ସ୍ମୁତି ଇରାନୀଙ୍କ ଠାରୁ ମିନାକ୍ଷୀ ଲେଖୀଙ୍କ ପର୍ଯ୍ୟନ୍ତ... ମୋଦୀ ୩.୦ରେ କଟିଲା ୨୦ ମନ୍ତ୍ରୀଙ୍କ ପତ୍ତା, କ୍ୟାବିନେଟ୍‌ରୁ ହେଲା ଛୁଟି...

Published By : Prameya-News7 Bureau | June 09, 2024 IST

ନୂଆଦିଲ୍ଲୀ ୦୯।୦୬: କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦୀ ।  ମୋଦୀଙ୍କ ସହ ନୂଆ କ୍ୟାବିନେଟ୍‌କୁ ନେଇ ଖୁବ୍‌ ଚର୍ଚ୍ଚା । ମୋଦୀଙ୍କ ସହ ୬୫ ନେତା ମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି । ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିପାରିନି ଏବଂ ଏନଡିଏ ସହଯୋଗୀତାରେ ଏହା ତୃତୀୟ ଥର ପାଇଁ ସରକାର ଗଠନ କରୁଛି। ଏଭଳି ସ୍ଥିତିରେ ଏନଡିଏର ସହଯୋଗୀ ମାନଙ୍କୁ ମଧ୍ୟ କ୍ୟାବିନେଟରେ ସ୍ଥାନ ଦିଆଯାଉଛି । ଏହି କାରଣରୁ ଏଥର କିଛି ବିଜେପିର ବଡ ନେତା କ୍ୟାବିନେଟରୁ ହଟିପାରନ୍ତି । ଚଳିତଥର ମୋଦୀ ୩.୦ ସରକାରରେ କେଉଁ ମାନଙ୍କ ପତ୍ତା କଟିଛି ଆସନ୍ତୁ ଜାଣିବା... 

ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ସ୍ମୃତି ଇରାନୀଙ୍କ ଭଳି ରାଜୀବ ଚନ୍ଦ୍ରଶେଖରଙ୍କ ପରି ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା । ସେହିଭଳି ଅନୁରାଗ ଠାକୁର ମଧ୍ୟ କ୍ରୀଡା ମନ୍ତ୍ରଣାଳୟର ପରିଚାଳନା କରୁଥିଲେ । ମୋଟ ଉପରେ ୨୦ ନେତାଙ୍କୁ ମୋଦୀ ୩.୦ ସରକାରରେ ମିଳିବନି ଏଣ୍ଟ୍ରି । କାରଣ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସମ୍ଭାବ୍ୟ ମନ୍ତ୍ରୀଙ୍କ ଏକ ବୈଠକ ହୋଇଛି । ଯେଉଁଥିରେ ଏହି ନେତାମାନେ ଦେଖିବାକୁ ମିଳିନାହାନ୍ତି । ଏଥିରୁ ସ୍ପଷ୍ଟ ଯେ ଏମାନେ  ନୂଆ ସରକାରରେ ମୋଦୀ କ୍ୟାବିନେଟରେ ହେବେନି ସାମିଲ । 

ଏଥିରେ ସ୍ମୃତି ଇରାନୀ, ଅନୁରାଗ ଠାକୁର, ରାଜୀବ ଚନ୍ଦ୍ରଶେଖର, ଅଜୟ ମିଶ୍ର ଟେନି, ଜେନେରାଲ ଭି.କେ ସିଂ, ଅଶ୍ୱିନୀ ଚୌବେ ଏବଂ ନାରାୟଣ ରାଣେଙ୍କ ନାଁ ରହିଛି । ସେହିଭଳି ଅଜୟ ଭଟ୍ଟ, ସାଧବୀ ନିରଂଜନ ଜ୍ୟୋତି, ମୀନାକ୍ଷୀ ଲେଖୀ, ରାଜକୁମାର ରଂଜନ ସିଂ, ଆର.କେ ସିଂ, ଅର୍ଜୁନ ମୁଣ୍ଡା, ନିଶିଥ ପ୍ରେମାନିକ, ସୁଭାଷ ସରକାର, ଜନ୍ ବାର୍ଲା, ଭାରତୀ ପାନୱାର, ରାଓସାହେବ ଦାନବେ, କପିଲ ପାଟିଲ, ନାରାୟଣ ରାଣେ ଏବଂ ଭାଗବତ କରାଡଙ୍କୁ କ୍ୟାବିନେଟ୍‌ରେ ସାମିଲ ହୋଇନାହାନ୍ତି । 

ତେବେ ଏହି ନେତାଙ୍କ ମଧ୍ୟରୁ କେତେକ ଅଛନ୍ତି, ଯେଉଁମାନେ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଛନ୍ତି । ସେହିପରି ଆଉ କିଛି ନେତାଙ୍କୁ ବିଜେପି ଲୋକସଭା ଟିକେଟ୍ ଦେଇନି । ଏହାବ୍ୟତୀତ କିଛି ନେତା ଅଛନ୍ତି ଯେଉଁମାନେ ଟିକେଟ୍ ପାଇ ନିର୍ବାଚନରେ ଜିତିଥିଲେ ମଧ୍ୟ ସେମାନଙ୍କୁ କ୍ୟାବିନେଟ୍ ଠାରୁ ଦୂରରେ ରଖାଯାଇଛି ।

ଜିତିଥିବା ନେତାଙ୍କ ମଧ୍ୟରେ ଅଜୟ ଭଟ୍ଟ, ଅନୁରାଗ ଠାକୁର ଏବଂ ନାରାୟଣ ରାଣେ ରହିଛନ୍ତି । ଏମାନେ ବିପୁଳ ଭୋଟ୍ ସହ ନିଜ ନିଜ ଆସନ ଜିତିଛନ୍ତି । ଏହାପରେ ମଧ୍ୟ ତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିନି ।  

ନିର୍ବାଚନ ହାରିଥିବା ନେତାଙ୍କ ମଧ୍ୟରେ ସାଧବୀ ନିରଂଜନ, ଆର.କେ ସିଂ, ଅର୍ଜୁନ ମୁଣ୍ଡା, ସ୍ମୃତି ଇରାନୀ, ରାଜୀବ ଚନ୍ଦ୍ରଶେଖର, ନିଶିଥ ପ୍ରେମାନିକ, ଅଜୟ ମିଶ୍ର ଟେନି, ସୁଭାଷ ସରକାର, ଭାରତୀ ପାନୱାର, ରାଓ ସାହେବ ଦାନବେ ଏବଂ କପିଲ ପାଟିଲ ରହିଛନ୍ତି । 

ଏହାବ୍ୟତୀତ ମିନାକ୍ଷୀ ଲେଖୀ, ରାଜକୁମାର ରଂଜନ ସିଂ, ଜେନେରାଲ୍ ଭି.କେ ସିଂ, ଜନ୍ ବାର୍ଲା ଏବଂ ଅଶ୍ୱିନୀ ଚୌବେଙ୍କୁ ଏଥର ମିଳିନଥିଲା ଟିକେଟ୍ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.