ବିହାରରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏତେ ଟଙ୍କା ଆସୁଛି କୁଆଡୁ ! ନ ଫେରାଇ ହେଉଛନ୍ତି ଗିରଫ

Published By : Prameya-News7 Bureau | September 30, 2021 IST

ପାଟନା ୩୦।୯: ସାଇବର ଅପରାଧିଙ୍କା ଦ୍ୱାରା ବ୍ୟାଙ୍କ ଆକାଉଣ୍ଟରେ ସିନ୍ଧି ନଚେତ ଡେବିଟ୍ କ୍ରେଡିଟ୍‌ କାର୍ଡରୁ କିଣାକିଣି କଥାତ ସମସ୍ତଙ୍କୁ ଜଣା, ହେଲେ ଏବେ ଲୋକଙ୍କ ଅଜ୍ଞାତରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ ହେବା ଏବେ ନୂଆ ଚିନ୍ତାର କାରଣ ପାଲଟିଲାଣି। ବିଶେଷ କରି ବିହାର ରାଜ୍ୟର ଲୋକଙ୍କ ଆକାଉଣ୍ଟରେ ଏପରି ହେରଫେର ଅଧିକ ହେଉଥିବାର ଜଣାପଡିଛି। କେତେକ କ୍ଷେତ୍ରରେ ଖାତାଧାରୀ ଜାଣିଯିବା ଯୋଗୁ ତୁରନ୍ତ ଟଙ୍କା ଉଠାଇନେବା ସହ ନ ଫେରାଇବା ଯୋଗୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ମଧ୍ୟ ହେଉଛନ୍ତି।

ଆଜିକାଲି ଲୋକଙ୍କ ବ୍ୟାଙ୍କ ଖାତାକୁ ବିଭିନ୍ନ ସରାକାରୀ ଯୋଜନାରେ ଭିନ୍ନ ଭିନ୍ନ ବାବଦକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ଅର୍ଥ ଆସୁଛି। କିଷାନ ସମ୍ମାନ ଯୋଜନା ହେଉ ବା ଫସଲ ବୀମା ଯୋଜନା ଅଥବା ସାମାଜିକ ସୁରକ୍ଷା ପେନସନ ଯୋଜନା କି ବିପର୍ଯ୍ୟୟ ସହାୟତା ରାଶି ନଚେତ  ଛାତ୍ରଛାତ୍ରୀଙ୍କ ଲାଗି ସାଇକେଲ ଓ ପୋଷାକ ଯୋଜନା ଆଦି ୩୧୧ ପ୍ରକାର କେନ୍ଦ୍ର ସରକାରଙ୍କ ଯୋଜନା ବାବଦ ଅର୍ଥ ଲୋକଙ୍କ ଆକାଉଣ୍ଟରେ ଟ୍ରାଞ୍ଜାକ୍ସନ ହେଉଛି। ଏଥିରେ କେବେ କେବେ କାହା କାହା ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇ ଯାଉଛି। ଯଦିଓ ଏହା କିଛି ସମୟ ଲାଗି ତେବେ ଆକାଉଣ୍ଟକୁ ଅଚାନକ ଏତେ ପରିମାଣର ଟଙ୍କା କେଉଁଆଡୁ ଆସୁଛି ତାହା ଏବେବି ଅସମାହିତ ପ୍ରଶ୍ନ ହୋଇ ରହିଛି। ହେଲେ ବ୍ୟାଙ୍କ ଅଧିକାରୀମାନେ ଏହା ବୈଷୟିକ ଗଡବଡି କହି ମାମଲାରେ ଏପର୍ଯ୍ୟନ୍ତ ହାତ ଝାଡି ଆସୁଛନ୍ତି।

{"id":520160,"width":841,"height":561,"sizeSlug":"full","linkDestination":"none"}

ତେବେ ଏଥିରେ ଏକ ମଜାଦାର ଘଟଣା ଘଟିଛି। ବିହାର ଖଗଡ଼ିଆ ଜିଲ୍ଲାର ଜନୈକ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକକାଳୀନ ୫ଲକ୍ଷ ଟଙ୍କା ଆସିଯାଇଥିଲା। ଏ ବାବଦେ ସେ ସୂଚନା ପାଇବାମାତ୍ରେ ଆକାଉଣ୍ଟର ଟଙ୍କା ଉଠାଇ ଉଠାଇ ଖର୍ଚ୍ଚ କରିବାରେ  ଲାଗିଥିଲେ ବି ବ୍ୟାଙ୍କକୁ ସମୟ୍କ ସୂଚନା ବି  ଦେଇ ନଥିଲା। ହେଲେ ଯେତେବେଳେ ବ୍ୟାଙ୍କରୁ ନୋଟିସ୍ ଆସିଲା ସେତେବେଳେ ଘଟଣା ସମ୍ପର୍କରେ ସମସ୍ତେ ଜାଣିଲେ। ରଞ୍ଜିତ ଦାସ ନାମକ ଏହି ବ୍ୟାକ୍ତି ବ୍ୟାଙ୍କ ନୋଟିସ୍‌ର ଜବାବ ମଧ୍ୟ ଦେଲେନି। ଏଣୁ ବ୍ୟାଙ୍କ ଅଧିକାରୀ ତାଙ୍କ ଘର ଠିକଣାରେ ପହଞ୍ଚିଥିଲେ। ପଚରା ଉଚରା କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଆକାଉଣ୍ଟରେ ଏହି ଟଙ୍କା ତାଙ୍କ ଲାଗି ପଠାଇଥିଲେ ଏଣୁ ସେ କାହାକୁ ଦେବେନି ବୋଲି ସଫାସଫା କହିଦେଇଥିଲେ।

