କିଏ କରୁଛି ପୋଲିସ ଚାକିରୀ ତ, କିଏ ହୋଇଛନ୍ତି ରାଜନେତା, କଣ କରୁଛନ୍ତି ୨୦୦୭ ଓ୍ବାର୍ଲ୍ଡକପ୍‌ ଚାମ୍ପିଅନ୍‌ ?

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ ୦୭।୦୬: ଟି-ଟ୍ବେଣ୍ଟି ଓ୍ବାର୍ଲ୍ଡକପ୍‌ ୨୦୨୪ । ୧୭ ବର୍ଷର ଅପେକ୍ଷାର ଘଟିପାରେ ଅନ୍ତ। ଟ୍ରଫି ହାତେଇବାକୁ ପୁରା ପ୍ରସ୍ତୁତ ରୋହିତ ବାହିନୀ । ଦ୍ବିତୀୟଥର ଟ୍ରଫି ହାତେଇବା ଲକ୍ଷ୍ୟରେ ବ୍ଲୁ ଜର୍ସି। ୨୦୦୭ରେ ବିଶ୍ବକପ୍‌ ଟ୍ରଫି ପ୍ରଥମଥର ହାତେଇଥିଲା ଟିମ୍‌ ଇଣ୍ଡିଆ । ବିଜୟର କର୍ଣ୍ଣଧାର ସାଜିଥିଲେ ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ । ବର୍ତ୍ତମାନ ଏମାନେ କଣ କରୁଛନ୍ତି ? ଆସନ୍ତୁ ଜାଣିବା...

ଅନେକ ଖେଳାଳୀ ନେଇସାରିଛନ୍ତି ସନ୍ୟାସ । ଅନ୍ୟ କିଛି ପ୍ଲେୟର କମେଣ୍ଟ୍ରିରେ ଧୁମ୍‌ ମଚାଉଛନ୍ତି ତ ଆଉ କେହି ପୋଲିସ ଚାକିରୀ କରିଛନ୍ତି । ଟିମ୍‌ କ୍ୟାପଟେନ୍‌ସିପ୍‌ର ଭାର ଏମ୍‌ଏସ୍‌ ଧୋନୀ ସମ୍ଭାଳିଥିଲେ। ବିଜୟୀ ହୋଇ ହାତେଇଥିଲେ ଟ୍ରଫି । ୨୦୨୦ରେ ଇଣ୍ଟରନ୍ୟାସନାଲ୍‌ କ୍ରିକେଟରୁ ନେଇଥିଲେ ସନ୍ୟାସ । ଧୋନୀ ଏବେ ଆଇପିଏଲ୍ ୨୦୨୪ର ଅଂଶ ଥିଲେ । 

୨୦୦୭ ଟି-୨୦ ବିଶ୍ବକପ୍‌ରେ ଯୁବରାଜ ସିଂ ଉପ-ଅଧିନାୟକ ଥିଲେ । ଏହି ଓ୍ବାର୍ଲକପ୍‌ରେ ହିଁ ଷ୍ଟୁଅର୍ଟ ବ୍ରଡ୍‌ଙ୍କ ଓଭରରେ ଲଗାଇଥିଲେ ୬ ଛକା । ସେବେଠାରୁ ସେ ସିକ୍ସସର୍‌ କିଙ୍ଗ୍ ଭାବେ ପରିଚିତ । ଯୁବରାଜ ରିଟାରମେଣ୍ଟ ନେଇସାରିଛନ୍ତି । ବର୍ତ୍ତମାନ ରୋଡ୍‌ ସେଫ୍ଟି ଓ୍ବାର୍ଲ୍ଡ ସିରିଜରେ ଭାଗ ନେଇଛନ୍ତି । 

ବିଶ୍ବକପ୍‌ ଟିମ୍‌ର ଅଂଶ ଥିଲେ ବୀରେନ୍ଦ୍ର ସେହଓ୍ବାଗ୍‌ । ଆହାତ କାରଣରୁ ପାକିସ୍ଥାନ ବିପକ୍ଷରେ ଖେଳି ପାରିନଥିଲେ ଫାଇନାଲ୍‌ । କିନ୍ତୁ ପୁରା ଟୁର୍ଣ୍ଣାମେଣ୍ଟରେ ତୁଫାନୀ ଅନ୍ଦାଜରେ କରିଥିଲେ ବ୍ୟାଟିଙ୍ଗ୍‌ । ବୀରୁଙ୍କୁ ଅନେକ ମ୍ୟାଚ୍‌ରେ କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳିଥାଏ । 

