ସାବଧାନ ! ଆପଣ ଖାଉଥିବା ଅଟା ହୋଇପାରେ ହାନିକାରକ: ପଚାସଢ଼ା ଗହମରେ ସୁନେଲି ରଙ୍ଗ କରି ବିଭିନ୍ନ ବ୍ରାଣ୍ଡ ନାଁରେ ହେଉଛି ବିକ୍ରି
5/12/2020 at 1:55 PM

ନିମଚ ୦୫/୧୨ : ମଧ୍ୟ ପ୍ରଦେଶ ନିମଚ ଅନ୍ତର୍ଗତ କନାବଟି ସ୍ଥିତ ଏଗ୍ରୋ ପ୍ଲାଣ୍ଟରେ ଗହମରେ ନକଲି ସୁନେଲି ରଙ୍ଗ ଦିଆଯାଉଥିବା ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହେବାପରେ ଖାଦ୍ୟ ଏବଂ ଔଷଧ ବିଭାଗ ପ୍ଲାଣ୍ଟରେ ଚଢଉ କରିଛି। ପ୍ଲାଣ୍ଟରୁ ବହୁ ପରିମାଣର ଗହମ ଓ ରଙ୍ଗ ଜବତ ହୋଇଛି। ଦଶିଲ ଏଗ୍ରୋ ପ୍ଲାଣ୍ଟରୁ ପାଖାପାଖି ୨୫ କିଲୋର ଅନେକ ଗହମ ପ୍ୟାକେଟ ଜବତ କରାଯାଇଛି। ପ୍ଲାଣ୍ଟରୁ ୫୦ କିଲୋ ସୁନେଲି ରଙ୍ଗ ମଧ୍ୟ ଜବତ ହୋଇଛି। ଗହମରେ ରଙ୍ଗ ଦିଆଯାଉଥିବା ଏହା ପ୍ରଥମ ମାମଲା ଯାହା ସାମ୍ନାକୁ ଆସିଛି। ଏହା ପୂର୍ବରୁ ଦେଶର ଅନେକ ସ୍ଥାନରୁ ବିଭିନ୍ନ ଖାଦ୍ୟ ସାମଗ୍ରୀରେ ନକଲି ରଙ୍ଗ ଦେଉଥିବା ମାମଲା ସାମ୍ନାକୁ ଆସିଛି।

ଖରାପ ଏବଂ ପଚାସଢ଼ା ଗହମରେ ସୁନେଲି ରଙ୍ଗ ଦେଇ ତାକୁ ସବୁଠାରୁ ଉତ୍ତମ କ୍ୱାଲିଟିର ଗହମ କହି ବଜାରକୁ ସପ୍ଲାଏ କରାଯାଉଥିଲା। ଏହି ଗହମ ଅମୁଲ, ସୁପର କିଙ୍ଗ, ଜଲସା ଆଦି ୧୧ ବ୍ରାଣ୍ଡରେ ପ୍ୟାକ କରାଯାଇଥାଏ। ଗହମ ଜବତ ପରେ ଯାଞ୍ଚ ପାଇଁ ଭୋପାଲ ପଠାଇ ଦିଆଯାଇଛି।

ଜିଲ୍ଲା ଖାଦ୍ୟ ଏବଂ ଔଷଧ ଅଧିକାରୀ ସଂଜୀବ ମିଶ୍ର କହିଛନ୍ତି, ପ୍ଲାଣ୍ଟରେ ଥିବା ଗହମରୁ ୫ ପ୍ରକାରର ନମୁନା ସଂଗ୍ରହ କରାଯାଇଛି। ରଙ୍ଗ କରାଯାଇଥିବା ଗହମ ନମୁନା ମଧ୍ୟ ଯାଞ୍ଚ ପାଇଁ ପଠାଯାଇଛି। ଏହି ଗହମ ଭିନ୍ନ ଭିନ୍ନ ବ୍ରାଣ୍ଡର ପ୍ୟାକେଟରେ ପ୍ୟାକ କରାଯାଇଥିଲା। ପ୍ଲାଣ୍ଟରୁ ଅନେକ ବ୍ରାଣ୍ଡର ନାଁରେ ଗହମ ପ୍ୟାକ ହୋଇଥିବା ଜବତ ହୋଇଛି। ପ୍ଲାଣ୍ଟରୁ ଅମୁଲ, ଝିଲମିଲ, ପ୍ରତିଷ୍ଠା, ବିଟ କ୍ୱିନ, ସୁପର କିଙ୍ଗ, ଅଲମ୍ପିକ, ଜଲସା, ଅଲମ୍ପିକ ପ୍ରିମିୟମ, ରେଡ୍ଡୀ, ଛୋଟା ଭୀମ, ଜନତା, ୱଣ୍ଡର, ଅନ୍ନା ଆଦି ଅନେକ ବ୍ରାଣ୍ଡର ଗହମ ଜବତ ହୋଇଛି।

ଏହି ସବୁ ବ୍ରାଣ୍ଡର ପ୍ୟାକେଟରେ ହାନିକାରକ ରଙ୍ଗ ଓ ପଲିସଯୁକ୍ତ ଗହମ ବିକ୍ରି ହେଉଥିଲା। ସଂଜୀବ ମିଶ୍ର କହିଛନ୍ତି ପ୍ଲାଣ୍ଟରୁ ହାଲୁକା ନାରଙ୍ଗୀ ରଙ୍ଗ ମଧ୍ୟ ଜବତ ହୋଇଛି। ପ୍ଲାଣ୍ଟରୁ ମୋଟ ଏକ ଲକ୍ଷ ୨୦ ହଜାର ୬୨୦ କିଲୋ ଗହମ ଜବତ ହୋଇଛି। ଏହି ଗହମର ମୂଲ୍ୟ ପାଖାପାଖି ୨୭ ଲକ୍ଷ ୭୮ ହଜାର ୮୦୦ ଟଙ୍କା ବୋଲି କୁହାଯାଇଛି।
ଅଧିକାରୀ ସଂଜୀବ ମିଶ୍ର କହିଛନ୍ତି ଯେ ନମୁନା ଯାଞ୍ଚ ପାଇଁ ଭୋପାଲକୁ ପଠାଯାଇଛି। ପ୍ଲାଣ୍ଟକୁ ସିଲ କରାଯାଇଛି। ଯାଞ୍ଚରୁ ଗହମର ମାନକ ସଠିକ ନଥିବା ଜଣାପଡେ ତାହେଲେ ଦଶିଲ ଏଗ୍ରୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।