ସିଦ୍ଧୁ ଯେଉଁଠୁ ବି ନିର୍ବାଚନ ଲଢିବେ, ମୁଁ ଜିତିବାକୁ ଦେବିନି : କ୍ୟାପଟେନ୍‌ ଅମରିନ୍ଦର ସିଂହ

Published By : Prameya-News7 Bureau | September 30, 2021 IST

ଚଣ୍ଡିଗଡ ୩୦/୦୯ : ପଞ୍ଜାବ ରାଜନୀତିରେ ବିବାଦ ଥମିବାର ନା ନେଉନାହିଁ । ଦଳୀୟ କନ୍ଦଳ ଉଗ୍ରରୂପ ଧାରଣ କରିଥିବା ବେଳେ ସିଦ୍ଧୁ-ଅମରିନ୍ଦର ବିବାଦ ଚରମ ସୀମାରେ ପହଞ୍ଚିଛି । ଦୁଇ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରିବା ପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ଚଣ୍ଡିଗଡ଼ ଫେରିଛନ୍ତି । ସେଠା​‌ରେ ପ୍ରତିକ୍ରିୟା ଦେଇ କ୍ୟାପଟେନ୍‌ କହିଛନ୍ତି ଯେ, ସେ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗଦେବେ ନାହିଁ । ଏଭଳି ପରିସ୍ଥିତିରେ ଅମରିନ୍ଦର ସିଂ ଏକ ଅଲଗା ଦଳ ଗଠନ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ତେବେ ସହଯୋଗୀଙ୍କ ସହ ଆଲୋଚନା ପରେ ହିଁ ରଣନୀତି ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି ।

ଚଣ୍ଡିଗଡ଼ରେ ପହଞ୍ଚିଥିବା ଅମରିନ୍ଦର ସିଂ, ନବଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ଆସନ୍ତା ବିଧାନସଭା ନିର୍ବାଚନରେ ​​ସେ ଯେଉଁଠି ବି ଲଢନ୍ତୁ ମୁଁ ତାଙ୍କୁ ଜିତିବାକୁ ଦେବି ନାହିଁ । ପଞ୍ଜାବ ପାଇଁ ସିଦ୍ଧୁ ଠିକ୍ ନୁହଁନ୍ତି ।’ ସେ କହିଛନ୍ତି ଯେ ଦଳ ଚଳାଇବା ସିଦ୍ଧୁଙ୍କ କାମ। ସିଏମ୍ ଚରଣଜିତ୍ ଚନ୍ନିଙ୍କ କାମ ହେଉଛି ସରକାର ଚଳାଇବା । ସରକାର ଚଳାଇବାରେ ସିଦ୍ଧୁଙ୍କର କୌଣସି ହସ୍ତକ୍ଷେପ ହେବା ଉଚିତ ନୁହେଁ।

କ୍ୟାପଟେନ୍‌ କହିଛନ୍ତି ଯେ, ମୋର ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅନେକ ସଭାପତି ରହିଛନ୍ତି କିନ୍ତୁ ସିଦ୍ଧୁ ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ତେବେ କେବେବି ଗ୍ରହଣୀୟ ନୁହେଁ । ସୂଚନାଯୋଗ୍ୟ ଯେ, ଚରଣଜିତ ସିଂହ ଚନ୍ନି ସରକାରର ନିଷ୍ପତ୍ତିରେ ନାରାଜ ହୋଇ ନବଜୋତ ସିଦ୍ଧୁ ସେପ୍ଟେମ୍ବର ୨୮ ତାରିଖରେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଡିଜିପି ଏବଂ ସଲିସିଟର ଜେନେରାଲଙ୍କ ନିଯୁକ୍ତିକୁ ନେଇ ସିଦ୍ଧୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ସିଦ୍ଧୁ ଏବଂ ସିଏମ୍ ଚନ୍ନିଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲେ ସୁଦ୍ଧା ତଥାପି ସିଦ୍ଧୁଙ୍କ ଅସନ୍ତୋଷ କମି ନଥିବା ଜଣାପଡିଛି । ସେପଟେ କ୍ୟାପଟେନ୍‌ଙ୍କ ସହିତ ସିଦ୍ଧୁଙ୍କ ବିବାଦ ଏବଂ ଏପଟେ ସିଦ୍ଧୁ-ପଞ୍ଜାବ ସରକାର ବିବାଦ ଥମିବାର ନାଁ ନେଉନାହିଁ ।

ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ସହ ହୋଇଥିବା ବୈଠକକୁ ଅମରିନ୍ଦର ସିଂ କହିଛନ୍ତି ଯେ, ଅନେକ ପ୍ରସଙ୍ଗରେ ଅଜିତ ଡୋଭାଲଙ୍କ ସହ ଆଲୋଚନା ହୋଇଛି । ପ୍ରତିଦିନ ପାକିସ୍ତାନ ପଟୁ ଆସୁଥିବା ଡ୍ରୋନ୍ ବିଷୟରେ ମଧ୍ୟ ଡୋଭାଲଙ୍କ ସହ କ୍ୟାପଟେନଙ୍କ ଆଲୋଚନା ହୋଇଥିଲା । କ୍ୟାପଟେନ ଗତ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହା ପରେ ତାଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । କିନ୍ତୁ ସେ ବିଜେପିରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.