ଆଇସିସି ଚାମ୍ପିଅନ୍ସ ଟ୍ରଫିର ଗତି କୁଆଡ଼େ ? କ୍ଷତିରେ ବ୍ରଡକାଷ୍ଟର୍ସ, ୨୯ ବୈଠକରେ ହେବ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | November 28, 2024 IST

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗତି କୁଆଡ଼େ ଯିବ ? ପାକିସ୍ତାନରେ ଆୟୋଜନ ହେବ ନା ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତର ହେବ ? ନା ପାକିସ୍ତାନ ହାଇବ୍ରିଡ ମୋଡେଲକୁ ଗ୍ରହଣ କରିବ ? ଏସବୁ ପ୍ରଶ୍ନର ଉତ୍ତର କ୍ରୀଡ଼ା ପ୍ରେମୀଙ୍କୁ ନଭେମ୍ବର ୨୯ ଆଇସିସିର ବୋର୍ଡ ମିଟିଂରେ ମିଳିପାରେ। କିନ୍ତୁ ଅନ୍ୟପଟେ ଚାମ୍ପିଅନ୍ସ ଟ୍ରଫିର ସିଡ୍ୟୁଲ ଜାରି ନ ହୋଇଥିବା କାରଣରୁ ପ୍ରସାରଣକର୍ତ୍ତାଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ। 

ନିୟମ ଅନୁଯାୟୀ, ଆଇସିସିକୁ ଚାମ୍ପିଅନ୍ସ  ଟ୍ରଫିର ୯୦ ଦିନ ପୂର୍ବରୁ ସମସ୍ତ ଦେଶର କ୍ରିକେଟ୍ ବୋର୍ଡକୁ କ୍ରୀଡ଼ାସୂଚୀ ପଠାଇବାର ଥିଲା। କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ କାରଣରୁ ଆଇସିସି ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ ଜାରି କରି ପାରିନି। କ୍ରିକବଜ୍‌ର ଏକ ରିପୋର୍ଟ ଅନୁଯାୟୀ, କ୍ରୀଡ଼ାସୂଚୀ ଜାରି କରାଯିବାର ଅନ୍ତିମ ତାରିଖ ଅତିକ୍ରମ ହୋଇ ସାରିଛି।  ଏହି କାରଣରୁ ପ୍ରସାରଣକର୍ତ୍ତା ଡିଜନୀ ଓ ଜିଓକୁ ବିପୁଳ କ୍ଷତି ସହିବାକୁ ପଡ଼ିପାର। ଏପରିକି ବ୍ୟବସାୟିକ ପ୍ରସଙ୍ଗରେ ଆଇସିସି କୌଣସି ପ୍ରତିକ୍ରିୟା ଦେଇ ନାହିଁ।  

ସଦ୍ୟତମ ରିପୋର୍ଟରେ ଖୁଲାସା ହୋଇଛି ଯେ, ବିବାଦର ସମାଧାନ ପାଇଁ ଆଇସିସି ଗୋଟିଏ ଗ୍ରୁପରେ ଭାରତ ଓ ପାକିସ୍ତାନକୁ ରଖିବାକୁ ପ୍ରସ୍ତୁତ ନୁହେଁ। କିନ୍ତୁ ପ୍ରସାରଣକର୍ତ୍ତା ଭାରତ ଓ ପାକିସ୍ତାନକୁ ଅଲଗା ଅଲଗା ଗ୍ରୁପରେ ରଖିବାକୁ ବିରୋଧ କରିଛନ୍ତି। ଯଦି ଗୋଟିଏ ଗ୍ରୁପରେ ଦୁଇ ଦେଶକୁ ରଖାଯାଏ ତେବେ ପାକିସ୍ତାନ ନିଜର ସମସ୍ତ ମ୍ୟାଚ୍ ନିଜ ମାଟିରେ ଖେଳି ପାରିବ। ଭାରତ ହାଇବ୍ରିଡ ମୋଡେଲ୍ ଆଧାରରେ ନିଜର ମୁକାବିଲା ଅନ୍ୟ କୌଣସି ଦେଶରେ ଖେଳି ପାରିବ। ଯଦି ଦୁଇ ଦେଶକୁ ଗୋଟିଏ ଗ୍ରୁପରେ ରଖାଯିବ ତେବେ ଜଣଙ୍କୁ ଅନ୍ୟ ଜଣଙ୍କ ସାମ୍ନାରେ ମୁଣ୍ଡା ନୁଆଇଁବାକ ପଡ଼ିବ। ଏପରିକି ମ୍ୟାଚ୍ ଆୟୋଜନ ଆଶଙ୍କା ସୃଷ୍ଟି ହେବ। 

ତେବେ ନଭେମ୍ବର ୨୯ରେ ଆଇସିସିର ବୋର୍ଡ ବୈଠକ ହେବାକୁ ଯାଉଛି। ଏଥିରେ ହାଇବ୍ରିଡ ମୋଡେଲ୍‌ ଉପରେ ବହୁତ ବଡ଼ ନିଷ୍ପତ୍ତି ହୋଇପାରେ। କାରଣ ପାକିସ୍ତାନ ଆୟୋଜନ ଅଧିକାର ଛାଡ଼ିବାକୁ  ଏବଂ ହାଇବ୍ରିଡ ମୋଡେଲ୍ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଅନ୍ୟପଟେ ଭାରତ ନିଜ ଦଳକୁ ପାକିସ୍ତାନ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ଯଦି ପିସିବି ହାଇବ୍ରିଡ ମୋଡେଲ୍ ସ୍ଵୀକାର ନ କରେ ତେବେ ଆଇସିସିକୁ ବାଧ୍ୟ ହୋଇ ଚାମ୍ପିଅନ୍ସ  ଟ୍ରଫିର ଆୟୋଜନ ଅଧିକାର ପାକିସ୍ତାନ ହାତରୁ ଛଡ଼ାଇ ନେଇପାରେ। ଏବେ ଦେଖିବା ବାକି ରହିଲା ନଭେମ୍ବର ୨୯ ରେ ଆଇସିସି   କଣ ନିଷ୍ପତ୍ତି ନେଉଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.