IMS ଓ ସମ୍ ଡାକ୍ତରଖାନାରେ ନୂଆ ଛାତ୍ରଛାତ୍ରୀଙ୍କ ହ୍ୱାଇଟ କୋଟ ସେରିମନି
15/12/2022 at 8:38 PM

ଭୁବନେଶ୍ୱର ୧୫/୧୨: ଚଳିତ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ଡାକ୍ତରଖାନାର ଏମ୍ବିବିଏସ୍ ଛାତ୍ରଛାତ୍ରୀମାନେ ଡାକ୍ତରି ଶପଥ ନେବା ସହ ସେମାନଙ୍କ ପାଇଁ ଧଳା କୋଟ ସମାରୋହ (ହ୍ୱାଇଟ୍ କୋଟ ସେରିମନି) ଆୟୋଜିତ ହୋଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନେ ଡାକ୍ତରି ଶପଥ ନେବା ସହ ସେବା ଓ ମୂଲ୍ୟବୋଧ ଭିତ୍ତିକ ଚିକିତ୍ସା କରିବା ପାଇଁ ଶପଥ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଯୋଗ ଦେଇ ନୂତନ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଲ ଡାକ୍ତର ଓ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଛନ୍ତି।
ଆଇଏମ୍ଏସ୍ ଓ ସମ୍ ଡାକ୍ତରଖାନାର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ସୋଆର କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ (ସ୍ନାୟବିକ ଶଲ୍ୟ ଚିକିତ୍ସା ବିଶେଷଜ୍ଞ) ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ଦେଇ ସେମାନଙ୍କ ଜୀବନରେ ନୈତିକତାକୁ ପାଥେୟ କରି ଭଲ ଡାକ୍ତର ଓ ଭଲ ନାଗରିକ ହେବାକୁ କହିଛନ୍ତି। ସେ କହିଥିଲେ ଯେ ଡାକ୍ତରୀ ବୃତ୍ତିରେ ଚିକିତ୍ସକମାନଙ୍କର ଆଚାର ଓ ବ୍ୟବହାର ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି।

ଏଥିରେ ଡାକ୍ତରି ପାଠ୍ୟକ୍ରମରେ ନୂଆ ଯୋଗ ଦେଇଥିବା ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଓ ଡାକ୍ତରଖାନାର ଚିକିତ୍ସାଳୟ ନିରିକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅତିରିକ୍ତ ଡିନ୍ ପ୍ରଫେସର ଅଜୟ କୁମାର ଜେନା, ଉପ ଚିକିତ୍ସାଳୟ ନିରିକ୍ଷକ ପ୍ରଫେସର ରାଜେଶ କୁମାର ଲେଙ୍କା, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।