ରାହୁଲ କି ପ୍ରିୟଙ୍କା ନ ହେଲେ କିଏ ହେବ କଂଗ୍ରେସର ନୂତନ ସଭାପତି ? ପାର୍ଟି ପାଖରେ ରହିଛି ଏହି ବିକଳ୍ପ

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ ୨୩।୦୮: କଂଗ୍ରେସରେ ଦୀର୍ଘ ସମୟ ଧରି ପୂର୍ଣ୍ଣକାଳୀନ ସଭାପତି ନେଇ ଉଠିଥିବା ଦାବି ମଧ୍ୟରେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ସଭାପତି ପଦ ପରିତ୍ୟାଗ କରିବେ। ସୋନିଆ ପଦ ଛାଡିବା ପରେ ଦଳର ନୂତନ ପୂର୍ଣ୍ଣକାଳୀନ ସଭାପତି କିଏ ହେବ ସେ ନେଇ କଂଗ୍ରେସ ସାମ୍ନାରେ ବଡ ଚ୍ୟାଲେଞ୍ଜ ରହିଛି। କାରଣ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ପୂର୍ବରୁ ମଧ୍ୟ କହି ସାରିଛନ୍ତି ଯେ ଗାନ୍ଧୀ ପରିବାର ଅତିରିକ୍ତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ କଂଗ୍ରେସର ସଭାପତି କରାଯାଉ। ଏଥିପାଇଁ ଗାନ୍ଧୀ ପରିବାର ସହ ପାର୍ଟିର ସଭାପତି ଚୟନକୁ ନେଇ ସଂପ୍ରତି ସଂଶୟ ସ୍ଥିତି ଜାରି ରହିଛି।

ଏମିତିରେ ପ୍ରଶ୍ନ ଉଠୁଛି ଯଦି ରାହୁଲ କିମ୍ବା ପ୍ରିୟଙ୍କା ଉଭୟଙ୍କ ମଧ୍ୟରୁ କେହି ସଭାପତି ଦାୟିତ୍ଵ ନନିଅନ୍ତି ତେବେ କଂଗ୍ରେସର ଦାୟିତ୍ଵ କାହା ହାତରେ ଦିଆଯିବ। କଂଗ୍ରେସର ନୂତନ ସଭାପତି କିଏ ହେବ ? ଏହାକୁ ନେଇ ପାର୍ଟି ନିକଟରେ ଦୁଇଟି ବିକଳ୍ପ ରହିଛି। ଗୋଟିଏ ହେଲା କଂଗ୍ରେସର କାର୍ଯ୍ୟକାରିଣୀ କମିଟିର ସଦସ୍ୟ କାହାକୁ ସଭାପତି ପଦ ପାଇଁ ଚୟନ କରନ୍ତୁ ଦ୍ଵିତୀୟଟି ହେଲା ସଂଗଠନର ନିର୍ବାଚନ କରାଯାଉ। ଏହି ସମୟରେ ପାର୍ଟିରେ ସଭାପତି ପଦ ପାଇଁ ନେତାଙ୍କ ଅଭାବ ମଧ୍ୟ ନାହିଁ।

ଉତ୍ତରରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ କଂଗ୍ରେସର ନେତାଙ୍କ ଉପରେ ନଜର ପକାଇଲେ ପାର୍ଟି ପାଖରେ ପ୍ରତିଭାର କୌଣସି ଅଭାବ ନାହିଁ। ଦଳରେ ଏମିତି ଅନେକ ଚେହେରା ରହିଛି ଯିଏ ପାର୍ଟିର ସଭାପତି ଦାୟିତ୍ଵ ତୁଲାଇ ପାରିବେ। ପାର୍ଟିରେ ଗୁଲାମ ନବି ଆଜାଦ, ପି ଚିଦାମ୍ବରମ, ଅହମ୍ମଦ ପଟେଲ, ମୁକୁଲ ଓ୍ଵାସନିକ, କପିଲ ସିବ୍ବଲ, ଦିଗବିଜୟ ସିଂହ, ମିଲିନ୍ଦ ଦେଓରା, ଶଶି ଥରୁର, ମନୀଷ ତିଓ୍ଵାରୀ ପରି ଅନୁଭବୀ ନେତା ଅଛନ୍ତି ଯାହାଙ୍କ ହାତରେ ଦାୟିତ୍ଵ ଦିଆଯାଇପାରେ। ଏଥିରୁ ଅନେକ ଲୋକ ଅଛନ୍ତି ଯାହାଙ୍କ ସାର୍ବଜନୀନ ପଦରେ ରହିବାର ଲମ୍ବା ଅନୁଭବ ରହିଛି। ଏହା  ବ୍ୟତୀତ ଯଦି ସଭାପତି ପଦ ପାଇଁ କୌଣସି ବରିଷ୍ଠ ନେତାଙ୍କୁ ଚୟନ କରାଯାଏ ତେବେ ପାର୍ଟି ପାଖରେ ଚେହେରାର ଅଭାବ ନାହିଁ।

କଂଗ୍ରେସ ପାଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ଏକେ ଆଣ୍ଟେନି, ସୁଶିଲ କୁମାର ସିନ୍ଧେଙ୍କ ପରି ଅନେକ  ବରିଷ୍ଠ ନେତା ଅଛନ୍ତି ଯେଉଁମାନେ ଦଶନ୍ଧି ଧରି ନିଜର ଅନୁଭବ ଆଧାରରେ ସମୟ ସମୟରେ ପାର୍ଟିକୁ ପରାମର୍ଶ ଦେଇଥାନ୍ତି। ଏମିତିରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପାର୍ଟିର ଦାୟିତ୍ଵ ଦିଆଯାଇପାରେ। ବର୍ତ୍ତମାନ ୪ ରାଜ୍ୟରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ସେମାନେ ହେଉଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, ରାଜସ୍ଥାନର ଅଶୋକ ଗେହଲଟ, ଛତିଶଗଡର ଭୂପେଶ ବଘେଲ ଓ ପୁଡୁଚେରୀର ଭି ନାରାୟଣସାମୀ।

କିନ୍ତୁ ପାର୍ଟିର ଅନ୍ତିମ ନିଷ୍ପତ୍ତି କଣ ହେବ ଏବଂ କାହାକୁ ସଭାପତି ଦାୟିତ୍ଵ ଦିଆଯିବ ଏହା ଉପରେ ସୋମବାର ହେବାକୁ ଥିବା କଂଗ୍ରେସର କାର୍ଯ୍ୟକାରିଣୀ  ବୈଠକରେ  ଆଲୋଚନା ହେବ। ଏହି ବୈଠକରେ ପାର୍ଟିର ନୂତନ ସଭାପତି ପଦ ନେଇ ନିଷ୍ପତ୍ତି ହୋଇପାରେ। ଏହି ବୈଠକ ପୂର୍ବରୁ ପାର୍ଟିରେ ବିଭିନ୍ନ ସ୍ତରରୁ ସ୍ଵର ଉଠିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.