ପଣ୍ଡିତ ନେହରୁଙ୍କୁ ଆଇନଷ୍ଟାଇନ କାହିଁକି ଲେଖିଥିଲେ ଚିଠି, କ’ଣ ଥିଲା ଇସ୍ରାଏଲ ସହ ସମ୍ପର୍କ ? ଜାଣନ୍ତୁ ପୂରା କାହାଣୀ

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ: ଦୁନିଆକୁ ବିଜ୍ଞାନର ମହାନ ସିଦ୍ଧାନ୍ତ ଦେଇଥିବା ନୋବେଲ ପୁରସ୍କାରରେ ସମ୍ମାନିତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କୁ ଅବା ଦୁନିଆରେ କିଏ ନ ଜାଣିଛି । ଜର୍ମାନୀରେ ଜନ୍ମିତ ଆଲବର୍ଟ ଆଇନଷ୍ଟାଇନଙ୍କ ମାଆ-ବାପା ୟହୁଦି ଥିଲେ । ଜର୍ମାନୀରେ ନାଜି ଶାସନ ଆସିବା ପରେ ୟହୁଦିଙ୍କ ବିନାଶ ଆରମ୍ଭ କରିଥିଲା । ଏହାପରେ ଆଇନଷ୍ଟାଇନ ବାଧ୍ୟ ହୋଇ ଆମେରିକାର ନାଗରିକତା ନେଇଥିଲେ । ପରେ ଏପରି ସମୟ ଆସିଥିଲା, ଯେତେବେଳେ ୟହୁଦି ନିଜ ପାଇଁ ଏକ ଭିନ୍ନ ଦେଶ ସ୍ଥାପନା ପାଇଁ ପ୍ରସ୍ତୁତି କରିଥିଲେ । 

ଭାରତ ସେତେବେଳେ ଇଂରେଜ ଶାସନରୁ ମୁକ୍ତ ହେବା ଦ୍ୱାରରେ ପହଞ୍ଚିଥିଲା । ଏବଂ ସାରା ଦୁନିଆ ପଣ୍ଡିତ ନେହରୁଙ୍କ ନୀତିକୁ ପ୍ରଶଂସା କରୁଥିଲା । ଏପରି ସ୍ଥିତିରେ ୟହୁଦିଙ୍କ ପାଇଁ ଅଲଗା ଦେଶ ଇସ୍ରାଏଲ୍ ଗଠନ ଉପରେ ପଣ୍ଡିତ ନେହରୁଙ୍କ ସହ ଆଲୋଚନା ପାଇଁ ୟହୁଦି ନେତା ଆଲବର୍ଟ ଆଇନଷ୍ଟାଇନଙ୍କୁ ବାଛିଥିଲେ । ୧୯୪୭ ଜୁନ୍ ୧୩ରେ ଆଲବର୍ଟ ଆଇନଷ୍ଟାଇନ ପଣ୍ଡିତ ନେହରୁଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ୟହୁଦିଙ୍କ ପାଇଁ ଭିନ୍ନ ଦେଶ ଇସ୍ରାଏଲର ପ୍ରସ୍ତାବ ଏବଂ ସମର୍ଥନ କାହିଁକି କରିବା ଦରକାର ତାହା ଉପରେ ଯୁକ୍ତି ରଖିଥିଲେ ।

ଆଇନଷ୍ଟାଇନ ନିଜ ପତ୍ରରେ ପଣ୍ଡିତ ନେହରୁଙ୍କୁ ଲେଖିଥିଲେ, 'ୟହୁଦିଙ୍କ ସହ ସବୁବେଳେ ଭେଦଭାବ ହୋଇଛି । ଦୁନିଆର ଅନ୍ୟ ଲୋକଙ୍କ ପରି ଜୀବନ ବଞ୍ଚିବାକୁ ଦିଆଯାଇ ନାହିଁ । ଆଜି ଦୁନିଆରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠି ସେମାନେ ନିଜକୁ ସୁରକ୍ଷିତ ଭାବି ପାରିବେ । ଆପଣ ନିଜ ଦେଶକୁ ସ୍ୱାଧୀନ କରିବା ପାଇଁ ସଂଘର୍ଷ କରିଛନ୍ତି, ଏଥିପାଇଁ ଇସ୍ରାଏଲ ପ୍ରସଙ୍ଗକୁ ଗମ୍ଭୀରତାର ସହ ବୁଝିପାରିବେ । ଏଥିପାଇଁ ଇସ୍ରାଏଲ ଗଠନ ପାଇଁ ସମର୍ଥନ କରନ୍ତୁ ।'

ଆଇନଷ୍ଟାଇନଙ୍କ ଚିଠିର ଏକ ମାସ ପରେ ଜୁଲାଇ ୧୧ରେ ପଣ୍ଡିତ ନେହରୁ ଜବାବ ପଠାଇଥିଲେ । ଏଥିରେ ୟହୁଦିଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ । ଏହାସହ ସେ ଆରବ ଲୋକଙ୍କ ଅଧିକାର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ମୋଟ ଉପରେ ପଣ୍ଡିତ ନେହରୁ ବିନମ୍ରତା ସହ ନିଜ କଥାକୁ ଦୃଢତା ସହ ରଖି ଇସ୍ରାଏଲକୁ ଭାରତର ସମର୍ଥନ ଦେବାକୁ ମନା କରିଥିଲେ । କେବଳ ଏତିକି ନୁହେଁ ୟୁଏନରେ ଇସ୍ରାଏଲ୍ ପ୍ରସଙ୍ଗରେ ବିରୋଧରେ ଭାରତ ଭୋଟ ଦେଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.