ପ୍ରଶଂସକଙ୍କୁ ଭାରତ ଛାଡିବାକୁ କହି ଟ୍ରୋଲର ଶିକାର ହେଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି
Published By : Prameya-News7 Bureau | November 08, 2018 IST

ନୂଆଦିଲ୍ଲୀ ୮/୧୧: ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କ ଏକ ଭିଡିଓ ବର୍ତ୍ତମାନ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ସେ ତାଙ୍କ ଫ୍ୟାନକୁ ଦେଶ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ଏହି କଥା କେତେକ ଲୋକଙ୍କୁ ପସନ୍ଦ ଆସିନଥିବାରୁ ସେମାନେ ବିରାଟଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ। ନିକଟରେ ନିଜର ୩୦ତମ ଜନ୍ମଦିନ ପାଳନ କରିଥିବା ବିରାଟ କୋହଲି ବର୍ତ୍ତମାନ ଆରାମ କରୁଛନ୍ତି। ତାଙ୍କ ସ୍ଥାନରେ ରୋହିତ ଶର୍ମା ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳର ପ୍ରତିନିଧିତ୍ବ କରୁଛନ୍ତି।
ଏହି ଭିଡିଓରେ ବିରାଟ କୋହଲୀ ମୋବାଇଲ ଦେଖି ପଢ଼ୁଛନ୍ତି। ତାଙ୍କର ଜଣେ ଫ୍ୟାନ୍ କହିଛନ୍ତି ଯେ ସେ ଜଣେ ଓଭରରେଟେଡ୍ ବ୍ୟାଟସମ୍ୟାନ୍। ତାଙ୍କ ବ୍ୟାଟିଂ ଏତେ ଖାସ୍ ଲାଗେ ନାହିଁ। ମୋତେ ଭାରତୀୟଙ୍କ ତୁଳନାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନଙ୍କୁ ଖେଳୁଥିବା ଦେଖିବାକୁ ମଜା ଲାଗିଥାଏ। ଏହାକୁ ନେଇ ବିରାଟ କୋହଲୀ କହିଥିଲେ ଯେ ମୋତେ ଲାଗୁନାହିଁ ଯେ ଆପଣଙ୍କୁ ଭାରତରେ ରହିବା କଥା। ଯାଆନ୍ତୁ ଆଉ କେଉଁଠି ରୁହନ୍ତୁ। ଆପଣ ମୋତେ ପସନ୍ଦ କରୁନାହାନ୍ତି ଏଥିପାଇଁ ମୁଁ ମନଦୁଃଖ କରୁନାହିଁ। ଆପଣ ନିଜ ପ୍ରାଥମିକତାକୁ ଦୃଷ୍ଟି ଦିଅନ୍ତୁ। ଏହା ପରେ ତାଙ୍କର କେତେକ ଫ୍ୟାନ୍ ତାଙ୍କ ଉକ୍ତିରେ ରାଗିଯାଇଥିଲେ ଏବଂ ଆଉ କେତେକ ଫ୍ୟାନ ତାଙ୍କ ସପକ୍ଷରେ ଥିଲେ।