ପ୍ରଥମ ଥର ଓଡ଼ିଶାରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେପି, କିଏ ହେବ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ?

Published By : Prameya-News7 Bureau | June 05, 2024 IST

ଭୁବନେଶ୍ୱର ୫।୬: ଦୀର୍ଘ ଅଢ଼େଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ଭାବେ ଗୋଟିଏ ଚେହେରା ନବୀନ ପଟ୍ଟନାୟକଙ୍କୁ ଦେଖି ଆସୁଥିଲେ ଲୋକେ । ନବୀନ ଯୁଗର ଅବସାନ ଘଟିଛି । ୮୦ଟି ଆସନ ଦଖଲ କରି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏବେ କିଏ ନେବ ନବୀନ ସ୍ଥାନ ? କିଏ ହେବ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ?

ଦୌଡ଼ରେ ଅନେକ ବରିଷ୍ଠ ଏବଂ ଅଭିଜ୍ଞ ନେତା । କାହାକୁ ବାଛିବେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ? ସମସ୍ତଙ୍କ ମୁହଁରେ ଏବେ ଏଇ ପ୍ରଶ୍ନ । 

ଆଲୋଚନାରେ ପ୍ରଥମେ ଆସୁଛି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ । ଦୀର୍ଘ ୧୦ ବର୍ଷ ଧରି ସେ ମୋଦି ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପର୍ଣ୍ଣ ବିଭାଗ ସମ୍ଭାଳି ଆସୁଛନ୍ତି । ଓଡ଼ିଶାରେ ଦଳର ତୃଣମୂଳ ସଂଗଠନକୁ ବିଛାଇ ମଜଭୁତ କରିବାରେ ତାଙ୍କ ଭୂମିକାକୁ କେହି ଅଣଦେଖା କରି ପାରିବେ ନାହିଁ । ୨୦୧୪ରୁ୨୦୧୯ ମଧ୍ୟରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଦଳ ପରିବ୍ୟାପ୍ତ କରି ମୁଖ୍ୟ ବିରୋଧୀ ଦଳର ଗାଦିକୁ ଅକ୍ତିଆର କରିଥିଲା । ସେ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଥିଲେ ବୋଲି କୁହାଯାଉଥିଲା । ଏ ନିର୍ବାଚନରେ ସେ ସମ୍ବଲପୁର ଲୋକସଭାରୁ ଲଢ଼ି ଲକ୍ଷାଧିକ ଭୋଟରେ ନିର୍ବାଚିତ ହୋଇଛନ୍ତି । ରାଜ୍ୟଯାକ ବୁଲି ବିଜେଡି ସରକାର ବିରୋଧରେ ଘନଘନ ପ୍ରଚାର କରିବା ସହ ବିଜେପି ସପକ୍ଷରେ ଜନମତ ସୃଷ୍ଟି କରିବା ଦିଗରେ ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସେ ଆଗରେ ବୋଲି ଚର୍ଚ୍ଚା ହେଉଛି, ଯଦିଓ ସେ ବିଧାନସଭା ନିର୍ବାଚନ ଲଢ଼ି ନାହାନ୍ତି । 

ବାଲେଶ୍ୱରରୁ ଲଗାତାର ଦ୍ୱିତୀୟ ଥର ସାଂସଦ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ମଧ୍ୟ ଉଠୁଛି ମୁଖ୍ୟମନ୍ତ୍ରୀ ପଦ ପାଇଁ । ୨୦୦୪ ଓ ୨୦୦୯ରେ ସେ ନୀଳଗିରିରୁ ବିଧାୟକ ଥିଲେ । କେନ୍ଦ୍ରାପଡ଼ାର ନବନିର୍ବାଚିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ ମଧ୍ୟ ଆଲୋଚନା ହୋଇପାରେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ଏକୁଟିଆ ନିର୍ବାଚନ ଲଢ଼ି ଏ ସଫଳତା ହାସଲ କରିଛି । ପ୍ରଥମରୁ ହିଁ ସେ ବିରୋଧ କରିଥିଲେ ବିଜେଡି ସହ ପ୍ରାକ୍‌ ନିର୍ବାଚନୀ ମେଣ୍ଟ କରିବାକୁ । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ସେ ନିଜେ ଚାନ୍ଦବାଲି ଆସନରୁ ନିର୍ବାଚନ ହାରି ଯାଇଛନ୍ତି । କିନ୍ତୁ ବିଧାନସଭା ନିର୍ବାଚନ ଜିଣିଥିବା ଅନେକ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇପାରନ୍ତି । 

ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ, ପୂର୍ବ ବିଧାନସଭାର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିଜେପି ବିଧାୟକ ଦଳ ଉପନେତା ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ବ୍ରଜରାଜନଗରୁ ନିର୍ବାଚନ ଜିତିଥିବା ସୁରେଶ ପୂଜାରୀ, ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନାମ ବି ଆଲୋଚନା ହେଉଛି । 

ବିଜେଡି-ବିଜେପି ମେଣ୍ଟ ସରକାର ଚାଲିଥିବା ବେଳେ ୨୦୦ରୁ ୨୦୦୯ ମଧ୍ୟରେ ନବୀନ ମନ୍ତ୍ରିମଣ୍ଡଳରେ ଶିଳ୍ପ ଓ ସରକାରୀ ଉଦ୍ୟୋଗ, ନଗର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ କନବର୍ଦ୍ଧନ । ପାଟଣାଗଡ଼ରୁ ସେ ୧୯୯୫ରୁ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୯ରେ ପରାଜିତ ହେବା ପରେ ପୁଣି ଏବେ ବିଜୟୀ ହୋଇଛନ୍ତି । ରଣପୁର ବିଧାୟିକା ସୁରମା ପାଢ଼ୀ ବି ନବୀନ ମନ୍ତ୍ରିମଣ୍ଡଳରେ ସଦସ୍ୟା ଥିଲେ । ସମବାୟ ବିଭାଗ ଦାୟିତ୍ୱ ତୁଲାଇଥିଲେ । ଏଣୁ ସରକାର ଚଳାଇବା ଅଭିଜ୍ଞତା ରହିଛି ତାଙ୍କର । ସେହିଭଳି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବି ପରିବହନ ବିଭାଗ ମନ୍ତ୍ରୀ ଥିଲେ । ଚତୁର୍ଥ ଥର ପାଇଁ ସେ ବିଧାୟକ ନିର୍ବାଚିତ ହୋଇଛନ୍ତି ।

You Can Read :

ଘରକୁ ଫେରୁଥିବା ବେଳେ ପଡିଲେ ଭାଲୁ ହାବୁଡରେ, ଆକ୍ରମଣରେ ଚାଲିଗଲା ଜୀବନ

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.