ନସରଲ୍ଲାଙ୍କ ନୀତିରେ ଆଗକୁ ବଢିବା ଜାରି ରଖିବ ବୋଲି ହେଜବୁଲ୍ଲା କହିଛି ।

ନଇମ କାସିମ ୧୯୯୧ ମସିହାରେ ହେଜବୁଲ୍ଲାରେ ସାମିଲ ହୋଇଥିଲେ । ତତ୍କାଳୀନ ମହାସଚିବ ଅବ୍ବାସ ଅଲ-ମୁସାଭୀ ତାଙ୍କୁ ସଂଗଠନର ଉପପ୍ରମୁଖ ନିଯୁକ୍ତ କରିଥିଲେ । ଏହାପରେ ୧୯୯୨ ମସିହାରେ ଇସ୍ରାଏଲ୍ ଆକ୍ରମଣରେ ଅଲ୍-ମୁସାଭୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ନସରଲ୍ଲା ସଂଗଠନର ମୁଖ୍ୟ ହୋଇଥିଲେ ଏବଂ କାସିମ ଉପମୁଖ୍ୟ ଭାବେ କାମ କରିଥିଲେ । ଏହାସହ ହେଜବୁଲ୍ଲାର ମୁଖପାତ୍ର ଭାବେ କାସିମ ବିଦେଶୀ ମିଡିଆରେ ସଂଗଠନର କଥା ରଖୁଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.