ଗଜପତି ମର୍ମନ୍ତୁଦ ଘଟଣା ପାଇଁ ଦାୟୀ କିଏ ୧୩ ଜଣ ବାତ୍ୟା ଆଶ୍ରୟ ସ୍ଥଳକୁ ନଆସି ପାହାଡ ଗୁମ୍ଫାରେ ରହିଲେ କେମିତି ?

Published By : Prameya-News7 Bureau | October 13, 2018 IST

ଭୁବନେଶ୍ବର ୧୩|୧୦: ଗଜପତି ମର୍ମନ୍ତୁଦ ଘଟଣା ପାଇଁ ଦାୟୀ କିଏ । କଣ ପାଇଁ ୧୩ ଲୋକ ବାତ୍ୟା ଆଶ୍ରୟ ସ୍ଥଳକୁ ନଆସି ପାହାଡ ଗୁମ୍ଫାରେ ରହିଲେ । ଆଉ ଅକାଳରେ ମୃତ୍ୟୁ ମୁଖରେ ପଡିଲେ । ବାତ୍ୟା ପୂର୍ବରୁ ଆଶ୍ରୟ ସ୍ଥଳକୁ ଲୋକଙ୍କୁ ଉଠିଯିବାକୁ ସରକାରୀ କାର୍ଯ୍ୟକ୍ରମ ଠିକ୍ ଭାବେ କଣ କାମ ଦେଲାନି କି ଆଉ କିଛି ଅସୁବିଧା ରହିଗଲା । ଗଜପତିର ସେହି ନିରିହ ଲୋକଙ୍କ ମୃତ୍ୟୁପରେ ଏବେ ଏଭଳି ପ୍ରଶ୍ନ ଉଙ୍କି ମାରିଛି । ଜିରୋ କାଜୁଆଲିଟି କଥା କହି ଡିଣ୍ଡିମ ପିଟୁଥିଲେ । କିନ୍ତୁ ବାତ୍ୟା ଓ ବନ୍ୟାରେ ଗୋଟିଏ ସ୍ଥାନରେ ୧୩ ଜୀବନ ଚାଲିଗଲା । ପ୍ରଶ୍ନ ଉଠୁଛି ଏମାନେ କାହିଁକି ବାତ୍ୟା ଆଶ୍ରୟସ୍ଥଳ ଯାଇ ପାରିଲେନି । ୩ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଇଥିଲା ବୋଲି ପ୍ରଶାସନ ବଡପାଟିରେ କହୁଥିଲା । ହେଲେ ଗଜପତିର ଏହି ଲୋକଙ୍କ ଜୀବନ କାହିଁକି ସୁରକ୍ଷିତ ହୋଇ ପାରିଲାନି । ବାସ୍ତବରେ ଏ ଲୋକମାନଙ୍କ ପାଖରେ ପ୍ରଶାସନ ପହଁଚି ପାରିଲା ନାହିଁ ନା ଆଉକିଛି ଅସୁବିଧା ରହିଗଲା। ମୁଖ୍ୟ ଶାସନ ସଚିବ କହୁଛନ୍ତି ଏହି ଘଟଣା ବାତ୍ୟା ପାଇଁ ନୁହେଁ ବରଂ ପରବର୍ତ୍ତି ବର୍ଷା ଓ ବନ୍ୟା ପାଇଁ ଘଟିଲା । ଏଭଳି ଦୁଃଖଦ ଘଟଣା ଘଟିବା ପରେ ବି ସରକାରୀ ତତ୍ପରତା ଯେତିକି ହେବାକଥା ତାହା ହେଲାନି । ଗଜପତି ଜିଲ୍ଲାର ଜିଲ୍ଲାପାଳ ଓ ଏସପି, ଡାକ୍ତର ଓ ଉଦ୍ଧାରକାରୀ ଦଳଙ୍କ ଏକ ଟିମ୍ ସେଠାରେ ପହଁଚିଲା ବେଳକୁ ଦିନ ଗୋଟାଏ ଡେଇଁଯାଇଥିଲା । ଅବଶ୍ୟ ସେଠିକି କେବଳ ସଡକ ଯୋଗାଯୋଗ ବ୍ୟାହାତ ହୋଇଥିଲା ତାହା ନୁହେଁ ଟେଲି ଯୋଗାଯୋଗ ବି ନଥିଲା । ଏଥିରୁ ଅନୁମାନ କରାଯାଉଛି ସେହି ଅଞ୍ଚଳରେ ଆଜିଯାଏଁ ଟେଲି ଯୋଗୋଯୋଗରୁ ଦୂରରେ ରହିଛି। ବିରୋଧୀ ସରକାରଙ୍କ ଜିରୋ କାଜୁଆଲଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆକାଶ ମାର୍ଗରୁ ୩ ଜିଲ୍ଲାର ବନ୍ୟା ପରିସ୍ଥିତି ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଫାଇଲିନ ଓ ହୁଡହୁଡରେ ସରକାର ବେଶ ପ୍ରଶଂସା ଗୋଟାଇଥିଲେ । ଏଥର ତିତିଲି ବାତ୍ୟାରେ ତାର ପୁନରାବୃତ୍ତି କରିବାକୁ କୌଣସି ସୁଯୋଗ ହାତଛଡା କରିନଥିଲେ । ଗଣ ମାଧ୍ୟମ ବି ବେଶ୍ ସହଯୋଗ କରିଥିଲା ଏଦିଗରେ । ତଥାପିବି ପ୍ରକୃତି କୋପରେ ୧୩ ଜଣ ଙ୍କ ଜୀବନ ଚାଲିଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.