ଦୁବାଇରେ ପରିବାରର ବ୍ୟବସାୟ ସାମ୍ଭାଳୁଥିବା ଅମ୍ରିତପାଲ ହଠାତ୍ କେମିତି ପାଲଟିଗଲା କୁଖ୍ୟାତ ଅପରାଧୀ ?
22/03/2023 at 7:36 PM

ଫେରାର୍ ଖଲିସ୍ତାନ ନେତା ଅମ୍ରିତପାଲ ସିଂହ। ଗୋଟିଏ ଅପରାଧି ପଛରେ ପଞ୍ଜାବ ପୁଲିସ ଓ ବିଏସ୍ଏଫ୍ ଯବାନ। ପୂରା ରାଜ୍ୟର ପୁଲିସକୁ ଚକ୍ମା ଦେଇ ଗାୟବ ହୋଇଯାଇଛି ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ଅମ୍ରିତପାଲ। କିଛି ମାସ ତଳେ ଅମ୍ରିତପାଲ ସିଂହଙ୍କୁ ପ୍ରାୟ କେହି ଜାଣି ନଥିଲେ। ହେଲେ ଏବେ ଦେଶ ଠାରୁ ବିଦେଶ, ତାକୁ ନେଇ ସବୁଠି ଚର୍ଚ୍ଚା। କିଏ ଏହି ଅମ୍ରିତପାଲ ସିଂହ ? କଣ ତାର ଉଦ୍ଦେଶ୍ୟ ? କାହିଁକି ଚାହୁଁଛି ଅଲଗା ଖଲିସ୍ତାନ ରାଷ୍ଟ୍ର ? ସବୁ ଜାଣିବା ଏହି ରିପୋର୍ଟରେ।

ପଞ୍ଜାବର ଅମ୍ରିତସର ଜିଲ୍ଲାର ଜାଲ୍ଲୁପୁର ଖେରାରେ ଅମ୍ରିତପାଲ ସିଂହ ଘର। ଦୁବାଇରେ ତାଙ୍କ ପରିବାର ଟ୍ରାନ୍ସପୋର୍ଟିଂ ବ୍ୟବସାୟ ରହିଛି। ୨୦୧୨ ପର୍ଯ୍ୟନ୍ତ ଅମ୍ରିତପାଲ ବି ଦୁବାଇରେ ରହି ବ୍ୟବସାୟ ସମ୍ଭାଳୁଥିଲା। ହେଲେ ଯେଉଁ ବର୍ଷ କୃଷି ଆଇନ୍ ନେଇ କେନ୍ଦ୍ର ବିରୋଧରେ କୃଷକ ଆନ୍ଦୋଳନ ଆରମ୍ଭ ହେଲା ସେହି ବର୍ଷ ଅମ୍ରିତପାଲ ଭାରତ ଆସି ଆନ୍ଦୋଳନରେ ସାମିଲ ହୋଇଥିଲା, ପରେ ପୁଣି ଦୁବାଇ ଫେରିଯାଇଥିଲା।

ଏପଟେ କୃଷକଙ୍କ ଆନ୍ଦୋଳନରେ ହିଂସା ଅଭିଯୋଗରେ ଗିରଫ ହୋଇ ଜାମିନରେ ମୁକୁଳିଥିଲେ ଅଭିନେତାରୁ ଆନ୍ଦୋଳନକାରୀ ସାଜିଥିବା ଦୀପ ସିଦ୍ଧୁ। ଆଉ ଜାମିନ୍ ପାଇବା ପରେ ସେ ୱାରିଶ ପଞ୍ଜାବ ଦେ ନାମକ ଏକ ସଂଗଠନ କରିଥିଲେ। ପଞ୍ଜାବର ଅଧିକାର ପାଇଁ ଲଢ଼ିବା ଏହି ସଂଗଠନର ଥିଲା ମୁଖ୍ୟ ଉଦ୍ଦେଶ୍ୟ। ହେଲେ ୨୦୨୨ରେ ଦୀପ ସିଦ୍ଧୁଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ଅମ୍ରିତପାଲ ଏହି ସଂଗଠନ ମୁଖ୍ୟ ଭାବେ ଦାୟିତ୍ୱ ନିଏ। ଏହାପରେ ବଦଳିଯାଏ ସଂଗଠନର ନୀତି ଓ ଆଦର୍ଶ। ସମର୍ଥକଙ୍କୁ ଅସ୍ତ୍ର ଉଠାଇବା ହିଂସା ପଥ ଅନୁସରଣ କରିବାକୁ ପ୍ରୋତ୍ସାହିତ କରେ ଅମ୍ରିତପାଲ।