୨୦୦୭ ବିଶ୍ବକପ୍‌ର ଅଂଶ ଥିଲେ ଗୌତମ ଗମ୍ଭୀର । ୨୦୧୮ରେ କ୍ରିକେଟର ସବୁ ଫର୍ମାଟରୁ ନେଇଥିଲେ ସନ୍ୟାସ । ବର୍ତ୍ତମାନ କୋଲକତା ନାଇଟ ରାଇଜର୍ସର ମେଣ୍ଟର ଅଛନ୍ତି । ଏହାବ୍ୟତୀତ ହେଡ୍‌କୋଚ୍‌ ନେଇ ତାଙ୍କ ନାଁ ଖୁବ୍ ଚର୍ଚ୍ଚାରେ । ତେବେ ଗମ୍ଭୀର ରାଜନୀତିରେ ମଧ୍ୟ ଭାଗ୍ୟ ପରୀକ୍ଷା କରିସାରିଛନ୍ତି । ସେ ପୂର୍ବ ଦିଲ୍ଲୀରୁ ଲୋକସଭା ସାଂସଦ । 

ଦ୍ରୁତ ବୋଲର ଅଜିତ ଅଗରକର । ସେ ବି ୨୦୦୭ ଟି-୨୦ ବିଶ୍ବକପ୍‌ ଟିମ୍‌ର ଥିଲେ ଅଂଶ ।  ଅଗରକର ବର୍ତ୍ତମାନ ଭାରତୀୟ ଟିମ୍‌ର ଚିପ୍‌ ସିଲେକ୍ଟର ଅଛନ୍ତି । 

ଦିଗ୍ଗଜ ସ୍ପିନର ହରଭଜନ ସିଁ । ୨୦୦୭ ବିଶ୍ବକପ୍‌ରେ ସାମିଲ ଥିବା ପ୍ଲେୟର ୨୦୨୧ରେ ନେଇଛନ୍ତି ରିଟାୟରମେଣ୍ଟ । ହରଭଜନ କମେଣ୍ଟେଟର ହୋଇସାରିଛନ୍ତି । ରାଜନୀତିରେ ମଧ୍ୟ ଖୁବ୍‌ ସକ୍ରିୟ ଭଜ୍ଜି । ସେ ବର୍ତ୍ତମାନ ରାଜ୍ୟସଭା ସାଂସଦ । 

ପାକିସ୍ତାନ ବିପକ୍ଷ ଫାଇନାଲ୍‌ରେ ଶେଷ ଓଭର ପକାଇଥିଲେ ଜୋଗିନ୍ଦର ଶର୍ମା । ସେ ମିସବାହା-ଉଲ-ହକଙ୍କୁ ଆଉଟ୍‌ କରି ଟିମ୍‌ ଇଣ୍ଡିଆକୁ କରିଥିଲେ ବିଜୟୀ । ବର୍ତ୍ତମାନ ଯୋଗୀନ୍ଦର ହରିୟାଣା ପୋଲିସରେ ଡିଏସପି ଭାବରେ କାର୍ଯ୍ୟ କରୁଛନ୍ତି ।

୨୦୦୭ ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ ଦୀନେଶ କାର୍ତ୍ତିକ । କାର୍ତ୍ତିକ ମଧ୍ୟ ଆଇପିଏଲ୍ ୨୦୨୪ର ଅଂଶ ରହିଥିଲେ । କିନ୍ତୁ ଏହାପରେ ସେ ନେଇଛନ୍ତି ସନ୍ୟାସ । ବର୍ତ୍ତମାନ ସେ ଟି-୨୦ ବିଶ୍ୱକପରେ କମେଣ୍ଟ୍ରି କରୁଛନ୍ତି।

