ମୌସୁମୀ ବର୍ଷାରେ ନଷ୍ଟ ହୋଇପାରେ ଗହମ : ବିଭିନ୍ନ ବନ୍ଦରରେ ପଡିରହିଛି ୧.୭ ନିୟୁତ ଟନ୍ ଶସ୍ୟ

Published By : Prameya-News7 Bureau | June 03, 2022 IST

ନୂଆଦିଲ୍ଲୀ ୦୩/୦୬:   ଗତ ମାସ ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ କେନ୍ଦ୍ର ସରକାର । ତେବେ ୪୬୯,୨୦୨ ଟନ୍‌ ଗହମ ରପ୍ତାନିକୁ କେନ୍ଦ୍ରୀୟ ଅନୁମତି ମିଳିଥିବାବେଳେ ବିଭିନ୍ନ ବନ୍ଦରରେ ଆଉ ୧.୭ ନିୟୁତ ଟନ୍‌ ଗହମ ପଡ଼ିରହିଛି । ଆଗକୁ ମୌସୁମୀ ବର୍ଷା ମଧ୍ୟରେ ଏସବୁ ନଷ୍ଟ ହୋଇଯିବ ବୋଲି ଶିଳ୍ପ ଅଧିକାରୀମାନଙ୍କ ପକ୍ଷରୁ ଅନୁମାନ କରାଯାଇଛି ।

ତେବେ ଯେଉଁ ଦେଶଗୁଡ଼ିକୁ ରପ୍ତାନି ଅନୁମତି ମିଳିଛି ସେମାନେ ହେଲେ ବାଂଲାଦେଶ, ଫିଲିପାଇନ୍ସ, ତାଞ୍ଜାନିଆ ଏବଂ ମାଲେସିଆ।ଘରୋଇ ବଜାରରେ ଦର ନିୟନ୍ତ୍ରଣ ଲାଗି ସରକାର ଲଗାଇଥିବା କଟକଣା ଫଳରେ ମେ’ରେ ଦେଶରୁ ଗହମ ରପ୍ତାନି ହ୍ରାସ ପାଇଛି । ଆଲୋଚ୍ୟ ସମୟରେ ଦେଶରୁ ମୋଟ ୧.୧୩ ନିୟୁତ ଟନ୍‌ ଗହମ ରପ୍ତାନି ହୋଇଛି, ଯାହାକି ଏପ୍ରିଲରେ ରେକର୍ଡ ୧.୪୬ ନିୟୁତ ଟନ୍‌ ଥିଲା ।

ବିଶ୍ୱର ଦ୍ୱିତୀୟ ବୃହତ୍‌ ଗହମ ଉତ୍ପାଦନକାରୀ ହେଉଛି ଭାରତ । ଘରୋଇ ବଜାରରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଏହା ମେ’ ୧୪ରେ ରପ୍ତାନି କଟକଣା ଲଗାଇଥିଲା ।ତେବେ କିଛି ସର୍ତ୍ତାବଳୀ ସହ ରପ୍ତାନି ଅନୁମତି ଦିଆଯିବ ବୋଲି ସରକାର ନିଜ ବିବୃତିରେ କହିଥିଲେ । ଖାଦ୍ୟ ନିରାପତ୍ତାକୁ ଆଖି ଆଗରେ ରଖି ଦେଶଗୁଡିକର ସରକାରଙ୍କ ଅନୁରୋଧ କ୍ରମେ ରପ୍ତାନି ଅନୁମତି ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଥିଲେ । ରପ୍ତାନିରେ ସାମାନ୍ୟ କୋହଳ କରାଯିବା ସତ୍ତେ୍ୱ ଏବେ ବି ୧.୭ ନିୟୁତ ଟନ୍‌ ଗହମ ବନ୍ଦରଗୁଡ଼ିକରେ ପଡ଼ିରହିଛି । କଟକଣା ଲାଗିବା ପୂର୍ବରୁ ରପ୍ତାନିକାରୀମାନେ ବୃହତ୍‌ ମାତ୍ରାରେ ଗହମକୁ ବନ୍ଦର ପଠାଇ ଦେଇଥିଲେ । ଏବେ ସେସବୁ ସେଠାରେ ପଡ଼ିରହିଛି ।

କାଣ୍ଡ୍‌ଲା ଏବଂ ମୁନ୍ଦ୍ରା ବନ୍ଦରରେ ସର୍ବାଧିକ ଗହମ ପଡ଼ି ରହିଥିବା ମୁମ୍ବାଇଭିତ୍ତିକ ଜଣେ ଡିଲର ସୂଚନା ଦେଇଛନ୍ତି । ଉଭୟ ବନ୍ଦରରେ ମୋଟ ୧.୩ ନିୟୁତ ଟନ୍‌ ଶସ୍ୟ ପଡ଼ିରହିଛି । ଆଗକୁ ବର୍ଷା ରହିଛି । ଏଭଳି ସ୍ଥିତିରେ ଏଗୁଡିକୁ ଥଇଥାନ ନ କଲେ ଶସ୍ୟଗୁଡ଼ିକ ନଷ୍ଟ ହୋଇଯିବା ଥୟ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.