ଡାକ୍ତରଖାନାରୁ ଅଟୋରେ ଘରକୁ ଫେରୁଥିବା ବେଳେ ମାଡ଼ିବସିଲା ଗଛ, ବାପ-ପୁଅ ଗୁରୁତର

Published By : Prameya-News7 Bureau | August 14, 2022 IST

କେନ୍ଦୁଝର, ୧୪/୮: କେନ୍ଦୁଝର ଟାଉନ ଥାନା ହଳଦିଆ ଟାଙ୍ଗିରି ଠାରେ ଅଘଟଣ । ଲଗାଣ ବର୍ଷାରେ ଏକ ବିଶାଳକାୟ ତେନ୍ତୁଳି ଗଛ ଉପୁଡି ରାସ୍ତାରେ ଯାଉଥିବା ଏକ ଅଟୋ ଉପରେ ପଡ଼ିଯାଇଥିବା ଜଣାପଡ଼ିଛି । ଫଳରେ ଅଟୋରେ ଯାଉଥିବା ବାପ- ପୁଅ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଲଗାଣ ବର୍ଷା ଜାରି ରହିଥିବା ବେଳେ କେନ୍ଦୁଝର ଟାଉନ ଥାନା ନରଣପୁର ରୁଗୁଡି ସାହିର ଦୁର୍ଯ୍ୟୋଧନ ବେହେରା ପୁଅ ଶରତ ବେହେରାଙ୍କୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ଡାକ୍ତରଖାନାରୁ ଘରକୁ ଫେରୁଥିବା ବେଳେ ହଳଦିଆ ଟାଙ୍ଗିରି ଠାରେ ହଠାତ ଏକ ବିଶାଳ ତେନ୍ତୁଳି ଗଛ ଅଟୋ ଉପରେ ଉପୁଡି ପଡିଯିବାରୁ ଉଭୟ ବାପ ଓ ପୁଅ ଗୁରୁତର ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ଏକ ଲମ୍ବା ଦଉଡି ସାହାଯ୍ୟରେ ଗଛକୁ ସାଇଡ କରିବା ପରେ ବହୁ କଷ୍ଟରେ ଉଭୟଙ୍କୁ ଉଦ୍ଧାର କରିଥିଲେ।

ଦୁର୍ଯ୍ୟୋଧନ ବେହେରା ଚେତାଶୂନ୍ୟ ଥିବାବେଳେ ଶରତ ବେହେରଙ୍କ ଗୋଡ଼ ଓ ହାତ ଭାଙ୍ଗିଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ, ଟାଉନ ପୋଲିସ ଘଟଣା ସ୍ଥଳରେ ଗଛକୁ କାଟିବା ସହ ଉଭୟ ପାଖରେ ଠିଆ ହୋଇଥିବା ଗାଡି ଗୁଡିକ ଯାତାୟାତରେ ବ୍ୟବସ୍ଥା କରିଥିଲେ। ୧୦୮ ଆମ୍ବୁଲାନ୍ସ ଡକାଇ ୨ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଅନ୍ୟ ପକ୍ଷରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୨ ଜଣ ବ୍ୟକ୍ତି ଗୁରୁତର ଥିବାରୁ କ୍ଷତିପୂରଣ ପ୍ରଦାନ ନେଇ ପରିବାର ବର୍ଗ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.