ଫାଇନାଲ୍ ମ୍ୟାଚରେ ସେହୱାଗଙ୍କ ସ୍ଥାନରେ ପ୍ଲେୟିଙ୍ଗ୍‌ ଇଲେଭେନ୍‌ରେ ସ୍ଥାନ ପାଇଥିଲେ ୟୁସୁଫ୍ ପଠାନ୍ । ଅବସର ପରେ ୟୁସୁଫ୍ ରୋଡ୍ ସେଫ୍ଟି ୱାର୍ଲ୍ଡ ସିରିଜ୍ ଏବଂ ଲିଜେଣ୍ଟସ୍‌ ଲିଗ୍ କ୍ରିକେଟରେ ଖେଳିସାରିଛନ୍ତି । ୟୁସୁଫ୍ ରାଜନୀତିରେ ଏଣ୍ଟ୍ରି କରିଛନ୍ତି । ଟିଏମସି ଟିକେଟରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛନ୍ତି।

୨୦୦୭ ଟି-୨୦ ଫାଇନାଲ୍‌ ମୁକାବିଲାରେ ଇରଫାନ୍‌ ପଠାନ ୩ ୱିକେଟ୍ ନେଇ ପାକିସ୍ତାନୀ ଟିମ୍‌ର ଅଣ୍ଟା ଭାଙ୍ଗି ଦେଇଥିଲେ । ସନ୍ୟାସ ନେବା ପରେ ଇରଫାନ କମେଣ୍ଟ୍ରି ଦୁନିଆରେ ନିଜର ନୂଆ ପରିଚୟ ସୃଷ୍ଟି କରିଛନ୍ତି।

୨୦୦୭ର ବିଶ୍ୱ ବିଜେତା ଟିମ୍‌ରେ ସାମିଲ୍‌ ଥିଲେ ରୋହିତ ଶର୍ମା। ସେବେଠାରୁ ରୋହିତଙ୍କ କ୍ୟାରିଅରରେ ଆସିଛି ଅନେକ ପରିବର୍ତ୍ତନ । ରୋହିତ ବର୍ତ୍ତମାନ ୩ଟି ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ଅଛନ୍ତି ।

ଫାଇନାଲରେ ଦ୍ରୁତ ବୋଲର ଆରପି ସିଂ ୩ଟି ୱିକେଟ୍ ନେଇଥିଲେ । ବାମହାତୀ ବୋଲର ୨୦୧୮ରେ ନେଇଥିଲେ ଅବସର । ଏହାପରେ ଆରପି ସିଂ କମେଣ୍ଟ୍ରି ଜଗତରେ ଅନେକ ନାଁ କରଛନ୍ତି ।  

ଫାଇନାଲ୍‌ ମ୍ୟାଚରେ ଏସ୍‌ ଶ୍ରୀସନ୍ତ ମିସଓ୍ବାହ-ଉଲ୍‌-ହକ୍‌ଙ୍କ ଓ୍ବିନିଂଙ୍ଗ୍ କ୍ୟାଚ୍‌ ଧରିଥିଲେ । ଯାହାକୁ ଫ୍ୟାନ୍ସ କେବେ ବି ଭୁଲି ପାରିବେନି । ଶ୍ରୀସନ୍ତ ଲିଜେଣ୍ଟ ଲିଗ୍ କ୍ରିକେଟ ଖେଳିସାରିଛନ୍ତି । ସେ ବିଗ୍‌ବସ୍‌ ପରି ରିଆଲିଟି ଶୋର ଅଂଶ ରହିସାରିଛନ୍ତି। 

ରବିନ୍ ଉଥାପ୍ପା ଶେଷ ଥର ପାଇଁ ୨୦୧୫ରେ ଭାରତ ପାଇଁ ଖେଳିଥିଲେ । ସେ ମଧ୍ୟ ୨୦୦୭ ଟି-ଟ୍ବେଣ୍ଟି ଅଂଶ ଥିଲେ । ସନ୍ୟାସ ନେବା ପରେ ସେ କମେଣ୍ଟ୍ରିରେ ନିଜର ପରିଚୟ କଲେ ।  

ସ୍ପିନ୍‌ ବୋଲର ପିୟୁଷ ଚାବଲା । ୨୦୦୭ ଏବଂ ୨୦୧୧ ବିଶ୍ବକପ୍‌ ଟିମ୍‌ର ଅଂଶ ରହିସାରିଛନ୍ତି । ପିୟୁଷ ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ନଜର ଆସିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.