ମୁମ୍ବାଇ ୩୦।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏବେ ସବୁ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ। ତେବେ ବିଧାନସଭା ନିର୍ବାଚନରେ ଦୁଇଟି ମେଣ୍ଟ ମଧ୍ୟରେ ହେବ ସିଧା ଶଳଖ ମୁକାବିଲା ଓ ପ୍ରତ୍ୟେକ ମେଣ୍ଟରେ ୩ଟି ଲେଖାଏଁ ଦଳ ସାମିଲ ହୋଇଛନ୍ତି। ଏହା ସତ୍ତ୍ୱେ ତୃଣମୂଳ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀତା ବେଶ୍ ଜଟିଳ ମନେ ହେଉଛି। ଏହାର ମୁଖ୍ୟକାରଣ ହେଉଛି ଏନସିପି ଓ ଶିବସେନା ଦୁଇ ଭାଗରେ ବାଣ୍ଟି ହୋଇଯାଇଛନ୍ତି।
ଏଣୁ ଭୋଟର କାହାପଟେ ରହିବେ ତାହାହିଁ ବିଧାନସଭା ନିର୍ବାଚନରେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି। ଗତ ଲୋକସଭା ନିର୍ବାଚନରେ ଦେଖାଯାଇଥିଲା ଅଜିତ ପାୱାରଙ୍କ ଏନସିପି ବଦଳେ ଲୋକେ ଶରଦ ପାୱାର ଗୋଷ୍ଠୀଙ୍କୁ ସମର୍ଥନ କରିଥିଲେ। ଏଥିରେ ଉଦ୍ଧବଠାକରେ ଓ ଏକନାଥ ସିନ୍ଦେଙ୍କ ଶିବସେନା ଦୁଇ ଭାଗରେ ବାଣ୍ଟି ହୋଇଯାଇଛନ୍ତି ଓ ଗତ ସାଧାରଣ ନିର୍ବାଚନରେ ଉଭୟ ଦଳର ପ୍ରଦର୍ଶନ ପାଖାପାଖି ସମାନ ଥିଲା। ଏଥର ବି ପରିସ୍ଥିତି ଜଟିଳ ରହିଛି ଓ ଅନେକ ସିଟ୍ରେ ନୂଆ-ପୁରୁଣା ଏନସିପି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି।
ଏମିତିରେ କେଉଁ ନେତାଙ୍କୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ତାହା ଏବେ ଜଟିଳ ପ୍ରଶ୍ନ ହୋଇ ଉଭା ହୋଇଛି। ଏଥି ମଧ୍ୟରେ ଏକ ସର୍ଭେକ୍ଷଣ ହୋଇଥିଲା, ଯେଉଁଥିରେ ଏହା ଜାଣିବାକୁ ଚେଷ୍ଟା କରାଯାଇଥିଲା ଲୋକେ ମୁଖ୍ୟମନ୍ତ୍ରୀ ଭାବେ କେଉଁ ନେତାଙ୍କୁ କେତେ ପସନ୍ଦ କରୁଛନ୍ତି? ଏଥିରୁ ଯାହା ଜଣାପଡିଛି ଏକନାଥ ସିନ୍ଦେ ମହାରାଷ୍ଟ୍ର ଲୋକଙ୍କ ପ୍ରଥମ ପସନ୍ଦ । ସି-ଭୋଟର ସର୍ଭେ ଅନୁସାରେ ସିନ୍ଦେ ଏକ ନମ୍ବରରେ ଅଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଲୋକେ ଉଦ୍ଧବ ଠାକରେଙ୍କୁ ଦ୍ୱିତୀୟ ନମ୍ବରରେ ରଖୁଛନ୍ତି।
