ଡେସ୍କଟପରେ କରିପାରିବେ ଭଏସ୍ ଓ ଭିଡିଓ କଲ୍: ଖୁବ ଶୀଘ୍ର ନୂଆ ଫିଚର୍ ଲଞ୍ଚ୍ କରିବ ହ୍ୱାଟ୍ସଆପ୍

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ ୧୯/୧୨ : ଫେସବୁକ୍ ମାଲିକାନା କମ୍ପାନୀ ହ୍ୱାଟ୍ସଆପ୍ ଖୁବ ଶୀଘ୍ର ଡେସ୍କଟପ ପାଇଁ ଭଏସ ଓ ଭିଡିଓ କଲିଂ ଫିଚର ଲଞ୍ଚ କରିପାରେ। କମ୍ପାନୀ ବହୁ ଦିନ ହେଲା ଏହି ଫିଚର୍ସର ଟେଷ୍ଟିଙ୍ଗ କରୁଛି। କମ୍ପାନୀ ଖୁବ ଶୀଘ୍ର ୟୁଜର୍ସଙ୍କ ପାଇଁ ଏହି ଫିଚର୍ ରୋଲଆଉଟ୍ କରିପାରେ। WABetaInfo ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପର ଭଏସ୍ ଓ ଭିଡିଓ କଲିଂ ଫିଚର୍ ବର୍ତ୍ତମାନ ବିଟାରେ ଉପଲବ୍ଧ ଯେଉଁଠାରେ ଏହାର ଟେଷ୍ଟିଙ୍ଗ୍ କରାଯାଉଛି।

ହ୍ୱାଟ୍ସଆପର ଡେସ୍କଟପ୍ ଭଏସ୍ ଓ କଲିଂ ଫିଚର୍ ଲଞ୍ଚ୍ ହେବାପରେ ଏହାର ମୁକାବିଲା ସିଧା ସଳଖ ଜୁମ୍, ଗୁଗଲ୍ ମିଟ୍ ଓ ମାଇକ୍ରୋସଫ୍ଟ ଟିମ୍ସ ଆପ୍ ସହ ହେବ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ଫିଚର୍ ଆସିବାପରେ ହ୍ୱାଟ୍ସଆପ୍ ବାକି ସବୁ ଆପକୁ ପଛରେ ପକାଇଦେବ। କାରଣ ହ୍ୱାଟ୍ସଆପରେ ଭିଡିଓ କିମ୍ବା ଅଡିଓ କଲ୍ ପାଇଁ ଅନ୍ୟ କୌଣସି ଆପ୍ ଖୋଲିବାର ଆବଶ୍ୟକତା ପଡିବ ନାହିଁ। ଅପରପକ୍ଷରେ ଭଏସ୍ ଏବଂ ଭିଡିଓ କଲ୍ ପାଇଁ ଜୁମ୍, ଗୁଗୁଲ୍ ମିଟ୍ ଏବଂ ମାଇକ୍ରୋସଫ୍ଟ ଆପଗୁଡିକ ବାରମ୍ବାର ଖୋଲିବାକୁ ପଡିଥାଏ।

ଏହି ଫିଚର୍ସ ରୋଲଆଉଟ୍ ହେବାପରେ ଆପଣ ଡେସ୍କଟପରେ ହ୍ୱାଟ୍ସଆପ୍ ଖୋଲିଲେ ଆପଣମାନଙ୍କୁ ଏକ ୱିଣ୍ଡୋ ପପ୍ ଅପ୍ ଦେଖାଯିବ। କଲ୍ କରିବାକୁ ୟୁଜର୍ସଙ୍କୁ ଚାଟ୍ ଓପନ୍ କରି ଡାହାଣ ପଟେ ଉପରକୁ ଥିବା ଭଏସ୍ କିମ୍ବା ଭିଡିଓ କଲ୍ ଅପ୍ସନ୍ ଚୟନ କରିବାକୁ ହେବ। ମୋବାଇଲ ଆପରେ ଯେଉଁଭଳି ଭଏସ୍ ଓ ଭିଡିଓ କଲ୍ କରାଯାଏ ଏହା ଠିକ୍ ସେହିଭଳି। ବହୁ ଦିନ ହେଲା ହ୍ୱାଟ୍ସଆପରେ ଭଏସ୍ ଓ ଭିଡିଓ କଲ୍ ସୁବିଧା ଦାବି କରୁଛନ୍ତି ୟୁଜର୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.