ଅଭିଭାଷଣ ପଢୁଥିଲେ, ଅଚାନକ୍ ସିଟ୍ରୁ ଉଠି ଗୃହରୁ ଚାଲିଗଲେ ରାଜ୍ୟପାଳ, ଆଉ ପଛରେ…
9/01/2023 at 6:22 PM

ଚେନ୍ନାଇ: ଅଭିଭାଷଣ ପଢୁଥିଲେ, ଅଚାନକ୍ ସିଟ୍ରୁ ଉଠି ଗୃହରୁ ଚାଲିଗଲେ ରାଜ୍ୟପାଳ। ଆଉ ତାଙ୍କ ପଛେ ପଛେ ଯାଇ ନାରାବାଜି କରିଛନ୍ତି ଡିଏମକେ ବିଧାୟକ। ଏମିତି ଅଭାବନୀୟ ଦୃଶ୍ୟ ତାମିଲନାଡୁ ବିଧାନସଭାରେ ଦେଖିବାକୁ ମିଳିଛି। ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ରାଜ୍ୟପାଳ ଆରଏନ ରବିଙ୍କ ମଧ୍ୟରେ ଅଭିଭାଷଣକୁ ନେଇ ବିବାଦ ଏତେ ଘନୀଭୂତ ହୋଇଛି ଯେ, ରାଜ୍ୟପାଳ ବିଧାନସଭାର ଗୃହ କାର୍ଯ୍ୟକୁ ବହିଷ୍କାର କରିଛନ୍ତି।
ମାହୋଲ ସେହି ସମୟରେ ଆହୁରି ଖରାପ ହୋଇଥିଲା ଯେବେ ରାଜ୍ୟପାଳ ନିଜ ଆସନରୁ ଉଠି ଗୃହ ବାହାରକୁ ଯାଉଥିଲେ, ସେହି ସମୟରେ ଡିଏମକେ ବିଧାୟକ ତାଙ୍କ ପଛରେ ଯାଇ ନାରାବାଜି କରିଛନ୍ତି। ବିବାଦର କାରଣ ହେଉଛି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଚାହୁଁଥିଲେ ଅଭିଭାଷଣର କେବଳ ସେହି ଶବ୍ଦକୁ ରେକର୍ଡ କରାଯାଉ ଯାହା ତାଙ୍କ ପକ୍ଷରୁ ଦିଆଯାଇଥିଲା। ଏହା ବାଦ୍ ରାଜ୍ୟପାଳ ଯାହା ଯୋଡିବେ ତାକୁ ରେକର୍ଡ ବାହାରେ ରଖାଯାଉ। ମୁଖ୍ୟମନ୍ତ୍ରୀ ବାଚସ୍ପତିଙ୍କ ସାମ୍ନାରେ ଏହି ପ୍ରସ୍ତାବ ରଖିଥିଲେ। ଏହାକୁ ନେଇ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରି ଗୃହରୁ ଚାଲି ଯାଇଥିଲେ। ତାଙ୍କ ଯିବା ପରେ ହିଁ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା।
#WATCH | Chennai: Governor RN Ravi walks out of Tamil Nadu assembly after CM MK Stalin alleged Governor R N Ravi skipped certain parts of the speech & "has completely gone against the decorum of the assembly."
— ANI (@ANI) January 9, 2023
(Video Source: Tamil Nadu Assembly) pic.twitter.com/KGPmvRMQCu
ଅଭିଭାଷଣକୁ ରାଜ୍ୟ ସରକାର ପ୍ରସ୍ତୁତ କରିଥିଲେ ଏବଂ ବାଚସ୍ପତି ଏହାର ଅନୁବାଦ କରିଥିଲେ। ସରକାରଙ୍କ ପକ୍ଷରୁ ଲେଖା ଯାଇଥିବା ଭାଷଣରେ ଧର୍ମ ନିରପେକ୍ଷ, ତାମିଲନାଡୁକୁ ଶାନ୍ତିର ଘର ଦର୍ଶାଇବା, ପେରିୟାର, ବିଆର ଆମ୍ବେଦକର, କେ କାମରାଜ, ସିଏନ ଅନ୍ନାଦୁରାଇ, କରୁଣଆନିଥିଙ୍କ ପରି ନେତାଙ୍କ ବିଷୟରେ ସାମିଲ୍ କରାଯାଇଥିଲା। ହେଲେ ରାଜ୍ୟପାଳ ଏହି ସବୁ କଥାକୁ ଛାଡି ଦେଇଥିଲେ। ଡିଏମକେ ଦ୍ଵାରା ପ୍ରମୋଟ୍ କରାଯାଇଥିବା ଦ୍ରାବିଡିୟନ ମଡେଲ୍ ବିଷୟରେ ବି ନିଜ ଅଭିଭାଷଣରେ ଉଲ୍ଲେଖ କରିନଥିଲେ।
ରାଜ୍ୟପାଳ ଯେତେବେଳେ ଭାଷଣ ଦେଉଥିଲେ ସେହି ସମୟରେ ଗୃହରେ ଡିଏମକେ ବିଧାୟକ ହଟ୍ଟଗୋଳ କରିଥିଲେ। ଏହା ପରେ ରାଜ୍ୟପାଳ ଭାଷଣ ବନ୍ଦ କରି ଗୃହରୁ ଚାଲି ଯାଇଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି, ରାଜ୍ୟପାଳ ଯାହା କରିଛନ୍ତି ତାହା ଗୃହର ପରମ୍ପରା ବିରୋଧୀ। ଅନ୍ୟପକ୍ଷେ ଡିଏମକେର ମେଣ୍ଟ ଦଳ କଂଗ୍ରେସ, ଭିସିକେ, ସିପିଆଇ ଏବଂ ସିପିଆଇ(ଏମ) ପୂର୍ବୁ ରାଜ୍ୟପାଳଙ୍କ ଅଭିଭାଷଣକୁ ବହିଷ୍କାର କରିଥିଲା।
ଏହି ଦଳଗୁଡିକର ଅଭିଯୋଗ ଏହା ଯେ, ବିଶ୍ଵ ବିଦ୍ୟାଳୟର କୁଳପତି ନିଯୁକ୍ତିକୁ ନେଇ ରାଜ୍ୟପାଳଙ୍କ ଅଧିକାର ସଙ୍କୁଚିତ କରାଯିବା ଏବଂ ଅନଲାଇନ୍ ବେଟିଂ ଉପରେ ରୋକ୍ ଲଗାଇବା ପାଇଁ ଉପସ୍ଥାପିତ ବିଧେୟକକୁ ରାଜ୍ୟପାଳ ମଞ୍ଜୁର ଦେଉ ନାହାନ୍ତି। ଗୃହରେ ଏମିତି ୨୧ ବିଲ୍ ପଡି ରହିଛି ଯାହାକୁ ରାଜ୍ୟପାଳ ମଞ୍ଜୁରୀ ଦେଇ ନାହାନ୍ତି। ରାଜ୍ୟପାଳ ରବିଙ୍କ ବିରୋଧରେ ଗୃହରେ ‘କ୍ଵିଟ୍ ତାମିଲନାଡୁ’ ନାରା ଲଗାଇଥିଲେ।