ଢେଙ୍କାନାଳ କମଳାଙ୍ଗରେ ଏକା ଥରକେ ୭ଟି ହାତୀଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? ଆରମ୍ଭ ହେଲା ପରସ୍ପର ଉପରକୁ ଦୋଷ ଠେଲିବା

Published By : Prameya-News7 Bureau | October 27, 2018 IST

ଭୁବନେଶ୍ବର ୨୭|୧୦: ଢେଙ୍କାନାଳ କମଳାଙ୍ଗରେ ଏକା ଥରକେ ୭ଟି ହାତୀଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? ବନ ବିଭାଗ ନା ବିଦ୍ୟୁତ୍ ବିଭାଗ ? ସ୍ଥାନୀୟ ଲୋକେ, ବନବିଭାଗ ଏବଂ ଜଙ୍ଗଲ ମନ୍ତ୍ରୀ କହୁଛନ୍ତି ହାତୀଙ୍କ ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗ ହିଁ ଦାୟୀ । ସେପଟେ ଘଟଣାସ୍ଥଳରେ ବନବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚିଥିବା ବେଳେ ବିଦ୍ୟୁତ୍ ବିଭାଗ କିମ୍ବା ସେସୁଠାରୁ ବିଦ୍ୟୁତ୍ ନେଇ ରେଳ ବିଭାଗର କାମ କରୁଥିବା ଠିକାଦାରୀ ସଂସ୍ଥାର କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ଛାଇ ଦେଖିବାକୁ ମିଳି ନଥିଲା । ଏକା ଥରକେ ମଲେ ୭ ହାତୀ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗରେ ଗତରାତିରେ ଘଟିଛି ଏମିତି ଅଭାବନୀୟ ଘଟଣା । ଧାନ ଖାଇବାକୁ ୧୩ଟିକିଆ ହାତୀ ପଲ, ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଟି ହାତୀଙ୍କ ମୃତ୍ୟୁ ହୋଇଛି । ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଗୋଟେ ଦନ୍ତା, ୫ଟି ବଡ଼ ମାଇ ହାତୀ ଏବଂ ଗୋଟେ ଛୋଟ ମାଇ ହାତୀର ମୃତ୍ୟୁ ମୃତ୍ୟୁ ହୋଇଛି । ମାଟିଠାରୁ ମାତ୍ର ୫/୬ ଫୁଟ ଉପରେ ଝୁଲୁଥିବା ହାଇ ଟେନସନ୍ ବିଦ୍ୟୁତ୍ ତାର ହାତୀଙ୍କ ପାଇଁ କାଳ ହେଲା । ତେବେ କାହିଁକି ଏଠାରେ ଏମିତି ତାର ଝୁଲି ରହିଥିଲା ? କିଏ, କେବେ ଠାରୁ ଏମିତି ତାରକୁ ଝୁଲାଇ ରଖିଥିଲେ ? ବ୍ରାହ୍ମଣୀ ନଦୀ ଉପରେ ରେଳୱେ ବ୍ରିଜ୍ କାମ ଚାଲିଥିବା ବେଳେ ଠିକା ନେଇଛି ରାହି କନଷ୍ଟ୍ରକସନ୍ । ୧୨ କିଲୋମିଟର ଦୂର ସେସୁର ମେରାମୁଣ୍ଡଳି ସେକସନରୁ ବିଦ୍ୟୁତ୍ ନେଇ ୩/୪ ବର୍ଷ ହେବ କାମ କରୁଛି ରାହି କନଷ୍ଟ୍ରକସନ୍ । କିନ୍ତୁ ବର୍ଷେ ହେବ ତାର ଏହି ହାଇ ଟେନସନ୍ ତାର ଝୁଲି ଝୁଲି ବିପଦ ସ୍ତରକୁ ଚାଲି ଆସିଥିଲା । ସ୍ଥାନୀୟ ଲୋକେ ବାରମ୍ବାର ସେସୁକୁ ଜଣାଇଥିଲେ । କିନ୍ତୁ କେହି ଶୁଣିଲେନି । ଯେଉଁଥି ପାଇଁ ଏବେ ୭ଟି ହାତୀଙ୍କୁ ଅକାଳରେ ଜୀବନ ହରାଇବାକୁ ପଡ଼ିଲା । ବନ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ୭ଟି ହାତୀ ମଧ୍ୟରୁ ୪ଟି ହାତୀର ବ୍ୟବଚ୍ଛେଦ ହୋଇଛି । ସମୟ ଏବଂ ଲଜିଷ୍ଟିକ୍ ସପୋର୍ଟ ଅଭାବରୁ ଆଉ ୩ଟି ହାତୀର ବ୍ୟବଚ୍ଛେଦ ହୋଇ ପାରିନି । ଯାହା ଆସନ୍ତାକାଲି କରାଯିବ ।  ଅଘଟଣ ପାଇଁ ବନ ବିଭାଗ, ବିଦ୍ୟୁତ୍ ବିଭାଗକୁ ଦାୟୀ କରୁଛି । ପରିସ୍ଥିତି ଦେଖିଲେ ଜଣାପଡୁଛି, ବିଦ୍ୟୁତ୍ ବିଭାଗ ନିଶ୍ଚିତ ଦାୟୀ । ତେବେ ବନ ବିଭାଗର ଫିଲ୍ଡ ଷ୍ଟାଫ୍ କଣ ପୂରା ନିର୍ଦ୍ଦୋଷ ? ସଂପୃକ୍ତ ଅଞ୍ଚଳରେ ହାତୀ ଥିବା ଜାଣି କାହିଁକି ଉପରିସ୍ଥ ଅଧିକାରୀଙ୍କ ମାଧ୍ୟମରେ ସେସୁକୁ ତରତର କରାଇ ନଥିଲେ ବନବିଭାଗର ଫିଲ୍ଡ ଷ୍ଟାଫ୍ ? ଜଂଗଲମନ୍ତ୍ରୀ ବିଜୟଶ୍ରୀରାଇତରାୟ କହିଛନ୍ତି ଯେ, କାର୍ଯ୍ୟରେ ଅବହେଳା କରିଛନ୍ତି ବିଦ୍ୟୁତ୍‌ କର୍ମଚାରୀ । ବିଦ୍ୟୁତ୍‌ କର୍ମଚାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଜଙ୍ଗଲ ବିଭାଗ ବିଦ୍ୟୁତ୍‌ ବିଭାଗକୁ ଲେଖିଥିଲା ଚିଠି । ତାର ଝୁଲିବା ନେଇ ବିଦ୍ୟୁତ୍‌ ବିଭାଗକୁ ମଧ୍ୟ ଜଣାଇଥିଲେ ସ୍ଥାନୀୟ ଲୋକେ । ତଥାପି ବିଭାଗ କୌମସି ପଦକ୍ଷେପ ନେଇନଥିଲା । ଅପରପକ୍ଷରେ ଅଘଟଣର ବହୁ ସମୟ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ବନବିଭାଗର ବରିଷ୍ଠ ଅଧିକାରୀ । ଆଉ ଅପରାହ୍ନରେ ପହଞ୍ଚିଲା ବିଦ୍ୟୁତ୍ ବିଭାଗ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.