୪୮୭ ମିଲିୟନ ହ୍ୱାଟ୍ସ ଆପ ୟୁଜର୍ସଙ୍କ ଡାଟା ଲିକ୍, ଅନଲାଇନରେ ବିକ୍ରି କରୁଛନ୍ତି ହ୍ୟାକର

Published By : Prameya-News7 Bureau | November 28, 2022 IST

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ୱାଟ୍ସ ଆପର ୪୮୭ ମିଲିୟନ ୟୁଜର୍ସଙ୍କ ଡାଟା ଚୋରି ହୋଇଛି । ୱାଟ୍ସ ଆପ ୟୁଜର୍ସଙ୍କ ଫୋନ ନମ୍ୱର ବିକ୍ରି କରାଯାଉଛି । ଏଥିରେ ଭାରତ, ଆମେରିକା, ସାଉଦି ଆରବ, ମିଶର ସହ ୮୪ ଦେଶର ୟୁଜର୍ସ ସାମିଲ ଅଛନ୍ତି । ହ୍ୟାକରମାନେ ଅନଲାଇନରେ ଡାଟାକୁ ବିକ୍ରି କରିବାକୁ ପ୍ରୟାସ କରୁଛନ୍ତି । ଏହି ସୂଚନାଗୁଡିକୁ ଫିଶିଙ୍ଗ ଅଟେକ୍ସରେ ବ୍ୟବହାର କରାଯାଏ । ଦାବି କରାଯାଉଛି ଯେଉଁ ୟୁଜର୍ସଙ୍କ ଡାଟା ଚୋରି କରାଯାଇଛି, ସେଥିରେ ସବୁଠୁ ଅଧିକ ମିଶରର ରହିଛି । ଏହା ପଛକୁ ଇଟାଲୀ, ଆମେରିକା, ସାଉଦି ଆରବ, ଫ୍ରାନ୍ସ, ତୁର୍କୀ ଏବଂ ଭାରତ ସମେତ ଅନ୍ୟ ଦେଶର ୟୁଜର୍ସ ଅଛନ୍ତି ।

ସାରା ଦୁନିଆରେ ଦୁଇ ବିଲିୟନରୁ ଅଧିକ ୟୁଜର୍ସ ଅଛନ୍ତି । ବଡ଼ ସଂଖ୍ୟାରେ ୟୁଜର୍ସଙ୍କ ଡାଟା ଚୋରି ହେବା ବଡ଼ ପ୍ରଶ୍ନ ଠିଆ କରିଛି । ସଭିଙ୍କ ଚିନ୍ତା ହେବା ମଧ୍ୟ ସ୍ୱଭାବିକ । ତେବେ ଏହା ପ୍ରଥମ ଥର ନୁହେଁ, ଯେତେବେଳେ ୱାଟ୍ସ ଆପର ପେରେଣ୍ଟ କମ୍ପାନି ମେଟାରୁ ଡାଟା ଚୋରି ଖବର ଆସିଛି । ଏହା ପୂର୍ବରୁ ମଧ୍ୟ ଜଣେ ହ୍ୟାକର ଦାବି କରିଥିଲେ ଯେ ତାଙ୍କ ପାଖରେ ୫୦ କୋଟିରୁ ଅଧିକ ଫେସବୁକ ୟୁଜର୍ସଙ୍କ ସୂଚନା ରହିଛି । ଏଥିରେ ଫୋନ ନମ୍ୱର ଏବଂ ଅନ୍ୟ ସୂଚନା ରହିଛି।

ରିପୋର୍ଟ ଅନୁସାରେ ଏହି ଡାଟାକୁ ଡାର୍କ ୱେବରେ ବିକ୍ରି କରାଯାଉଛି । କାରଣ ୱାଟ୍ସ ଆପର ଏକ ବଡ଼ ୟୁଜରବେସ ଭାରତରେ ରହିଛି । ସାଇବର ନ୍ୟୁଜର ରିପୋର୍ଟ ଅନୁସାରେ, ଆମେରିକାର ପ୍ରାୟ ୩୨ ମିଲିୟନ ୟୁଜର୍ସଙ୍କ ନମ୍ୱର ରହିଛି । ଏହାର ମୂଲ୍ୟ ପ୍ରାୟ ୫,୭୦,୦୦୦ ଟଙ୍କା ରଖାଯାଇଛି । ସେହିପରି ମିଶରର ୪୫ ମିଲିୟନ ଏବଂ ଇଟାଲୀର ୩୨ ମିଲିୟନ ୟୁଜର୍ସ ଅଛନ୍ତି ।  

ଏହା ପୂର୍ବରୁ ଚଳିତ ବର୍ଷ ଆରମ୍ଭରେ ୫.୪ ମିଲିୟନ ଟ୍ୱିଟର ୟୁଜର୍ସଙ୍କ ଡାଟା ମଧ୍ୟ ଅନଲାଇନରେ ବିକ୍ରି ପାଇଁ ହ୍ୟାକରମାନେ ଛାଡିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.