ଅମ୍ରିତପାଲର ଏଭଳି ଆଚରଣକୁ ନେଇ ତାକୁ କୁଖ୍ୟାତ ଆତଙ୍କବାଦୀ ଭିନ୍ଦ୍ରନୱାଲେ ସହ ତୁଳନା କରାଯାଉଛି। ଭିନ୍ଦ୍ରନୱାଲେ ସେହି ଆତଙ୍କବାଦୀ ଯିଏ ଶିକ୍ଷ୍ ଧର୍ମର ଆସ୍ଥାର କେନ୍ଦ୍ର ଗୋଲ୍ଡେନ୍ ଟେମ୍ପଲକୁ ଆତଙ୍କବାଦ ପାଇଁ ବ୍ୟବହାର କରୁଥିଲା। ହିନ୍ଦୁମାନଙ୍କୁ ହତ୍ୟା କରି ଆତଙ୍କ ଖେଳଉଥିଲା ଭିନ୍ଦ୍ରନୱାଲେ। ହେଲେ ଆର୍ମି ଅପରେସନ ଗୋଲ୍ଡେନ ଟେମ୍ପଲରେ ସେନା ଭିନ୍ଦ୍ରନୱାଲେକୁ ସଫା କରି ଦେଇଥିଲା। ଅମ୍ରିତପାଲ ଏବେ ତାରି ରାସ୍ତାରେ…। ଭିନ୍ଦ୍ରନୱାଲେ ଭଳି ଟାଣିବାଣି.. ସାଙ୍ଗରେ ସଶସ୍ତ୍ରଗାର୍ଡ, ହାତରେ ଖଣ୍ଡା।

ତେବେ ଫେବ୍ରୁଆରୀ ମାସରେ ଅଞ୍ଜନାଲ ପୁଲିସ ଷ୍ଟେସନ୍ରେ ଶତାଧିକ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଚର୍ଚ୍ଚାକୁ ଆସେ ଅମ୍ରିତପାଲ ସିଂହ। ଅପହରଣ ମାମଲାରେ ପୁଲିସ ଗିରଫ କରିଥିବା ୱାରିଶ ପଞ୍ଜାବ ଦେ ସଂଗଠନର କର୍ମୀ ଲଭ୍ପ୍ରୀତ ସିଂହଙ୍କୁ ମୁକୁଳାଇବା ଶତାଧିକ କର୍ମୀଙ୍କ ସହ ଖଣ୍ଡା କଟୁରି ଧରି ଥାନାରେ ପଶେ ଅମ୍ରିତପାଲ। ଆଉ ଥାନା ଅଧିକାରୀଙ୍କ ସାମ୍ନାରେ ବସି ଦିଏ ଖୁଲମ ଖୁଲା ଧମକ। କେବଳ ସେତିକି ନୁହେଁ ବନ୍ଧୁକ ମୁନରେ ସେ ଭାରତକୁ ଭାଗ କରି ଖଲିସ୍ତାନ ଗଠନ କରିବାକୁ କହେ ସେ। କେବଳ ସେତିକି ନୁହେଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହତ୍ୟା ଧମକ ଦେଇଥିଲା ଅମ୍ରିତପାଲ। ଏହାପରେ ପ୍ରତ୍ୟେକ ଗଣମାଧ୍ୟମରେ ସିରନୋମା ପାଲଟିଯାଏ ଅମ୍ରିତପାଲ ସିଂହ।

କିଛିଦିନ ନିରବତା ପରେ ଗତ ସୋମବାର ଅମ୍ରିତପାଲି ସିଂହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା ପଞ୍ଜାବ ପୁଲିସ। ୱାରିଶ ପଞ୍ଜାବ ଦେ ସଂଗଠନ ଉପରେ ଚଢ଼ାଉ କରି ସମର୍ଥକଙ୍କୁ ଗିରଫ କରିବା ପରେ ଅମ୍ରିତପାଲକୁ ଧରିବାକୁ ଫିଲ୍ମ ଷ୍ଟାଇଲ୍ରେ ଗୋଡ଼ାଇଥିଲେ ୫୦ରୁ ଅଧିକ ପୁଲିସ ଗାଡ଼ି। ହେଲେ ପୁଲିସକୁ ଚମ୍କା ଦେଇ ସେ ଖସିଯାଇଛି। ଏବେ ତାକୁ ଖୋଜିବାକୁ ବିଏସ୍ଏଫ୍ ବି ସର୍ଚ୍ଚ ଅପରେସନରେ ବି ସାମିଲ୍ ହୋଇଛି।

ଏପଟେ ବେଆଇନ ଅସ୍ତ୍ରଶସ୍ତ୍ର ଜବତ ହେବା ପରେ ଅମ୍ରିତପାଲ ବିରୋଧରେ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି। କେବଳ ସେତିକି ନୁହେଁ ଅମ୍ରିତପାଲ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ଲିଙ୍କରେ ଥିଲା ଓ ବ୍ରିଟେନ୍ରେ ରହୁଥିବା ଖଲିସ୍ତାନୀ ଆତଙ୍କବାଦୀ ଅବତାର ସିଂହ ଖଣ୍ଡା ଲିଙ୍କରେ ରହି ଅମ୍ରିତପାଲ ଭାରତରେ ଏକ ଉଗ୍ରବାଦୀ ସେନା ଗଠନ କରିବାକୁ ଚାହୁଁଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ଭାରତରେ ହିଂସା ସୃଷ୍ଟି କରିବାକୁ ପାକିସ୍ତାନ ତାକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିଲା ବୋଲି ପୁଲିସ କହିଛି।