'ବିଶ୍ୱବାସୀ ଚାହିଁଲେ ୨୦୨୨ଶେଷ ସୁଦ୍ଧା ଶେଷ ହୋଇଯିବ କରୋନା ମହାମାରୀ'; WHO ମୁଖ୍ୟ

Published By : Prameya-News7 Bureau | January 03, 2022 IST

ନୂଆଦିଲ୍ଲୀ ୦୩/୦୧ : ଆରମ୍ଭ ହୋଇଛି ବର୍ଷ ୨୦୨୨ । ଏହା ସହିତ ବିଶ୍ବରେ, ମହାମାରୀ କରୋନାର ମଧ୍ୟ ତୃତୀୟ ବର୍ଷ ଆରମ୍ଭ ହୋଇଛି। ବିଶ୍ବବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ଶେଷ ହେବ କରୋନା? କେବେ ଫେରିବ ପୂର୍ବଭଳି ସେହି ସାଧାରଣ ଜୀବନଯାପନ ? ମହାମାରୀକୁ ନେଇ ଆଉ ଏକ ବଡ ବୟାନ ଜାରିକରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । WHO ମୁଖ୍ୟ ଟେଡ୍ରୋସ୍‌ ଅଧନୋମ୍ ଘେବ୍ରିସିୟସ୍ କରୋନା ମହାମାରୀ ସହିତ ଲଢ଼ୁଥିବା ବିଶ୍ୱବାସୀଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, 'ଯଦି ଆମେ ମିଳିମିଶି ଅସମାନତା ସମାପ୍ତ କରିବା ତାହେଲେ ୨୦୨୨ ଶେଷ ସୁଦ୍ଧା କରୋନା ଭୂତାଣୁ ବିଶ୍ବରୁ ଲୋପ୍‌ ପାଇଯିବ ।'

ଟେଡ୍ରୋସ୍‌ କହିଛନ୍ତି, 'ବିଶ୍ୱବ୍ୟାପୀ ମହାମାରୀକୁ ହରାଇବା ପାଇଁ ଆମେ ପ୍ରଥମେ ଅସମାନତାକୁ ହରାଇବା ନିହାତି ଜରୁରୀ । ସେ କହିଛନ୍ତି, କୌଣସିବି ଦେଶ ମହାମାରୀ କାରଣରୁ ଅଛୁଆଁ ନୁହେଁ। ଆମ ପାଖରେ କୋଭିଡ-୧୯କୁ ରୋକିବା ଓ ଏହାର ଚିକିତ୍ସା ପାଇଁ ଉପାୟ ରହିଛି। କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଅସମାନତା ଜାରି ରହିବ ସେ ପର୍ଯ୍ୟନ୍ତ ଏହି ଭୂତାଣୁର ମୂଳପୋଛ ହେବା ମୁସ୍କିଲ । ଯଦି ଆମେ ଅସନମାନତାକୁ ସମାପ୍ତ କରିବା ତେବେ ଆମେ ମହାମାରୀକୁ ମଧ୍ୟ ମାତ୍ ଦେଇପାରିବା' ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରମୁଖ କହିଛନ୍ତି, କରୋନା ଏକ ମାତ୍ର ମହାମାରୀ ନୁହେଁ ଯାହା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚୁଛି। ଏବେ ମଧ୍ୟ ଲକ୍ଷଲକ୍ଷ ଲୋକ ନିୟମିତ ଟୀକାକରଣ, ପରିବାର ନିୟୋଜନ, ସଂକ୍ରାମକ ଓ ଅଣ ସଂକ୍ରାମକ ରୋଗର ଉପଚାରରୁ ବଞ୍ଚିତ ଅଛନ୍ତି। ସେ ଆହୁରି କହିଛନ୍ତି, ଭବିଷ୍ୟତରେ ବିଶ୍ୱକୁ ମହାମାରୀରୁ ବଞ୍ଚାଇବା ପାଇଁ WHO(ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ) ବାୟୋ ହବ ତିଆରି କରିଛି ଯାହା ଫଳରେ ସାରା ଦୁନିଆରେ ଦେଶ ଗୁଡ଼ିକ ନୂଆ ଜୈବିକ ସାମଗ୍ରୀ ଆଦାନ ପ୍ରଦାନ କରିପାରିବେ। ସୂଚନା ଥାଉକି, କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ବିଶ୍ବର ଅନେକ ଦେଶରେ କାୟା ବିସ୍ତାର କରିସାରିଛି। ଭାରତରେ ଓମିକ୍ରନ ସଂକ୍ରମଣ ସଂଖ୍ୟା ୧୭୦୦ ପାର୍‌ କରିସାରିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.