ବାପା ଥିଲେ କୁଲି, ପରିବାର ପୋଷିବା ପାଇଁ ଦିନେ ବିକ୍ରି କରୁଥିଲେ ପାଣି ବୋତଲ, ଏବେ ଭାରତକୁ ଦେଲେ ଏସିଆନ ଚାମ୍ପିଅନ୍ସ ଟ୍ରଫି

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ: ଏସିଆନ ଚାମ୍ପିଅନ୍ସ ଟ୍ରଫି ୨୦୨୪ ଫାଇନାଲରେ ଭାରତୀୟ ହକି ଟିମ୍ ଚୀନକୁ ୧-୦ରେ ପରାସ୍ତ କରିଛି । ଭାରତ ପାଇଁ ଏକମାତ୍ର ଗୋଲ୍ ଯୁଗରାଜ ସିଂହ କରିଥିଲେ । ଯୁଗରାଜଙ୍କ ଏହି ଗୋଲ୍ ବଳରେ ଭାରତ ୫ଥର ପାଇଁ ଏସିଆନ ଚାମ୍ପିଅନ୍ସ ଟ୍ରଫି ନିଜ ନାଁରେ କରିବାରେ ସଫଳ ହୋଇଛି । ଯୁଗରାଜ ମ୍ୟାଚର ୫୧ ମିନିଟରେ ଗୋଲ୍ ଦେଇ ଟିମ୍ ଇଣ୍ଡିଆକୁ ୧-୦ରେ ଲିଡ୍ ଦେଇଥିଲେ । ଏହାପରେ ଟିମ୍ ଇଣ୍ଡିଆ ଖେଳାଳି ଚୀନକୁ ବ୍ୟାକଫୁଟରେ ରଖିବାରେ ସଫଳ ହୋଇଥିଲେ । ତେବେ ଆସନ୍ତୁ ଜାଣିବା ଭାରତ ପାଇଁ ବିଜୟୀ ଗୋଲ ଦେଇଥିବା ଯୁଗରାଜ ସିଂହ କିଏ ?

ଯୁଗରାଜଙ୍କ ସିଂହଙ୍କ ଜନ୍ମ ପଞ୍ଜାବର ଅଟାରୀରେ ଏକ ଛୋଟିଆ ଗାଁରେ ହୋଇଥିଲା । ଭାରତ-ପାକିସ୍ତାନ ବର୍ଡର ନିକଟରେ ଥିବା ଅଟାରୀରେ ଅଧିକାଂଶ ସମୟରେ ଗୁଳିମାଡ଼ ଖବର ସାମନାକୁ ଆସିଥାଏ । ସ୍ଥିତି ଏପରି ହୋଇଥିଲା ଯେ ଗୁଳିମାଡ଼ ଲାଗି ରହିବା ଯୋଗୁଁ ଯୁଗରାଜଙ୍କ ଗାଁ ଖାଲି କରିବାକୁ ଅର୍ଡର ଦିଆଯାଇଥିଲା । ଯୁଗରାଜ ଅତି ସାଧାରଣ ପରିବାରରୁ ଆସନ୍ତି । ତାଙ୍କ ପିଲା ଦିନ ଅଭାବ ବିତିଛି, କିନ୍ତୁ ହକିକୁ ନେଇ ଯୁଗରାଜଙ୍କ ଦୁର୍ବଳତା ଯୋଗୁଁ ସେ ଏଥିରେ କ୍ୟାରିୟର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ହକି ଖେଳାଳି ହେବା ପୂର୍ବରୁ ଯୁଗରାଜ ପରିବାର ଚଲାଇବା ପାଇଁ ପାଣି ବୋତଲ ବିକ୍ରି କରୁଥିଲେ । ତାଙ୍କ ବାପା କୁଲି କାମ କରୁଥିଲେ ।

ହକି, ଯୁଗରାଜଙ୍କ ଜୀବନକୁ ପୂରା ବଦଳାଇ ଦେଇଛି । ଯୁଗରାଜ ନିଜ ଗାଁର ଦୁଇ ଖେଳାଳି ସମଶେର ସିଂହ ଏବଂ ଚତାରା ସିଂହଙ୍କୁ ନିଜ ଆଦର୍ଶ ବୋଲି କହୁନ୍ତି । ହକିରେ ନିଜ କ୍ୟାରିୟର ବଢାଇବା ପାଇଁ ଯୁଗରାଜ ୨୦୧୧ରେ ଜଳନ୍ଦର ଆସିଥିଲେ । ଏଠାରେ ସେ ହକି ଏକାଡେମୀରେ ଯୋଗ ଦେଇଥିଲେ । ତାଙ୍କ ଦମଦାର ସ୍କିଲ୍ ଏବଂ ଖେଳ ଦେଖି ଯୁଗରାଜ ସିଂହଙ୍କୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଟିମରେ ସାମିଲ କରାଯାଇଥିଲା । ଏଠାରେ ତାଙ୍କୁ ଷ୍ଟାଇପେଣ୍ଡ ରୂପେ କିଛି ଟଙ୍କା ମିଳିଥିଲା । କିନ୍ତୁ ୨୦୧୬ରେ ତାଙ୍କ ଜୀବନରେ ସବୁଠୁ ବଡ଼ ପରିବର୍ତ୍ତନ ଆସିଥିଲା, ଯେତେବେଳେ ସେ ଭାରତୀୟ ନୌସେନାର ଅଫିସର ଭାରେ ସାମିଲ ହୋଇଥିଲେ । ଏଥିରୁ ତାଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିଥିଲା ଏବଂ ନିଜ ଖେଳକୁ ଅଧିକ ଭଲ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.