ଶାହରୁଖ ଖାନ କିଏ ମୁଁ ତାଙ୍କୁ ଜାଣିନି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା
21/01/2023 at 6:53 PM

ନୂଆଦିଲ୍ଲୀ: ଶାହରୁଖ ଖାନ କିଏ? ମୁଁ ତାଙ୍କ ବିଷୟରେ କି ତାଙ୍କ ଫିଲ୍ମ ପଠାନ ବିଷୟରେ କିଛି ନାହିଁ। ଶନିବାର ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ରୋକ୍ଠୋକ୍ ଏପରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତର ବିଶ୍ୱଶର୍ମା।
ଶୁକ୍ରବାର ଆସାମର ନାରେଙ୍ଗୀରେ ଥିବା ଏକ ସିନେମା ହଲ୍ରେ ଶାହରୁଖ ଖାନ୍ଙ୍କ ଫିଲ୍ମ ପଠାନ ସ୍କ୍ରିନିଂ ପାଇଁ ପୋଷ୍ଟର ଲାଗିଥିଲା। ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ସିନେମା ହଲ୍ରେ ହୋହଲ୍ଲା କରିବା ସହ ଫିଲ୍ମର ପୋଷ୍ଟର ପୋଡ଼ି ଦେଇଥିଲେ। ଏହି ଘଟଣାକୁ ନେଇ ଶର୍ମାଙ୍କୁ ପ୍ରଶ୍ନ କରାଯିବାରୁ ସେ ଶାହରୁଖ ଖାନ୍ଙ୍କୁ ମୁଁ ଚିହ୍ନି ନାହିଁ ବୋଲି କହିଛନ୍ତି।
ସେ କହିଛନ୍ତି “ ଖାନ ମୋତେ ଏହି ସମସ୍ୟା ନେଇ କିଛି ଜଣାଇ ନାହାନ୍ତି। ଯଦିଓ ଅନେକ ବଲିଉଡ୍ କଳାକାର ମୋତେ ଜଣାନ୍ତି। ଯଦି ସେ ମୋତେ ସମସ୍ୟା ବିଷୟରେ ଜଣାଇଲେ ତେବେ ମୁଁ ଏ ବିଷୟରେ ବିଚାର କରିବି। ଯଦି ନିୟମର ଉଲ୍ଲଂଘନ କରାଯାଏ ତେବେ କାର୍ଯ୍ୟାନୁଷ୍ଠାନ ହେବା ସହ ମାମଲା ମଧ୍ୟୁ ରୁଜୁ ହେବ।”

ପଢ଼ନ୍ତୁ- ପଠାନ ଫିଲ୍ମ ରିଲିଜ୍ ନ କରିବାକୁ ଥିଏଟର ମାଲିକଙ୍କୁ ଧମକ ଦେଉଥିଲେ ବ୍ୟକ୍ତି, ଗିରଫ କଲା ପୁଲିସ
ତେବେ ବିଶ୍ୱଶର୍ମା ଶାହରୁଖାନ୍ଙ୍କୁ ଚିହ୍ନି ନାହିନ୍ତି ବୋଲି କହିବା ପରେ ରିପୋର୍ଟରମାନେ ତାଙ୍କୁ କହିଥିଲେ ଯେ ଶାହରୁଖ ଜଣେ ବଲିଉଡ୍ ଷ୍ଟାର୍। ଏହା ଉପରେ ଶର୍ମା କହିଥିଲେ ଯେ ରାଜ୍ୟର ଲୋକମାନେ ଆସାମୀ ଫିଲ୍ମକୁ ଗୁରୁତ୍ୱ ଦେବା ଉଚିତ୍ ହିନ୍ଦୀ ଫିଲ୍ମ ଉପରେ ନୁହେଁ। ଦିମ୍ବଗତ ନିପନ ଗୋସ୍ୱାମୀଙ୍କ ନିର୍ଦ୍ଦେଶନାର ପ୍ରସ୍ତୁତ ହୋଇଥିବା ଆସାମୀ ଫିଲ୍ମ ବେଜବରୁଆ ପାର୍ଟ-୨ ଖୁବ୍ଶୀଗ୍ର ମୁକ୍ତିଲାଭ କରିବ। ରାଜ୍ୟବାସୀ ଏହାକୁ ଦେଖିବା ଦରକାର।
ସୂଚନା ଥାଉକି ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ପଠାନ ଜାନୁଆରୀ ୨୫ ତାରିଖରେ ମୁକ୍ତିଲାଭ କରିବାର ଅଛି। ଫିଲ୍ମର ପ୍ରଥମ ଗୀତ ବେସରମ ରଙ୍ଗ ୟୁଟ୍ୟୁବ୍ରେ ରିଲିଜ୍ ହେବା ପରେ ବିବାଦ ହୋଇଥିଲା। ଦୀପିକ ଗେରୁଆ ବସ୍ତ୍ର ପିନ୍ଧି ଗୀତରେ ନୃତ୍ୟ କରିଥିଲେ। ଯାହାକୁ ବିଜେପିର କଛି ନେତା ଅଶ୍ଳିଳତା କହି ବିରୋଧ କରିଥିଲେ। କିଛି ବିଜେପି ନେତା ଓ ବିଶ୍ୱ ହିନ୍ଦୁ ପରିଷଦ ଫିଲ୍ମକୁ ବ୍ୟାନ୍ କରିବାର ଦାବି କରିଥିଲେ।