ସେହିପରି ପୁରା ୫ ବର୍ଷ ସରକାର ଚଳାଇବାରେ ସହାୟତା କରିଥିବା ବିଜେପି ନେତା ଦେବେନ୍ଦ୍ର ଫଡନବୀଶ ଲୋକଙ୍କ ତୃତୀୟ ପସନ୍ଦ। ଗତ ଦିନରେ ବିଜେପି ଘୋଷଣା କରିଥିଲା ଯେ ଆମେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢିବୁ। ହେଲେ ଏବେ ସନ୍ଦେହ ଉପୁଜିଛି ମହାଯୁତି ବିଜୟୀ ହେଲେ ମୁଖ୍ୟମନ୍ତ୍ରୀ ହେବ କିଏ?ଏପରି ସନ୍ଦେହ ଏମଭିଏକୁ ନେଇ ମଧ୍ୟ ରହିଛି। କାରଣ ମୁଖ୍ୟମନ୍ତ୍ରୀ ଚେହେରା ଭାବେ କାହାର ନାମ ଘୋଷଣା କରାଯାଇ ନାହିଁ।
ଏକନାଥ ସିନ୍ଦେଙ୍କୁ ୨୭.୫ ପ୍ରତିଶତ ଲୋକେ ମୁଖ୍ୟମନ୍ତ୍ରୀ ଭାବେ ସବୁଠୁ ଉପଯୁକ୍ତ ମନେ କରୁଛନ୍ତି। ଏଥିରେ କୋଙ୍କଣର ୩୬.୭ ପ୍ରତିଶତ ଲୋକେ ସିନ୍ଦେଙ୍କୁ ସେମାନଙ୍କ ପ୍ରଥମ ପସନ୍ଦ ମାନୁଛନ୍ତି। ସେହିପରି ମୁମ୍ବାଇର ୨୫.୩ ପ୍ରତିଶତ ଲୋକେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହାନ୍ତି। ଏଥିରେ ଉଦ୍ଧବ ଠାକରେଙ୍କ କଥା କୁହାଗଲେ ରାଜ୍ୟର ୨୨.୯ ପ୍ରତିଶତ ଲୋକେ ତାଙ୍କୁ ପ୍ରଥମ ପସନ୍ଦ ମନେ କରନ୍ତି। ଉଦ୍ଧବଙ୍କୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ମୁମ୍ବାଇ, କୋଙ୍କଣ, ମରାଠାୱାଡ, ଉତ୍ତର ମହାରାଷ୍ଟ୍ର, ବିଦର୍ଭ ଓ ପଶ୍ଚିମ ମହାରାଷ୍ଟ୍ରର ଲୋକେ ଅଛନ୍ତି। ସବୁ ସ୍ଥାନରେ ୨୩ ପ୍ରତିଶତ ଲୋକେ ଉଦ୍ଧବଙ୍କୁ ପସନ୍ଦ କରିଛନ୍ତି।
ଏବେ ବିଜେପି ନେତା ଦେବେନ୍ଦ୍ର ଫଡନବୀଶଙ୍କ କଥା କୁହାଗଲେ ତାଙ୍କୁ ୧୦.୮ ପ୍ରତିଶତ ଲୋକେ ମୁଖ୍ୟମନ୍ତ୍ରୀ ରୂପେ ପସନ୍ଦ କରନ୍ତି। ତାଙ୍କୁ ମୁମ୍ବାଇର ୧୪.୮ ପ୍ରତିଶତ ଲୋକେ ପସନ୍ଦ କରୁଥିବା ବେଳେ କୋଙ୍କଣରେ ୧୦.୪ ପ୍ରତିଶତ ଓ ବିଦର୍ଭରେ ୧୩.୭ ପ୍ରତିଶତ ଲୋକେ ପସନ୍ଦ କରୁଛନ୍ତି। ଏଥିରେ ଦୀର୍ଘ ସମୟରୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶାୟୀ ଥିବା ଅଜିତ ପାୱାରଙ୍କୁ ୩.୧ ପ୍ରତିଶତ ଲୋକେ ପସନ୍ଦ କରୁଥିବା ବେଳେ ଶରଦ ପାୱାରଙ୍କୁ ୫.୯ ପ୍ରତିଶତ ଲୋକେ ନିଜ ପସନ୍ଦର ନେତା ମାନ୍ତି।