ରାଜ୍ୟର ଏସ୍ଏଚ୍‌ଜି ଗ୍ରୁପ ପାଇଁ କିଏ କେତେ ସହାୟତା ଦେଉଛି ? ପୁଣି ଥରେ ମୁହାଁମୁହିଁ ବିଜେପି-ବିଜେଡି

Published By : Prameya-News7 Bureau | January 10, 2023 IST

ଭୁବନେଶ୍ଵର: ୨୦୨୪ ସାଧାରଣ ନିର୍ବାଚନରେ ମହିଳାଙ୍କ ଭୋଟ ହାତେଇବା ଲାଗି ଏବେଠୁ ଶାସକ ଓ ବିରୋଧୀଙ୍କ ଭିତରେ ଚାଲିଲାଣି ପ୍ରତିଯୋଗିତା । ସ୍ବଂୟ ସହାୟକ ଗୋଷ୍ଠୀଙ୍କୁ ହାତକରି ମହିଳାଙ୍କ ପାଖରେ ପହଞ୍ଚିବାକୁ ବିଜେଡି - ବିଜେପି  ଅଣ୍ଟା ଭିଡିଲେଣି । ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ରାଜ୍ୟ ଆଉ କେନ୍ଦ୍ର କିଏ କେତେ ସହାୟତା ଦେଉଛି ତାର ହିସାବ ଦେଇ ମୁହାଁ ମୁହିଁ ହୋଇଛନ୍ତି ଉଭୟ ଦଳ । ଏସଏଚଜି ଗ୍ରୁପଙ୍କୁ ବିନା ସୁଧରେ ଋଣ ଦେବାକୁ ରାଜ୍ୟ ସରକାର ଘୋଷଣା କରିବା ପରେ ଏଥିରେ କେନ୍ଦ୍ରର ଭାଗ କେତେ ଅଛି ତାର ହିସାବ ଦେଇଛି ବିଜେପି । ଆଉ ଏହାର ଜବାବ ରଖିଛି ରଖିଛି ବିଜେଡି ।

ରାଜ୍ୟର ଏସ୍ଏଚ୍‌ଜି ଗ୍ରୁପ ପାଇଁ କିଏ କେତେ ସହାୟତା ଦେଇଛି ? ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ କାହାର ରହିଛି କେତେ ଅବଦାନ ? ଦିଆଯାଇଥିବା ଅର୍ଥିକ ସହାୟତାରେ କାହାର ଭାଗ କେତେ ? ଏହାକୁ ନେଇ ଏବେ ମୁହାଁମୁହିଁ ବିଜେଡି-ବିଜେପି । ୨୦୨୪ ସାଧାରଣ ନିର୍ବାଚନରେ ମହିଳାଙ୍କ ଭୋଟ ନିଣ୍ଣାୟକ ହେବାକୁ ଥିବାବେଳେ ମହିଳାଙ୍କ ସମର୍ଥନ ହାତେଇବାକୁ ଏବେଠୁ ଶାସକ ଓ ବିରୋଧୀଙ୍କ ଭିତରେ ଚାଲିଲାଣି ପ୍ରତିଯୋଗିତା । ମିଶନ ଶକ୍ତି ମାଆମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ କରିଛନ୍ତି । କାଲି ୧୨୫କୋଟି ଟଙ୍କା ସୁଧ ରିହାତି ରାଜ୍ୟ ସରକାର ବାଣ୍ଟିବା ପରେ ଜୋର ଧରିଛି ରାଜ୍ୟ ରାଜନୀତି । ବିଜେପି କହିଛି, ମହିଳାଙ୍କୁ ସୁଧ ରିହାତି ପଛରେ ଶ୍ରେୟ କେନ୍ଦ୍ରର। କେନ୍ଦ୍ର ସରକାରଙ୍କ ଦୀନ ଦୟାଲ ଅନ୍ତୋଦୟ ଯୋଜନାରେ ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ନାବାର୍ଡ ମାଧ୍ୟମରେ କେନ୍ଦ୍ର ଦେଉଛି ଋଣ। ଦେଶର ୭୧୧ ଜିଲ୍ଲା, ୬ ହଜାର ୮୬୧ଟି ବ୍ଲକରେ ୩୩ ଲକ୍ଷ ସ୍ବୟଂ ସହାୟକମାନେ ଆର୍ଥିକ ଲାଭ ପାଉଛନ୍ତି । ମୋଟ ସୁଧ ରାଶିର ୭ ପ୍ରତିଶତ ହେଉଛି କେନ୍ଦ୍ର ସରକାରଙ୍କର, ୪ ପ୍ରତିଶତ ହେଉଛି ରାଜ୍ୟ ସରକାରଙ୍କର । ତେଣୁ ଏହି ପ୍ରସଙ୍ଗ ନେଇ ବିଜେପି ମହିଳା ମୋର୍ଚ୍ଚା ଗାଁ ଗାଁକୁ ଯିବ।

