ଜାଣନ୍ତୁ କିଏ ଏହି ମହମ୍ମଦ ୟୁନୁସ୍, ବାଂଲାଦେଶ ଅନ୍ତରୀଣ ସରକାରରେ ହେବେ ମୁଖିଆ ?

Published By : Prameya-News7 Bureau | August 08, 2024 IST

ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ୍ ହସିନାଙ୍କ ଶାସନର ଅନ୍ତ ପରେ ଏବେ ସେଠାରେ ଅନ୍ତରୀଣ ସରକାର ଶାସନ ବ୍ୟବସ୍ଥା ବୁଝିବ । ନୋବେଲ ବିଜେତା ମହମ୍ମଦ ୟୁନୁସ୍ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପାଇଁ ଚୟନ ହୋଇଛନ୍ତି । ବାଂଲାଦେଶରେ ଗରିବଙ୍କ ବ୍ୟାଙ୍କର ଭାବେ ପରିଚିତ ମହମ୍ମଦ ୟୁନୁସ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ସମାଲୋଚକ । ନିର୍ବାଚନ ଏବଂ ନୂଆ ସରକାର ଗଠନ ପର୍ଯ୍ୟନ୍ତ ୟୁନୁସ୍ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ । ଆନ୍ଦୋଳନରତ ଛାତ୍ର ନେତା, ସେନା, ସାମାଜିକ ସଂଗଠନର ସଦସ୍ୟ ଏବଂ ଶିଳ୍ପପତିଙ୍କ ସହ ଆଲୋଚନା ପରେ ୟୁନୁସଙ୍କୁ ଅନ୍ତରୀଣ ସରକାର ମୁଖ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

୮୩ ବର୍ଷୀୟ ୟୁନୁସଙ୍କ ଗଣତି ହସିନାଙ୍କ କଟ୍ଟର ସମାଲୋଚକଙ୍କ ମଧ୍ୟରେ ହୁଏ । ହସିନାଙ୍କ ଇସ୍ତଫାକୁ ସେ ଦେଶରେ ଦ୍ୱିତୀୟ ମୁକ୍ତି ଦିବସ ବୋଲି ଘୋଷଣା କରିଛନ୍ତି । ଗତ ଜାନୁଆରୀରେ ୟୁନୁସଙ୍କୁ ବାଂଲାଦେଶ ଶ୍ରମିକ ଆଇନ ଉଲ୍ଲଂଘନରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତାଙ୍କ ସମର୍ଥକ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣଦିତ ବୋଲି କହିଥିଲେ । ୧୦୦ରୁ ଅଧିକ ନୋବେଲ୍ ବିଜେତା ଏକ ଓପନ୍ ଲେଟର ଲେଖି ୟୁନୁସଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ରଦ୍ଦ କରିବା ପାଇଁ ଦାବି କରିଥିଲେ । ଆମନେଷ୍ଟି ଇଣ୍ଟରନ୍ୟାସନାଲ ଏହାକୁ ବାଂଲାଦେଶରେ ମାନବାଧିକାର ସଂକଟ ସ୍ଥିତି ବୋଲି କହିଥିଲା ।

ବାଂଲାଦେଶର ଉପକୂଳିଆ ସହର ଚିଟାଗଙ୍ଗ ୧୯୪୦ ମସିହାରେ ୟୁନୁସଙ୍କ ଜନ୍ମ । ଆମେରିକାର ଭଣ୍ଡେରବିଲଟ୍ ବିଶ୍ୱବିଦ୍ୟାଳୟକୁ ପିଏଚଡି ହାସଲ କରିଥିଲେ । ୨୦୦୪ରେ ଏକ ସାକ୍ଷାତକାରରେ ୟୁନୁସ୍ କହିଥିଲେ ଯେ ଗ୍ରାମୀଣ ବ୍ୟାଙ୍କ ସ୍ଥାପନା ପାଇଁ ସେ ୟୁକେରା ଆନ୍ଦୋଳନ ଆରମ୍ଭ କରିଥିଲେ । ଜଣେ ବ୍ୟାଙ୍କର ଏବଂ ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସଙ୍କୁ ୨୦୦୬ ମସିହାରେ ଶାନ୍ତି ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଗରିବ ଲୋକ ଏବଂ ମହିଳାଙ୍କ ଉନ୍ନତି ପାଇଁ ମାଇକ୍ରୋକ୍ରେଡିଟ୍ ବ୍ୟବସ୍ଥା କରିଥିଲେ । କ୍ଷୁଦ୍ର ଋଣ ଦେବା ପାଇଁ ୧୯୮୩ ମସିହାରେ ୟୁନୁସ ଗ୍ରାମୀଣ ବ୍ୟାଙ୍କ ସ୍ଥାପନା କରିଥିଲେ । ତେବେ ୨୦୦୮ରେ ହସିନା ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ୟୁନୁସଙ୍କ ପାଇଁ ଅଡ଼ୁଆ ବଢିଥିଲା । ହସିନା ପ୍ରଶାସନ ୟୁନୁସଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ୟୁନୁସଙ୍କ ବିରୋଧରେ ସଙ୍ଗୀନ ତଥ୍ୟ ସାମନାକୁ ଆସିଥିଲା । ଋଣ ଟଙ୍କା ଆଦାୟ ପାଇଁ ଗରିବ ମହିଳାଙ୍କୁ ନିର୍ଯାତନା ଦେଉଥିବା ଜଣାପଡ଼ିଥିଲା । ୨୦୧୧ ମସିହାରେ ୟୁନୁସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ତାଙ୍କୁ ବ୍ୟାଙ୍କର ପରିଚାଳକ ନିର୍ଦ୍ଦେଶକ ପଦରୁ ବିଦା କରାଯାଇଥିଲା ।

ଏବେ ଶେଖ ହସିନାଙ୍କ ଇସ୍ତଫା ପରେ ୟୁନୁସ ଏହାକୁ ଏକ ଉତ୍ସବ ସମୟ ବୋଲି କହିଛନ୍ତି । ୟୁନୁସ ଏହାକୁ ଏକଛତ୍ରବାଦ ସରକାରର ପତନ କହିବା ସହ ବାଂଲାଦେଶରେ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି ବୋଲି କହିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.