ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ବିରାଟ କୋହଲିଙ୍କୁ ଛୁଟି ମିଳିବ କି ନାହିଁ, ୨୪ ଘଣ୍ଟାରେ ହେବ ନିଷ୍ପତ୍ତି !

Published By : Prameya-News7 Bureau | July 11, 2022 IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ସରିବା ପରେ ଭାରତୀୟ ଦଳ ଓ୍ଵେଷ୍ଟଇଣ୍ଡିଜ ଗସ୍ତ କରିବ। ସେଠାରେ ଦୁଇ ଦଳ ମଧ୍ୟରେ ୩ ଦିନିକିଆ ଏବଂ ୫ ଟି-୨୦ ମ୍ୟାଚ ଖେଳାଯିବ। ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଥିବା ବେଳେ ଟି-୨୦ ସିରିଜ୍ ପାଇଁ ଘୋଷଣା ବାକି ରହିଛି। କୁହାଯାଉଛି ବିରାଟ କୋହଲିଙ୍କୁ ଦିନିକିଆ ପରି ଟି-୨୦ ସିରିଜରୁ ମଧ୍ୟ ବିଶ୍ରାମ ଦିଆଯାଇପାରେ।

ଏମିତିରେ ବିସିସିଆଇ ଟି-୨୦ ସିରିଜରେ ବିରାଟ କୋହଲିଙ୍କୁ ବିଶ୍ରାମ ଦେବା ଉପରେ କୌଣସି ତରବରିଆ ଭାବେ ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବିଶ୍ଵ କପ୍ ଦୃଷ୍ଟିରୁ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ଏହାକୁ ନଜରରେ ରଖି ଚୟନ କମିଟି ବୈଠକ ସମୟରେ କୋହଲିଙ୍କୁ ବିଶ୍ରାମ ଦେବେ କି ନାହିଁ ତା ଉପରେ ବିଚାର କରିବେ।

ଚୟନ କମିଟିର ଜଣେ ସଦସ୍ୟ କହିଛନ୍ତି, ଯଦି କୌଣସି ଖେଳାଳି ବିଶ୍ରାମ ନେବାକୁ ଚାହାନ୍ତି ତେବେ ଆପଣ ତାଙ୍କୁ ମନା କରି ପାରିବେ ନାହିଁ। କିନ୍ତୁ ଫର୍ମରେ ନଥିବା ଖେଳାଳିଙ୍କ ପାଇଁ ବିଶ୍ରାମ ନେବା ଉଚିତ୍ ନୁହେଁ। ହେଲେ ଆମେ ଖେଳାଳିଙ୍କୁ ଖେଳିବା ପାଇଁ ବାଧ୍ୟ କରି ପାରିବୁ ନାହିଁ। ବିରାଟଙ୍କ ଉପରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ହୋଇ ନାହିଁ। ଆମେ ଦଳ ଘୋଷଣା କରିବା ପୂର୍ବରୁ ଅଧିନାୟକ ଏବଂ କୋଚ୍‌ଙ୍କ ସହିତ ଏହି ବିଷୟରେ ଆଲୋଚନା କରିବୁ।

ବିରାଟ କୋହଲି ସଂପ୍ରତି  ନିଜ କ୍ୟାରିୟରର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି। ଭାରତର ପୂର୍ବତନ ଅଧିନାୟକ କପିଲ୍ ଦେବଙ୍କ ସହିତ ଅନେକ ପୂର୍ବତନ କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ରେ ଜାଗା ଦେବା ନେଇ ପ୍ରଶ୍ନ ଉଠାଇଛନ୍ତି। କୋହଲି ପାଖାପାଖି ପାଞ୍ଚ ମାସ ପରେ ଟି-୨୦ ସିରିଜ୍ ଖେଳିବା ପାଇଁ ମଇଦାନକୁ ଓହ୍ଲାଇଥିଲେ। ହେଲେ ମୋଟ୍ ୧୨ରନ କରି ପାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.