ତ୍ୟାଗର ମୂରତୀ ତ୍ୟାଗରାଜନ ; ଗଣିତ ସ୍ନାତକରୁ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ , ନିଜ କର୍ମଚାରୀଙ୍କୁ ଦାନ କଲେ ୬୦୦୦ କୋଟିର ସମ୍ପତ୍ତି
15/08/2023 at 7:12 PM

ନୂଆଦିଲ୍ଲୀ 15/08 : କୃଷକ ପରିବାରର ପୁଅ। ସଂଘର୍ଷ କଲେ, ପାଠ ପଢ଼ିଲେ। ବ୍ୟବସାୟ ଆରମ୍ଭ କଲେ କୋଟି କୋଟି ଟଙ୍କାର ମାଲିକ ବି ହେଲେ। ପରେ ସମସ୍ତ ସମ୍ପତ୍ତି ଦାନ କରିଦେଲେ। ସବୁ କାହାଣୀ ପରି ଲାଗୁଥିବ। କିନ୍ତୁ ଇଏ କେଉଁ କାହାଣୀର ହିରୋ ନୁହେଁ, ବାସ୍ତବ ଜୀବନର ହିରୋ।

ଶ୍ରୀରାମ ଗ୍ରୁପ୍ର ପ୍ରତିଷ୍ଠାତା ରାମମୂର୍ତ୍ତି ତ୍ୟାଗ ରାଜନ୍। ତାଙ୍କର ୬୦୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ପାଇଁ ଏକ ଛୋଟିଆ ଘର ଏବଂ ୪ ଲକ୍ଷ ଟଙ୍କାର କାର୍ ଛାଡ଼ି ତାଙ୍କର ସମସ୍ତ ସମ୍ପତ୍ତି କର୍ମଚାରୀଙ୍କ ପାଇଁ କରିଥିବା ଟ୍ରଷ୍ଟକୁ ଦେବାକୁ କରିଛନ୍ତି ଘୋଷଣା । ୮୬ ବର୍ଷୀୟ ତ୍ୟାଗରାଜନ୍ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ‘ମୁଁ ୭୫୦ ମିଲିୟନ ଡଲାର ( ପାଖାପାଖି ୬,୨୦୦ କୋଟି)ର ସମ୍ପତ୍ତି ଦାନ କରିଦେଇଛି। ‘ମୁଁ ଟିକିଏ ବାମପନ୍ଥୀ, କିନ୍ତୁ ଯେଉଁମାନେ ସଂଘର୍ଷ କରୁଛନ୍ତି ସେମାନଙ୍କ ଜୀବନରେ ମୁଁ ସମସ୍ୟାକୁ କମ୍ କରିବାକୁ ଚାହୁଁଛି । ତ୍ୟାଗରାଜନ ଏହା ମଧ୍ୟ କହିଛନ୍ତି ଯେ, ‘ମୁଁ ପ୍ରମାଣ କରିବାକୁ ଚାହୁଁଛି ଯେ, କୌଣସି କ୍ରେଡିଟ୍ ସ୍କୋର ଏବଂ ନିୟମିତ ଆୟ ନଥିବା ଲୋକଙ୍କୁ ଋଣ ଦେବା ବିପଦଜନକ ନୁହେଁ, ଯାହାକି ସାଧାରଣରେ ଚର୍ଚ୍ଚା ହେଉଛି।

