ସେମିଫାଇନାଲ ଚିତ୍ର ହେଲା ସ୍ପଷ୍ଟ : କାହା ବିପକ୍ଷରେ କିଏ ଓ କେବେ ଖେଳିବ ଜାଣନ୍ତୁ

Published By : Prameya-News7 Bureau | July 04, 2019 IST

କ୍ରିକେଟ ବିଶ୍ବକପ ଏବେ ଏକ ନିଣ୍ଣାୟକ ମୋଡରେ ପହଞ୍ଚିଛି  । ସେମିଫାଇନାଲରେ କେଉଁ ଚାରିଟି ଟିମ ଖେଳିବେ ତାହା ଆପାତତଃ ସ୍ପଷ୍ଟ ହୋଇଯାଇଛି । ଅଷ୍ଟ୍ରେଲିଆ ପ୍ରଥମ ଟିମଭାବେ ସେମିଫାଇନାଲରେ ପ୍ରବେଶ କରିସାରିଥିବାବେଳେ ଦ୍ବିତୀୟ ଟିମ ଭାବେ ଭାରତ ମଧ୍ୟ ସେମିଫାଇନାଲରେ ନିଜ ସ୍ଥିତି ସୁଦୃଢ କରିସାରିଛି । ଗତକାଲି ନ୍ୟୁଜଲାଣ୍ଡକୁ ପରାସ୍ତ କରିବାପରେ ତୃତୀୟ ଟିମ ଭାବେ ଇଂଲଣ୍ଡ ମଧ୍ୟ ସେମିଫାଇନାଲକୁ ପ୍ରବେଶ କରିଛି କହିଲେ ଭୁଲ ହେବ ନାହିଁ ।

ଅପରପକ୍ଷରେ ସେମିଫାଇନାଲରେ ୪ର୍ଥ ଟିମ କିଏ ତାହା ସ୍ପଷ୍ଟ ହେଉନଥିଲେ ମଧ୍ୟ ନ୍ୟୁଜଲାଣ୍ଡ ହିଁ ସେମିଫାଇନାଲ ଖେଳିବ ବୋଲି ଆପାତତଃ ଆକଳନ କରାଯାଉଛି । କାରଣ ଇଂଲଣ୍ଡ ସହ ଗତକାଲି ପରାସ୍ତ ହେବାପରେ ମଧ୍ୟ ନ୍ୟୁଜଲାଣ୍ଡର ରନ ରେଟ ପାକିସ୍ତାନଠାରୁ ଯଥେଷ୍ଟ ଆଗରେ ରହିଛି । ଏପରିକି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ପାକିସ୍ତାନ ବିଜୟୀ ହେଲେ ମଧ୍ୟ ନ୍ୟୁଜଲାଣ୍ଡ ରନ ରେଟକୁ ଅତିକ୍ରମ କରିବା ସମ୍ଭାବନା ନାହିଁ । ତେଣୁ ଅଷ୍ଟ୍ରେଲିଆ , ଭାରତ, ଇଂଲଣ୍ଡ ଓ ନ୍ୟୁଜଲାଣ୍ଡ ସେମିରେ ଖେଳିବେ ବୋଲି କୁହାଯାଇପାରେ ।

ତେବେ ଏବେ ପ୍ରଶ୍ନ ଉଠୁଛି ସେମିଫାଇନାଲରେ କୋଉ ଟିମ କାହାସହ ଖେଳିବ ଏବଂ କେବେ ଖେଳିବ । ଏହାର ଉତ୍ତର ଆସନ୍ତା ୬ତାରିଖରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆପ୍ରିକା ମ୍ୟାଚ ପରେ ହିଁ ସ୍ପଷ୍ଟ ହେବ । ଆସନ୍ତା ୬ ତାରିଖରେ ଯଦି ଅଷ୍ଟ୍ରେଲିଆ- ଦକ୍ଷିଣ ଆଫ୍ରିକା ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୁଏ ତାହେଲେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ଜୁଲାଇ ୧୧ ତାରିଖରେ ସେମି ଫାଇନାଲ ଅନୁଷ୍ଠିତ ହେବ । ସେହିଭଳି ଆଉ ଏକ ସେମି ଫାଇନାଲ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

ତେବେ ଭାରତ ଯଦି ଶ୍ରୀଲଙ୍କା ସହିତ ଶେଷ ଲିଗ ମ୍ୟାଚରେ ବିଜୟୀ ହୁଏ ଏବଂ ଅଷ୍ଟ୍ରେଲିଆ ଯଦି ଶେଷ ଲିଗ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଯାଏ ତାହେଲେ ସେମି ଫାଇନାଲର ସମିକରଣ ସମ୍ପୁଣ୍ଣ ବଦଳିଯିବ । କାରଣ ଭାରତ ପଏଣ୍ଟ ତାଲିକାରେ ସବୁଠୁ ଆଗରେ ରହିବ । ନିୟମ ଅନୁସାରେ ସେମି ଫାଇନାଲକୁ ଉତ୍ତୀର୍ଣ ହୋଇଥିବା ୪ଟି ଟିମ ମଧ୍ୟରେ ଏକ ନମ୍ବରରେ ଥିବା ଦଳ ୪ ନମ୍ବରରେ ଥିବା ଦଳ ସହ ଖେଳିବ । ଫଳରେ ଏକ ନମ୍ବର ଭାରତ ୪ ନମ୍ବର ନ୍ୟୁଜିଲାଣ୍ଡ ସହିତ ସେମିଫାଇନାଲ ଖେଳିବ । ଏଭଳି ସ୍ଥିତି ହେଲେ ସେମିଫାଇନାଲରେ ଭାରତ ପ୍ରବେଶ କରିବା ସହଜ ହୋଇଯିବ । କାରଣ ଇଂଲଣ୍ଡ ଅପେକ୍ଷା ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ଭାରତ ପାଇଁ ସହଜ ହେବ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.