ଅଗତ୍ୟା ବ୍ୟାଙ୍କ ଅଧିକାରୀମାନେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ପଚରା ଉଚରାରୁ ଟଙ୍କା ସବୁ ଖର୍ଚ୍ଚ କରିଦେଇଥିବା ରଞ୍ଜିତ କହିଥିଲା। ଏଣୁ ମାମଲାରେ ତାକୁ ଗିରଫ କରାଯାଇଛି। ତେବେ ଏହି ମାମଲା ଏତିକିରେ ଅଟକି ଯାଇନି। ମୁଜଫରପୁରର କଟରା ଥାନା ବୁଦ୍ଧରାମ ବାହାଦୂର ଶାହ ଯେତେବେଳେ ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ଆକାଉଣ୍ଟ ଯାଞ୍ଚଲାଗି ଗଲେ ତାଙ୍କ ଆଧାରକାର୍ଡ ଦେଖି ବ୍ୟାଙ୍କ କ୍ଲର୍କ ଟିପ୍ ଚିହ୍ନ ନେବା ପରେ ଆକାଉଣ୍ଟରେ ୫୨ କୋଟି ଟଙ୍କା ଜମା ଥିବା ଦେଖିଥିଲେ। ଏଥିରେ ତାଜ୍ଜୁବ ବ୍ୟାଙ୍କ କର୍ମଚାରୀ ତୁରନ୍ତ ମ୍ୟାନେଜରଙ୍କୁ ଖବର କରିବା ସହ ଆକାଉଣ୍ଟ ସଂଶୋଧନ କରିଥିଲେ। ତେବେ ବୃଦ୍ଧ କିନ୍ତୁ ନଛୋଡବନ୍ଧା ଆକାଉଣ୍ଟକୁ ଆସିଥିବା ରାଶିରୁ ତାଙ୍କୁ କିଛି ଦିଆଯାଉ ଜିଦରେ ଅଡି ଯାଇଥିଲେ।

{"id":520162,"sizeSlug":"full","linkDestination":"none"}

ତେବେ ଏହା ତ କେବଳ ଦୁଇଟି ମାମଲା ବିହାର ଗ୍ରାମୀଣ ଅଞ୍ଚଳରେ ଏହି ପରି ଶହଶହ ଅଭିଯୋଗ ହେଉଥିବା ବେଳେ ବ୍ୟାଙ୍କ ଅଭିଯୋଗ ଆଧାରରେ ଆକାଉଣ୍ଟରୁ ଚୁପଚାପ ଟଙ୍କା ଉଠାଇ ନେଇ ଅନେକ ଗ୍ରାହକ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ପୁରା ପ୍ରକରଣରୁ ବ୍ୟାଙ୍କିଙ୍ଗ ସିଷ୍ଟମରେ କେଉଁଠି ନା କେଉଁଠି ନିଶ୍ଚିତ ତ୍ରୁଟି ରହିଯାଉଥିବାର ଏହା ପ୍ରମାଣ ଦେଉଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଦେଶର କୋଟି କୋଟି ଲୋକେ ବ୍ୟାଙ୍କ ଆକାଉଣ୍ଟ ଖୋଲି ରଖିଛନ୍ତି। ଏଥିରେ ଅନେକ ଲୋକେ ଅଶିକ୍ଷିତ ଅଥବା ଅର୍ଦ୍ଧଶିଖିତ।  କାହାର କାରବାର ଥାଉକି ନଥାଉ ସେମାନଙ୍କ ଅଜ୍ଞାତରେ ଆକାଉଣ୍ଟ ନିଶ୍ଚିତ ଉପଯୋଗ ହେଉଥିବା ଏଥିରୁ ଜଣାପଡୁଛି। ଗତ ନୋଟବନ୍ଦୀ କାଳରେ ଏହି ସବୁ ଖାତାର କିପରି ଦୁରୁପୋଯୋଗ ହୋଇଥିଲା ଏହା ସାରା ଦେଶ ଜାଣିଛି। ଏଣୁ ମାମାଲାକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.