ତ୍ୟାଗରାଜନ କହିଛନ୍ତି, ଯେ ଗରିବ ଲୋକଙ୍କୁ ଋଣ ଦେବା ସମାଜବାଦର ଏକ ଅଂଶ। ଆମେ ସର୍ବନିମ୍ନ ହାରରେ ଲୋକଙ୍କୁ ଋଣ ପ୍ରଦାନ କରିବାକୁ ଚେଷ୍ଟା କରୁ। ଋଣ ଦେବାବେଳେ ଆମ ଗୋଷ୍ଠୀ ଋଣଗ୍ରହୀତାଙ୍କ କ୍ରେଡିଟ୍ ସ୍କୋରକୁ କେବେବି ଦେଖନ୍ତି ନାହିଁ। ରିପୋର୍ଟ ଅନୁଯାୟୀ, ଶ୍ରୀରାମ ଗ୍ରୁପ୍ ଋଣ ଦେବା ପୂର୍ବରୁ ଗ୍ରାହକଙ୍କ ସିବିଲ୍ ସ୍କୋର ଯାଞ୍ଚ କରେ ନାହିଁ।
ଆର. ତ୍ୟାଗରାଜନ ୨୫ ଅଗଷ୍ଟ ୧୯୩୭ରେ ଚେନ୍ନାଇରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଗଣିତରେ ସ୍ନାତକ ତାପରେ କଲିକତାରେ ମାଷ୍ଟର ଡିଗ୍ରୀ କରିଥିଲେ। ସେ 1961ରେ ନ୍ୟୁ ଇଣ୍ଡିଆ ଏସିୟୋରାନ୍ସ କମ୍ପାନୀରେ ସାମିଲ୍ ହୋଇଥିଲେ। ସେ 37 ବର୍ଷ ବୟସରେ ବ୍ୟବାସାୟ ଆରମ୍ଭ କରିଥିଲେ। ଆଜି ତାଙ୍କ ପାଖରେ 30କମ୍ପାନୀ। ସେ ଏପ୍ରିଲ, ୧୯୭୪ରେ ଶ୍ରୀରାମ ଗ୍ରୁପ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତାଙ୍କ ସହିତ ସହ-ପ୍ରତିଷ୍ଠାତା ଭାବରେ ଏଭିଏସ୍ ରାଜା ଏବଂ ଟି ଜୟରାମନ୍ ଯୋଗ ଦେଇଥିଲେ। ଆରମ୍ଭରୁ, ଗ୍ରୁପ୍ ଏକ ଚିଟ୍ ଫଣ୍ଡ କମ୍ପାନୀ ଭାବରେ କାର୍ଯ୍ୟ କଲା, କିନ୍ତୁ ଧୀରେ ଧୀରେ କମ୍ପାନୀ ଋଣ ଏବଂ ବୀମା ବ୍ୟବସାୟରେ ମଧ୍ୟ ପ୍ରବେଶ କଲା। ଶ୍ରୀରାମ ଫାଇନାନ୍ସ ହେଉଛି ଭାରତର ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ (NBFC)। ଶ୍ରୀରାମ ଗ୍ରୁପ୍ ଋଣ ଏବଂ ବୀମା ସମ୍ବନ୍ଧୀୟ ସେବାଗୁଡିକ ବ୍ୟାପକ ପରିସରରେ ପ୍ରଦାନ କରେ। ୨୦୧୩ ମସିହାରେ, ତ୍ୟାଗରାଜନଙ୍କୁ ଭାରତ ସରକାର ପଦ୍ମ ଭୂଷଣ ପ୍ରଦାନ କରିଥିଲେ।
ତ୍ୟାଗରାଜନଙ୍କ ମନ ଖୁବ୍ ଉଚ୍ଚ କୋଟୀର। ଜୀବନଶୈଳୀ ବି ସେତିକି ସରଳ। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇବି ଚଢ଼ନ୍ତି ସାଧାରଣ କାର। ତାଙ୍କ ପାଖରେ ମୋବାଇଲେ ନାହିଁ। କାହିଁକି ନା ସେ ଭାବନ୍ତି ଯେ, ଏହା ଦ୍ୱାରା ତାଙ୍କ ଧ୍ୟାନ ହଟିଥାଏ।
Also Read- ଏହି ସହରରେ ରହିବା ଖାଇବା ସବୁ ଫ୍ରି, କେବଳ ମାନିବାକୁ ପଡ଼ିବ ଏହି ସବୁ ସର୍ତ୍ତ