ଜବାବ ରଖିଲା ହ୍ବାଇଟ୍ ହାଉସ୍, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ବିଟରରେ ଅନଫଲୋ କରାଯିବା ଏକ ରୁଟିନ୍ ପ୍ରକ୍ରିୟା

Published By : Prameya-News7 Bureau | April 30, 2020 IST

ଓ୍ବାଶିଂଟନ୍ ୩୦।୪: ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା କରୋନା ମହାମାରୀ ସହ ଲଢୁଥିବା ବେଳେ ଏହି ସଙ୍କଟ ସମୟରେ ଭାରତ ସାହାଯ୍ୟର ହାତ ବଢାଇଥିଲା । ଏବେ ଦୁଇ ଦେଶ ମଧ୍ୟରେ ଚାଲିଛି ଟ୍ବିଟର ଓ୍ବାର । ହ୍ବାଇଟ୍ ହାଉସର ଟ୍ବିଟର ହ୍ୟାଣ୍ଡେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଅନ୍ୟାନ୍ୟ ଭାରତୀୟ ଟ୍ବିଟର ହ୍ୟାଣ୍ଡେଲକୁ ଅନଫଲୋ କରିଛି । ଫଳରେ ଏହାକୁ ନେଇ ଅନେକ ବାଦ ବିବାଦ ଉପୁଜିବା ପରେ ବର୍ତ୍ତମାନ ହ୍ବାଇଟ୍ ହାଉସ୍ ଏହାର ଜବାବ ଦେଇଛି ।

ହ୍ବାଇଟ୍ ହାଉସ କହିଛି ଯେ, ଯେତେବେଳେ ବି ଆମେରିକାର ରାଷ୍ଟ୍ରପତି କୌଣସି ଦେଶ ପରିଦର୍ଶନରେ ଯାଆନ୍ତି ସେହି ଦେଶର ଅଫିସିଆଲ ଟ୍ବିଟର ଆକାଉଣ୍ଟକୁ ହ୍ବାଇଟ୍ ହାଉସ ଫଲୋ କରିଥାଏ । ଫେବୃଆରୀ ମାସର ଯେତେବେଳେ ଡୋନାଲ୍ଡ ଟ୍ରମ୍ପ୍ ଭାରତ ଆସିଥିଲେ, ସେତେବେଳେ ହ୍ବାଇଟ୍ ହାଉସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ଟ୍ବିଟର ହ୍ୟାଣ୍ଡେଲକୁ ଫଲୋ କରିଥିଲା ।

ହ୍ବାଇଟ୍ ହାଉସର ଜଣେ ଅଧିକାରୀଙ୍କ ଅନୁଯାୟୀ ହ୍ବାଇଟ୍ ହାଉସ କେବଳ ଆମେରିକା ସରକାର ସହ ଜଡିତ ଟ୍ବିଟର ହ୍ୟାଣ୍ଡେଲକୁ ଫଲୋ କରୁଛି । କିନ୍ତୁ ରାଷ୍ଟ୍ରପତିଙ୍କ ଯେକୌଣସି ଦେଶ ଗସ୍ତ ସମୟରେ ସେହି ଦେଶର ମୁଖ୍ୟଙ୍କୁ ଫଲୋ କରାଯାଏ, ଯାହା ଦ୍ବାରା ବାର୍ତ୍ତା କ୍ରମାଗତ ଭାବରେ ରିଟ୍ବିଟ୍ ହୋଇପାରିବ । ହ୍ବାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ ଏହା ଏକ ନିତିଦିନିଆ ପ୍ରକ୍ରିୟା ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଭାରତର ଦୂତାବାସ, ଭାରତରେ ଆମେରିକାର ଦୂତାବାସ ଭଳି ଟ୍ବିଟର ହ୍ୟାଣ୍ଡେଲକୁ ହ୍ବାଇଟ୍ ହାଉସ ପକ୍ଷରୁ ଫଲୋ କରାଯାଇଥିଲା । ହ୍ବାଇଟ୍ ହାଉସ ଦ୍ବାରା ଫଲୋ କରାଯାଇଥିବା ଏହା ଏକମାତ୍ର ବିଦେଶୀ ଟ୍ବିଟର ହ୍ୟାଣ୍ଡେଲ ଥିଲା । କିନ୍ତୁ ବୁଧବାର ଦିନ ସବୁ ଟ୍ବିଟର ହ୍ୟାଣ୍ଡେଲକୁ ଅନଫଲୋ କରାଯାଇଥିଲା । ଯାହାକୁ ନେଇ ଭାରତରେ ବାଦ ବିବାଦ ସୃଷ୍ଟି ହୋଇଥିଲା ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ନିଜ ଟ୍ବିଟର ଆକାଉଣ୍ଟରେ ଏହାକୁ ସମାଲୋଚନା କରିଥିଲେ । ଏହା ଏକ ଦୁଃଖଦ ଘଟଣା ବୋଲି ସେ କହିଥିଲେ । ବୈଦେଶିକ ମନ୍ତ୍ରଣାଳୟକୁ ଆମେରିକା ସହ ଆଲୋଚନା କରିବାକୁ ନିବେଦନ ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ ଯେ, ହ୍ବାଇଟ ହାଉସର ଟ୍ବିଟର ହ୍ୟାଣ୍ଡେଲ ବର୍ତ୍ତମାନ କେବଳ ୧୩ଜଣଙ୍କୁ ଫଲୋ କରୁଛି । ସେଗୁଡିକ ଆମେରିକା ସରକାରଙ୍କ ବରିଷ୍ଠ ଲୋକଙ୍କ ଟ୍ବିଟର ହ୍ୟାଣ୍ଡେଲ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ ସରକାରୀ ଗସ୍ତରେ ଫେବୃଆରୀରେ ଭାରତ ଆସିଥିଲେ । ଟ୍ରମ୍ପ୍ ସପରିବାର ଭାରତ ଗସ୍ତରେ ଆସିଥିଲେ । ଅହମ୍ମଦାବାଦ, ଆଗ୍ରା ଏବଂ ନୂଆଦିଲ୍ଲୀରେ ଟ୍ରମ୍ପଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.