ଟି-୨୦ ବିଶ୍ୱ କପ୍ ପାଇଁ ଋଷଭ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ କିଏ ବେଷ୍ଟ ? ଉତ୍ତର ରଖିଲେ ଡେଲ ଷ୍ଟେନ

Published By : Prameya-News7 Bureau | June 18, 2022 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ୱିକେଟ୍ କିପର ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚତୁର୍ଥ ଟି-୨୦ରେ ୫୫ ରନର ସ୍ମରଣୀୟ ଇନିଂସ ଖେଳିଛନ୍ତି । ଏହା ଥିଲା ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ । ତାଙ୍କର ଏହି ଦମଦାର ବ୍ୟାଟିଂ ବଳରେ ଭାରତ ୬ ୱିକେଟ୍ ହରାଇ ୧୬୯ ରନ କରିବାରେ ସଫଳ ହୋଇଥିଲା । ଭାରତ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮୧ ରନରେ ହରାଇଛି । ଏବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନ ଦିନେଶ କାର୍ତ୍ତିକ ଏବଂ ଋଷଭ ପନ୍ତଙ୍କୁ ନେଇ ବୟାନ ଦେଇଛନ୍ତି । ଟି-୨୦ ବିଶ୍ୱ କପ୍ ପାଇଁ ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଜଣାଇଛନ୍ତି ଡେଲ୍ ଷ୍ଟେନ ।

ଡେଲ୍ ଷ୍ଟେନଙ୍କୁ ଇଏସପିଏନକ୍ରିକଇନମ୍ଫୋରେ ପ୍ରଶ୍ନ କରାଯାଇଥିଲା ଯେ, କଣ ଦିନେଶ କାର୍ତ୍ତିକ ଟି-୨୦ ବିଶ୍ୱ କପ୍ ପାଇଁ ଋଷଭ ପନ୍ତଙ୍କଠୁ ଭଲ ବିକଳ୍ପ ? ଏହାର ଉତ୍ତରରେ ଷ୍ଟେନ କହିଛନ୍ତି ନିଶ୍ଚିତ ଭାବେ କାର୍ତ୍ତିକ ଭଲ ବିକଳ୍ପ । ପନ୍ତଙ୍କୁ ଏହି ସିରିଜରେ ଚାରୋଟି ସୁଯୋଗ ମିଳିଛି ଏବଂ ସେ କ୍ରମାଗତ ଭୁଲ୍ କରୁଛନ୍ତି । ଭଲ ଖେଳାଳି ଭୁଲରୁ ଶିଖିଥାନ୍ତି । ମାତ୍ର ପନ୍ତ କିଛି ଶିଖୁ ନାହାନ୍ତି । କିନ୍ତୁ ଦିନେଶ କାର୍ତ୍ତିକ ପ୍ରତି ଥର ଏହା ଦେଖାଇଛନ୍ତି ଯେ, ସେ କେଉଁ ସ୍ତରର ଖେଳାଳି ।

ଷ୍ଟେନ ଏହା ମଧ୍ୟ କହିଛନ୍ତି, ଯଦି ଆପଣ ବିଶ୍ୱ କପ୍ ଜିତିବାକୁ ଚାହାନ୍ତି ତେବେ ଆପଣ ଏମିତି ଏକ ବ୍ୟକ୍ତିଙ୍କ ଚୟନ କରିବେ ଯିଏ ଆପଣଙ୍କ ପାଇଁ ବିଶ୍ୱ କପ୍ ଜିତି ପାରିବ । ଦିନେଶ କାର୍ତ୍ତିକ ସଂପ୍ରତି ଚମତ୍କାର ଫର୍ମରେ ଅଛନ୍ତି । ସେ ଯଦି ନିଜର ଏହି ଫର୍ମକୁ ଜାରି ରଖନ୍ତି ତେବେ ଟି-୨୦ ବିଶ୍ୱ କପ୍ ପାଇଁ ଭାରତୀୟ ଦଳ ଚୟନ ସମୟରେ ଶୀର୍ଷ ଖେଳାଳିଙ୍କ ମଧ୍ୟରେ ସେ ଜଣେ ରହିବେ । ଷ୍ଟେନ ଶୁକ୍ରବାର ଦିନେଶ କାର୍ତ୍ତିକ୮୍‌କ ୨୭ ବଲରୁ ୫୫ ରନର ଇନିଂସକୁ ଖୁବ୍ ପ୍ରଶଂସା କରିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନେଶ କାର୍ତ୍ତିକ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ଚାରୋଟି ମ୍ୟାଚରେ ୧୫୮.୬ ଷ୍ଟ୍ରାଇକ ରେଟରେ ୯୨ ରନ କରିଛନ୍ତି । ସେ ଡେଥ ଓଭର୍ସରେ ୧୮୬.୭ ଷ୍ଟ୍ରାଇକ ରେଟ୍ ସହିତ ୮୪ ରନ କରିଛନ୍ତି । ଅନ୍ୟପଟେ ଋଷଭ ପନ୍ତ ଚାରୋଟି ମ୍ୟାଚରେ ମାତ୍ର ୫୭ ରନ କରିବାରେ ସକ୍ଷମ ହୋଇଛନ୍ତି । ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ୍ ୧୦୫.୬ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.