କାଲି SHG ପାଇଁ ୧୨୫କୋଟି ଟଙ୍କା ସୁଧ ରିହାତି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ବାରା ରାଜ୍ୟର ୨ଲକ୍ଷ ୫୦ହଜାର ସ୍ବୟଂ ସହାୟକ ଗୋଷ୍ଠୀ ଉପକୃତ ହୋଇଛନ୍ତି । 5T ଟେକ୍ନୋଲୋଜି ବ୍ୟବସ୍ଥାରେ ଶୀଘ୍ର ସୁଧ ରିହାତି ଏସଏଚଜି ଗୋଷ୍ଠୀର ସଦସ୍ୟଙ୍କ ଆକାଉଣ୍ଟକୁ ଯିବ । ୫ବର୍ଷରେ ୧୨ଶହ କୋଟି ଟଙ୍କାର ସୁଧ ରିହାତି ପାଇବେ  ମାଆମାନେ । ହେଲେ ବିଜେପି ଏହାକୁ ସମାଲୋଚନା କରି ଋଣ ସୁଧ ଛାଡ ପଛରେ କେନ୍ଦ୍ର ସରକାରଙ୍କ ୭ ପ୍ରତିଶତ ଅନୁଦାନ ଥିବା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାରୁ ଏହାର ଜବାବ ରଖିଛି ବିଜେଡି । ଯେଉଁମାନେ କାମ ନକରିପାରନ୍ତି ସେମାନେ ଏପରି ଅଭିଯୋଗ ଆଣନ୍ତି l ବିଜେଡି କାମରେ ବିଶ୍ବାସ କରେ ବୋଲି କହିଛି ବିଜେଡି । ସେପଟେ କଂଗ୍ରେସ କହିଛି ମହିଳାଙ୍କ ପାଇଁ ନୁହେଁ ବରଂ ଭୋଟ ହାତେଇବାକୁ ଦୁଇ ଦଳ ବିଜେପି ଓ ବିଜେଡି ଶ୍ରେୟ ରାଜନୀତିରେ ମାତିଛନ୍ତି

ରାଜ୍ୟର ପାଖା ପାଖି ୫୦ ପ୍ରତିଶତ ହେଉଛନ୍ତି ମହିଳା ଭୋଟର । ଗତ କିଛି ନିର୍ବାଚନରେ ପରୁଷଙ୍କ ଅପେକ୍ଷା  ମହିଳାଙ୍କ ମତଦାନ ହାର ଅଧିକ ରହିଛି । ଆଉ ମହିଳା ଭୋଟ ପଛରେ ନିଣ୍ଣାୟକ ଭୂମିକା ରହିଛି ଏସଏଚ୍ଜି ଗ୍ରୁପର। ସେଥିଲାଗି ମହିଳା ସଂୟ ସହାୟକ ଗୋଷ୍ଠୀଙ୍କ ପଟେ ରହିବାକୁ ଏବେ ଚାଲିଛି ପ୍ରତିଯୋଗିତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.