କେଜ୍ରିଓ୍ବାଲଙ୍କୁ ଜାମିନ୍ ପ୍ରଦାନ କରିଥିବା ଜଷ୍ଟିସ୍ ଖାନ୍ନା କିଏ ? ହେବାକୁ ଯାଉଛନ୍ତି ପରବର୍ତ୍ତୀ ସିଜେଆଇ

Published By : Prameya-News7 Bureau | May 12, 2024 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପରବର୍ତ୍ତୀ ମୁଖ୍ୟ ବିଚାରପତି କିଏ ? ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସର୍ତ୍ତ ମୂଳକ ଜାମିନ୍ ପ୍ରଦାନ କରିଥିବା ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନା ହେବେ କି ସିଜେଆଇ ? ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅବସର ପରେ ସଞ୍ଜୀବ ଖାନ୍ନା ହୋଇପାରନ୍ତି ନୂଆ ପ୍ରଧାନ ବିଚାରପତି ।   ଆସନ୍ତା ନଭେମ୍ବର ମାସରେ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟାକାଳ ଶେଷ ହେଉଛି । ଏହାପରେ ଜଷ୍ଟିସ୍ ଖାନ୍ନା ୨୦୨୪ ନଭେମ୍ବର ୧୦ ତାରିଖରୁ ୨୦୨୫ ମେ’ ୧୩ ତାରିଖ ପର୍ଯ୍ୟନ୍ତ ଏହି ପଦ ସମ୍ଭାଳିବେ । ଏବେ ସେ ସୁପ୍ରିମକୋର୍ଟର ବରିଷ୍ଠ ନ୍ୟାୟଧୀଶ ରହିଛନ୍ତି । 

ଜଷ୍ଟିସ୍ ସଞ୍ଜୀବ ଖାନ୍ନା ୨୦୧୯ରେ ସୁପ୍ରିମକୋର୍ଟ ନ୍ୟାୟଧୀଶ ଭାବେ ନିଯୁକ୍ତି ପାଇଥିଲେ । ତାଙ୍କ ନିଯୁକ୍ତି ନେଇ ବିବାଦ ମଧ୍ୟ ଦେଖା ଦେଇଥିଲା । କାରଣ ତାଙ୍କର ବୟସ ଏବଂ ଅନୁଭବ ଅନୁଯାୟୀ, ୩୩ଜଣ ଜଜ୍ ତାଙ୍କଠାରୁ ବରିଷ୍ଠ ଥିଲେ । ଏହା ପରେ ଜଷ୍ଟିସ୍ ଖାନ୍ନାଙ୍କୁ ସୁପ୍ରିମକୋର୍ଟର ନ୍ୟାୟଧୀଶ ଭାବେ ଅବସ୍ଥାପିତ କରାଯାଇଥିଲା । ନିଯୁକ୍ତିର କିଛି ଦିନ ପରେ ଏହି ମାମଲା ଥଣ୍ଡା ପଡ଼ିଯାଇଥିଲା । 

ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଜନ୍ମ ୧୯୬୦ ମେ’ ୧୪  ତାରିଖରେ । ସେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ଆଇନରେ ସ୍ନାତକ ହାସଲ କରିଥିଲେ । ୧୯୮୩ରେ ଦିଲ୍ଲୀର ଜିଲ୍ଲା ଅଦାଲତରେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ । ପରେ ଦିଲ୍ଲୀ ହାଇକୋର୍ଟ  ଏବଂ ଟ୍ରିବ୍ୟୁଲାନ୍ସରେ  ଓକିଲାତି କରିଥିଲେ । ଜଷ୍ଟିସ୍ ଖାନ୍ନା ସମ୍ବିଧାନିକ କାନୁନ୍, ଡେପେକ୍ଟ ଟ୍ୟାକ୍ସ,  ମଧ୍ୟସ୍ଥତା,  ଏବଂ କମର୍ସିଆଲ୍ ମାମଲା, କମ୍ପାନୀ ଆଇନ, ଭୂମି ଆଇନ, ପରିବେଶ ଏବଂ ପ୍ରଦୂଷଣ ଆଦି ଆଇନରେ ଓକିଲାତି କରିଛନ୍ତି ।  

୨୦୨୪ ଅପ୍ରେଲ୍ ମାସରେ ଜଷ୍ଟିସ୍ ଖାନ୍ନା ଭୋଟର ଭେରିଫିଏବଲ୍ ପେପର ଅଡିଟ୍   ଟ୍ରାଏଲ ଏବଂ ଇଲୋକ୍ଟ୍ରୋନିକ୍ ଭୋଟିଂ ମେସିନକୁ ନେଇ ଦାୟର ହୋଇଥିବା କ୍ରସ୍ ଭେରିଫିକେସନ ଆବେଦନକୁ ଖାରଜ୍ କରି ଦେଇଥିଲେ । ଗତ ମାର୍ଚ୍ଚ ମାସରେ  ଜଷ୍ଟିସ୍ ଖାନ୍ନା ଖଣ୍ଡପୀଠ ନିର୍ବାଚନ ଆୟୋଗ ନିଯୁକ୍ତି ଉପରେ ରୋକ୍ ଲଗାଇବା ଅବେଦନକୁ ମଧ୍ୟ ଖାରଜ୍ କରିଦେଇଥିଲେ । ଜଷ୍ଟିସ୍ ଖାନ୍ନା ଦିଲ୍ଲୀ ଅବକାରୀ ନୀତି ମାମଲାରେ ବିଆରଏସ ନେତ୍ରୀ କେ କବିତାଙ୍କ ଜାମିନ୍ ଆବେଦନକୁ ଶୁଣାଣି ପାଇଁ ମନା କରିଥିଲେ । ସେ କବିତାଙ୍କୁ ଟାଏଲ୍ କୋର୍ଟଙ୍କୁ ଆବେଦନ କରିବାକୁ କହିଥିଲେ । ସେହିପରି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ସୁପ୍ରିମକୋର୍ଟର ମୋଷ୍ଟ ସିନିୟର ଜଜ୍ ଭାବେ ଜଷ୍ଟିସ୍ ଖନ୍ନା ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ।  

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.