ଚିନ୍ତା ବଢାଉଛି ସେନ ନଦୀର ପାଣି, ଟ୍ରାଏଥଲନକୁ ରଖାଯାଇଛି ସ୍ଥଗିତ

Published By : Prameya-News7 Bureau | August 01, 2024 IST

ନୂଆଦିଲ୍ଲୀ ୦୧।୦୮: କମ୍ପୁଛି କ୍ରୀଡ଼ା ମହାକୁମ୍ଭ । ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସୁଛି ଆଇଫିଲ୍ ଟାୱାର୍। ଅଗଷ୍ଟ ୧୧ ଯାଏଁ ଚାଲିବ ପ୍ରତିଯୋଗିତା । ଭାଗ ଭାଗ ୧୦ ହଜାର ୫ଶହ ଆଥଲେଟ୍ ନେଇଛନ୍ତି । ପ୍ରଥମ ଥର ପାଇଁ ଷ୍ଟାଡିୟମ ନୁହେଁ ସେନ ନଦୀ କୂଳରେ ହୋଇଥିଲା ସମାରୋହ। କ୍ରୀଡ଼ାବିତ ଡଙ୍ଗା ପରେଡ୍‌ରେ ସାମିଲ ହୋଇଥିଲେ । ବେଶ ଚିତାକର୍ଷକ ଥିଲା ଉତ୍ସବ । ୩୦୦୦ କଳାକାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏକାଠି ହୋଇଥିଲେ ଲକ୍ଷ ଲକ୍ଷ ସଂଖ୍ୟାର ଦର୍ଶକ।   ବର୍ତ୍ତମାନ ସେନ ନଦୀର ପାଣିକୁ ନେଇ ଉଠିଛି ବିବାଦ । ପ୍ରଦୂଷିତ ପାଣି ପାଇଁ ବଢିଛି ଚିନ୍ତା।

ବର୍ଷା ଯୋଗୁ ବିଗିଡ଼ି ଯାଇଛି ପ୍ୟାରିସ୍ ନଗରୀ । ଦିନକୁ ଦିନ ଦୂଷିତ ହେବାରେ ଲାଗିଛି ସେନ୍‌ ନଦୀର ପାଣି । ଆୟୋଜିତ ହେବାକୁ ଥିବା ଟ୍ରାଏଥଲନକୁ ରଖାଯାଇଛି ସ୍ଥଗିତ । ବିଶ୍ୱ ଟ୍ରାଏଥଲନ ପକ୍ଷରୁ କରାଯାଇଛି ଘୋଷଣା । ଗତ ୨୬ ତାରିଖରେ ନଦୀରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ତା’ ପୂର୍ବରୁ ବର୍ଷା ଲାଗି ରହିଛି । ନଦୀର ପାଣି ସ୍ତର ବୃଦ୍ଧି ପାଇଛି । ନଦୀର ପାଣି ଅଧିକ ଦୂଷିତ ହୋଇ ଯାଇଛି । ୩ ଦିନ ହେଲା ଅଭ୍ୟାସ କରି ପାରୁ ନାହାନ୍ତି କ୍ରୀଡ଼ାବିତମାନେ । ପାଣି ଆଦୌ ସନ୍ତରଣ ପାଇଁ ଉପଯୋଗୀ ନୁହଁ ବୋଲି ସ୍ପଷ୍ଟ କରିଛି ବିଶ୍ୱ ଟ୍ରାଏଥଲନ ।   

ମଙ୍ଗଳବାର ଉଭୟ ପୁରୁଷ ଓ ମହିଳା ଇଭେଣ୍ଟ ଥିଲା । ପାଣିର ମାନ ଅତି ଖରାପ ଥିବାରୁ ସ୍ଥଗିତ ରଖାଯାଇଥିଲା ଇଭେଣ୍ଟ । ବୁଧବାର ମଧ୍ୟ ପାଣିରେ କୌଣସି ପରିବର୍ତ୍ତନ ଆଶା ନାହିଁ । ଯଦି ସନ୍ତରଣ ଇଭେଣ୍ଟ ସମ୍ଭବ ନହୁଏ, ତେବେ ଏହାକୁ ବାଦ ଦେଇ ଅନ୍ୟ ୨ଟି ଇଭେଣ୍ଟରେ ପ୍ରତିଯୋଗିତା କରାଯିବା ନେଇ ଯୋଜନା ରହିଛି । ସେନ୍ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ନେଇ ସରକାର ୧.୫୧ ବିଲିୟନ ଡଲାର ଖର୍ଚ୍ଚ କରିଛନ୍ତି । କିନ୍ତୁ ଅଧିକ ବର୍ଷା ଯୋଗୁ ସବୁ ଯୋଜନା ଫେଲ ମାରିଛି । 

ଗତ କିଛି ମାସ ହେଲା ଆୟୋଜକ ପାଣିକୁ ସ୍ୱଚ୍ଛ କରିବା ନେଇ ପ୍ରୟାସ ଜାରି ରଖିଛନ୍ତି । ହେଲେ ସଫଳ ହୋଇପାରିନାହାନ୍ତି । କ୍ରୀଡ଼ା ଆରମ୍ଭ ହେବାର ସପ୍ତାହକ ପୂର୍ବରୁ ଫ୍ରାନ୍ସ ନଦୀର ପାଣିକୁ ସନ୍ତରଣ ଉପଯୋଗୀ କରାଯାଇଥିଲା । ଫ୍ରାନ୍ସ କ୍ରୀଡ଼ାମନ୍ତ୍ରୀ ନିଜେ ନଦୀରେ ସନ୍ତରଣ କରିଥିଲେ । ହେଲେ ପରେ ପୁଣି ବର୍ଷା ଯୋଗୁ ଉପୁଜିଛି ସମସ୍ୟା । କ୍ରୀଡ଼ା ଆୟୋଜକଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.