ହଲ୍ ମାଲିକଙ୍କୁ ଧମକ ଦେବା ଅଭିଯୋଗର ଜଣେ ଗିରଫ୍
ସୂଚନା ଥାଉକି, ଗତକାଲି ଗୁଜରାଟର ଅହମଦାବାଦରେ ପଠାନ ଫିଲ୍ମ ରିଲିଜ୍ ନ କରିବାକୁ ସିନେମାହଲ ମାଲିକକୁ ଧମକ ଦେଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ସାଇବର କ୍ରାଇମ ପୁଲିସ। ୩୩ ବର୍ଷୀୟ ଯୁବକ ଶନି ଶାହ ଓରଫ ତାଉଜୀ ଏକ ଭିଡିଓ ଜାରି କରି ପଠାନ ଫିଲ୍ମ ରିଲିଜ୍ ନ କରିବାକୁ ଧମକ ଦେଉଥିଲା। ଅଭିଯୁକ୍ତଙ୍କର ବୟାନରୁ ସାମ୍ପ୍ରଦାୟିକ କନ୍ଧଳ ଆରମ୍ଭ ହୋଇଥାନ୍ତା ବୋଲି ପୁଲିସ ସୂଚନା ଦେଇଛି।
ପଠାନ ଫିଲ୍ମର ସ୍କ୍ରିନିଂ ନ କରିବାକୁ ମଲ୍ଟିପ୍ଲେକ୍ସ ଆସୋସିଏସନକୁ ଧମକ
ପଠାନ ଫିଲ୍ମର ସ୍କ୍ରିନିଂ ପାଇଁ ପୂର୍ବରୁ ଗୁଜରାଟର ମଲ୍ଟିପ୍ଲେକ୍ସ ଆସୋସିଏସନକୁ ଧମକ ମିଳିଥିଲା। ଏନେଇ ତେଣୁ ମଲ୍ଟିପ୍ଲେକ୍ସ ଆସୋସିଏସନ ପଠାନ ଫିଲ୍ମର ସ୍କ୍ରିନିଂ ସମୟରେ ସିନେମା ହଲ୍କୁ ସୁରକ୍ଷା ଯୋଗାଇ ଦେବାକୁ ଗୁଜରାଟ ଗୃହ ମନ୍ତ୍ରୀ ହର୍ଷ ସାଙ୍ଗଭିଙ୍କୁ ଅନୁରୋଧ କରିଥିଲେ।

ଏ ନେଇ ରାଜ୍ୟ ଗୃହମନ୍ତ୍ରୀଙ୍କୁ ସିନେମା ହଲ୍ ସଂଗଠନ ଚିଠି ଲେଖି ଜଣାଇଥିଲେ। ସେମାନେ କହିିଥିଲେ ଯେ ଅପରାଧିମାନେ ସିନେମା ହଲ୍ ମାଲିକଙ୍କୁ ଲିଖିତ ଭାବେ ଏବଂ ଫୋନ୍ କରି ପଠାନ ଚଳଚ୍ଚିତ୍ରର ସ୍କ୍ରିନିଂ ନକରିବାକୁ ଧମକ ଚମକ ଦେଉଛନ୍ତି। ଶାହରୁଖଙ୍କ ଚଳଚ୍ଚିତ୍ରକୁ ସେନସର ଦ୍ଵାରା ସବୁଜ ସଙ୍କେତ ମିଳିଛି। ଅନ୍ୟ କୌଣସି ସଂଗଠନର ମଧ୍ୟ ପଠାନ ଫିଲ୍ମକୁ ନେଇ କୌଣସି ଆପତ୍ତି ନାହିଁ। ତେବେ ଏମିତି ଧମକରୁ ସୁରକ୍ଷା ଦେବାକୁ ସେମାନେ ଗୁଜରାଟ ମନ୍ତ୍ରୀଙ୍କୁ ଜଣାଇଥିଲେ।
ଅନେକ ସଂଗଠନ ବେଆଇନ ଭାବେ ସିନେମା ହଲ୍ ମାଲିକଙ୍କୁ ଟାର୍ଗେଟ୍ କରୁଛନ୍ତି। ନିଜ ହଲ୍ରେ ପଠାନ ଫିଲ୍ମ ରିଲିଜ୍ କଲେ ପରିଣାମ କିଛି ଠିକ୍ ହେବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ସିନେମା ହଲ୍କୁ ସୁରକ୍ଷା ଦେବାକୁ ସେମାନେ ରାଜ୍ୟ ଗୃହ ମନ୍ତ୍ରୀଙ୍କୁ ଅପିଲ୍ କରିଥିଲେ।