କିଏ ସେ ରାଣା ଗୁରଜିତ ସିଂହ ଯାହାଙ୍କୁ ନେଇ ପଞ୍ଜାବ କଂଗ୍ରେସରେ ଆରମ୍ଭ ହୋଇଛି ସଂଘର୍ଷ

Published By : Prameya-News7 Bureau | September 28, 2021 IST

ଚଣ୍ଡୀଗଡ଼ ୨୮/୦୯ : ପଞ୍ଜାବ କଂଗ୍ରେସରେ ନୂଆ ସଂଘର୍ଷ ଆରମ୍ଭ ହୋଇଛି। ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ମଙ୍ଗଳବାର ଦିନ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସିଦ୍ଧୁଙ୍କ ଇସ୍ତଫା ପରେ ଅନେକ କାରଣ ଥିବା କୁହାଯାଉଛି। ଏଥିରେ ଶିଖ ସମ୍ପ୍ରଦାୟକୁ କ୍ୟାବିନେଟରେ ଉଚିତ ପ୍ରତିନିଧିତ୍ବ ମିଳିବାଠୁ ଆରମ୍ଭ କରି ରାଣା ଗୁରଜିତ ସିଂହଙ୍କୁ କ୍ୟାବିନେଟରେ ସ୍ଥାନ ଦେବା ସାମିଲ ଅଛି। ପଞ୍ଜାବ କଂଗ୍ରେସରେ ମଜବୁତ ସ୍ଥିତିରେ ଥିବା ରାଣା ଗୁରଜିତଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି। ସିଦ୍ଧୁ କ୍ୟାମ୍ପର ବିଶ୍ୱାସ ରହିଛି ଯେ ଦୁର୍ନୀତିଗ୍ରସ୍ତ ଅଭିଯୁକ୍ତଙ୍କୁ କ୍ୟାବିନେଟରେ ସ୍ଥାନ ଦେଇ ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଭୁଲ ବାଟ ଧରିଛନ୍ତି।

ରବିବାର ଦିନ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପୂର୍ବରୁ କିଛି ବିଧାୟକ ରାଜ୍ୟ କଂଗ୍ରେସର ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଏକ ଚିଠି ଲେଖିଥିଲେ। ବିଧାୟକମାନେ କହିଛନ୍ତି ଯେ ରାଣା ଗୁରଜିତ ସିଂହଙ୍କୁ ମନ୍ତ୍ରୀ ପଦ ଦେବା ଅନୁଚିତ କାରଣ ତାଙ୍କ ବିରୋଧରେ ବାଲି ଖନନ ଦୁର୍ନୀତି ଅଭିଯୋଗ ରହିଛି। ଗୁରଜିତ ସିଂହଙ୍କୁ କ୍ୟାପଟେନ ଅମରିନ୍ଦର ସିଂହଙ୍କ ସରକାରରୁ ଦୁର୍ନୀତି ଅଭିଯୋଗ କ୍ୟାବିନେଟରୁ ହଟାଇ ଦିଆଯାଇଥିଲା।

ଗୁରଜିତ ସିଂହ ବର୍ତ୍ତମାନ କପୁରଥାଲା ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ଏହାପୂର୍ବରୁ ସେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଜଳନ୍ଧର ସାଂସଦ ଥିଲେ। ଉତ୍ତରାଖଣ୍ଡରେ ଜନ୍ମିତ ଗୁରଜିତ ସିଂହ ବର୍ତ୍ତମାନ ପଞ୍ଜାବ ବିଧାନସଭାର ସବୁଠାରୁ ଧନୀ ବିଧାୟକ। ଗୁରଜିତ ନିଜ ବିଧାନସଭା ଆସନରେ ବହୁତ ଲୋକପ୍ରିୟ। ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ ୨୦୧୭ ରେ ମନ୍ତ୍ରୀ କରାଯାଇଥିଲା। କିନ୍ତୁ ତା’ପରେ ବାଲି ଘୋଟାଲା ସମ୍ପର୍କରେ କ୍ୟାପଟେନ ତାଙ୍କୁ କ୍ୟାବିନେଟରୁ ହଟାଇ ଦେଇଥିଲେ। ତେବେ ଯାଞ୍ଚ ପ୍ୟାନେଲ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲା।

୧୯୮୬ ରେ ରାଣା ଗୁରଜିତ ପଞ୍ଜାବକୁ ସ୍ଥାନାନ୍ତର ହୋଇଥିଲେ। ତାଙ୍କ ପରିବାର ପଞ୍ଜାବର ରୁପନଗରରେ ଏକ କାଗଜ ମିଲ ଖୋଲିଥିଲା। ଏହା ପରେ ଅମୃତସରରେ ଏକ ଚିନି ମିଲ୍ ଖୋଲାଗଲା। ପରେ ପଞ୍ଜାବ ଏବଂ ହରିୟାଣାରେ ଦୁଇଟି ଡିଷ୍ଟିଲରି ମଧ୍ୟ ଖୋଲାଯାଇଥିଲା। ଗୁରୁଜିତଙ୍କ ପରିବାରର ଉତ୍ତରପ୍ରଦେଶରେ ମଧ୍ୟ ଚାରୋଟି ଚିନି ମିଲ ଅଛି। ମୋଟ ଉପରେ କହିବାକୁ ଗଲେ ଗୁରଜିତ ସିଂହ ଏବଂ ତାଙ୍କ ପରିବାରର ବଡ ବ୍ୟବସାୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.