‘ନିଜ ଛାତରୁ ସିଟି ମାରିବାର ଅର୍ଥ ମହିଳାଙ୍କ ସହ ଅସଦାଚରଣ କରିବା ନୁହେଁ’: ବମ୍ବେ ହାଇକୋର୍ଟ
25/01/2023 at 5:55 PM

ନୂଆଦିଲ୍ଳୀ, ୨୫/୦୧: ନିଜ ଛାତରୁ ସିଟି ମାରିବାର ଅର୍ଥ ମହିଳାଙ୍କ ସହ ଅସଦାଚରଣ କରିବା ନୁହେଁ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ। ପ୍ରକୃତରେ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ, ଜଣେ ମହିଳାଙ୍କୁ ଅସଦାଚରଣ ମାମଲାରେ ଏହି ଉକ୍ତିରେ ତିନି ଅଭିଯୁକ୍ତଙ୍କୁ ଜାମିନ୍ ଦେଇଛନ୍ତି। ଏହି ଅଭିଯୁକ୍ତଙ୍କ ଉପରେ ଛାତରୁ ସିଟି ବଜାଇ ମହିଳାଙ୍କ ସହ ଅସଦାଚରଣ କରିବା ନେଇ ଅଭିଯୋଗ ହୋଇଥିଲା। ଏହି ସମୟରେ କୋର୍ଟ କହିଛନ୍ତି ଯେ କେହି ବ୍ୟକ୍ତି ନିଜ ଘରେ କେଉଁଭଳି ଶବ୍ଦ କରୁଛି, ତାହାର ଅର୍ଥ ଏହା ନୁହେଁ ଯେ ଏଭଳି ମହିଳାଙ୍କ ସହ ଅସଦାଚରଣ ଉଦ୍ଦେଶ୍ୟରେ କରାଯାଉଛି।
ପ୍ରକୃତରେ ଅହମଦନଗର ତିନି ବ୍ୟକ୍ତି ଲକ୍ଷ୍ମଣ, ଯୋଗେଶ ଏବଂ ସବିତା ପାଣ୍ଡବଙ୍କ ଉପରେ ଜଣେ ମହିଳା ଅନୁସୂଚିତ ଜାତି ଏବଂ ଜନଜାତି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ସେଶନ୍ କୋର୍ଟ ତିନି ଜଣକ ଜାମିନ୍ ରଦ୍ଧ କରିଥିଲା। ଏହାକୁ ନେଇ ତିନି ଜଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଉ ସେମାନଙ୍କ ଯାଚିକା ଉପରେ ଶୁଣାଣି କରି ଜଷ୍ଟିସ୍ ବିଭା କଙ୍କଡ଼ଓ୍ବାଡ଼ି ଏବଂ ଅଭୟ ବାଘବାସେ ତିନି ଜଣଙ୍କୁ ଜାମିନ୍ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଏବଂ ପୀଡ଼ିତାଙ୍କ ପଡ଼ୋଶୀ। ପୀଡ଼ିତା ଅଭିଯୋଗ କରିଛନ୍ତି ଯୋଗେଶ ତାଙ୍କୁ ଖରାପ ଉଦ୍ଦେଶ୍ୟରେ ଦେଖୁଥିଲା। ଆରମ୍ଭରେ ସେ ଯୋଗେଶଙ୍କୁ ଅଣଦେଖା କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏହା ପରେ ଯୋଗେଶ ଭିଡିଓ କରିବା ଆରମ୍ଭ କରିଥିଲା ଏନେଇ ଯୋଗେଶଙ୍କ ଘର ମାଲିକଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। କିନ୍ତୁ କିଛି ଫରକ ପଡ଼ିନଥିଲା। ଏହାପରେ ଯୋଗେଶ ତାଙ୍କୁ ଜାତିଆଣ ଆକ୍ଷେପ କରିଥିଲା। ଏହାପରେ ବି ସେ ସେ ତାଙ୍କୁ ଅଣଦେଖା କରିଥିଲେ।
କିନ୍ତୁ ମାର୍ଚ୍ଚ ୨୦୨୨ ରେ ଯୋଗେଶ ନିଜ ଛାତରୁ ତାଙ୍କୁ ଦେଖି ସିଟି ବଜାଇବାକୁ ଲାଗିଥିଲା। ସେ ବାସନ ଏବଂ ଗାଡ଼ି ହର୍ଣ୍ଣ ବଜାଉଥିଲା ତଥା ଭିନ୍ନ ଭିନ୍ନ ଶବ୍ଦ କରୁଥିଲା। ପୀଡ଼ିତାଙ୍କ ଅନୁଯାୟୀ, ୨୪ ମାର୍ଚ୍ଚରେ ଯୋଗେଶ ଏବଂ ତାଙ୍କ ପରିବାର ପଥର ମାରିଥିଲେ। ଏଥରେ ସେ ଆଘାତ ମଧ୍ୟ ହୋଇଥିଲେ। ଏହାପରେ ସେ ଯୋଗେଶଙ୍କ ସହ କଥା ହେବାକୁ ଯାଇଥିଲେ । କିନ୍ତୁ ସେ ତାଙ୍କୁ ପୁଣି ଥରେ ଜାତିଆଣ ଆକ୍ଷେପ କରିଥିଲା।
ସେପଟେ ଅଭିଯୁକ୍ତଙ୍କ ଓକିଲ କହିଛନ୍ତି ମହିଳା ଏହି ମାମଲାରେ ବିଳମ୍ବରେ ମକଦ୍ଧମା ରୁଜୁ କରିଛନ୍ତି। ସେ କହିଛନ୍ତି ଯେ ମହିଳା ଘଟଣାର ତିନି ମାସ ପରେ ମାମଲା ରୁଜୁ କରିଛନ୍ତି। ଯାହା ପ୍ରତିଶୋଧ ପାଇଁ କରାଯାଇଛି। ଯୋଗେଶଙ୍କ ତରଫରୁ ମଧ୍ୟ ମହିଳା ଏବଂ ତାଙ୍କ ସ୍ବାମୀଙ୍କ ଉପରେ ମାମଲା ରୁଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ମହିଳା ଏବଂ ତାଙ୍କ ସ୍ବାମୀ ସେହି ଘର କିଣିବାକୁ ଚାହୁଛନ୍ତି। ଯେଉଁଠାରେ ଯୋଗେଶ ନିଜ ପରିବାର ସହ ରହୁଛନ୍ତି। ଯେତେବେଳେକି ମାଲିକ ଏହାକୁ ବିକ୍ରି କରିବାକୁ ଇଚ୍ଛା ନାହିଁ।