ଏପ୍ରିଲ ୧୧ରେ ଅନଶନ, ମେ ୧୧ରେ ଜନସଂଘର୍ଷ ଯାତ୍ରା; ଏବେ ଜୁନ ୧୧ରେ କ’ଣ କରିବେ ସଚିନ ପାଇଲଟ୍ ?
6/06/2023 at 9:01 PM

ଜୟପୁର: ସର୍ବଦା କଡ଼ ଲେଉଟାଉଛି ରାଜସ୍ଥାନ ରାଜନୀତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କ ମଧ୍ୟରେ ଥିବା ମତଭେଦ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି। ବରିଷ୍ଠ ନେତା ସଚିନ ପାଇଲଟ୍ ଅନେକ ଦିନ ନିଜ ପାର୍ଟି ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ପାଇଲଟ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରାଙ୍କ ସରକାରରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଇବାକୁ ସେ ବାରମ୍ବାର ଦାବି କରି ଆସିଛନ୍ତି। ଏମିତିରେ ପାଇଲଟ୍ ରାଜ୍ୟରେ କଂଗ୍ରେସର ପ୍ରମୁଖ ଚେହେରା ହେବାକୁ ଚାହାନ୍ତି। ଏମିତିରେ ଗତ ୩ ମାସର ଘଟଣାକ୍ରମକୁ ଦେଖିଲେ ଏଥିରେ ୧୧ ତାରିଖର ଏକ ପାର୍ଟନ ଦେଖିବାକୁ ମିଳିଛି।
ଏପ୍ରିଲ ୧୧ରେ ସଚିନ ପାଇଲଟ୍ ଦୁର୍ନୀତିର ତଦନ୍ତ ଦାବିରେ ଧାରଣାରେ ବସିଥିଲେ। ପୁଣି ମେ ୧୧ରେ ପାଇଲଟ୍ ପୁଣି ଥରେ ଦୁର୍ନୀତିର ତଦନ୍ତ ଦାବିରେ ଆଜମେରରୁ ଜୟପୁର ପର୍ଯ୍ୟନ୍ତ ଜନସଂଘର୍ଷ ପଦ ଯାତ୍ରା କରିଥିଲେ। ଏବେ ପ୍ରଶ୍ନ ଉଠୁଛି ଯେ, କଣ ପାଇଲଟ୍ ଜୁନ ୧୧ରେ କିଛି ବଡ଼ ନିଷ୍ପତ୍ତି ନେବେ କି ?

ପାଇଲଟ୍ଙ୍କ ପାଇଁ ଜୁନ ୧୧ ତାରିଖ ଗୁରୁତ୍ଵ ବହନ କରୁଛି। ସଚିନ ପାଇଲଟ୍ଙ୍କ ବାପା ତଥା କଂଗ୍ରେସର ଦିବଙ୍ଗତ ବରିଷ୍ଠ ନେତା ରାଜେଶ ପାଟିଲ୍ଙ୍କ ପୁଣ୍ୟତିଥି। ଏହି ଦିନ ସଚିନ ପାଇଲଟ୍ଙ୍କ ବାପା ରାଜେଶ ପାଇଲଟ୍ଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଥିଲା। ଏହି କାରଣରୁ ସଚିନଙ୍କ ପାଇଁ ୧୧ ତାରିଖଟି ବହୁତ ମହତ୍ଵପୂର୍ଣ୍ଣ କୁହାଯାଏ। ୧୧ ତାରିଖର ପାଟର୍ନକୁ ଦେଖିଲେ ଆଶା କରାଯାଉଛି ଯେ, ପିତାଙ୍କ ପୁଣ୍ୟତିଥିରେ ସଚିନ ପାଇଲଟ୍ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି।
ସୂତ୍ର ଅନୁଯାୟୀ ପାଇଲଟ୍ ନୂତନ ପାର୍ଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାର୍ଟି ନାମ ମଧ୍ୟ ସ୍ଥିର କରି ସାରିଛନ୍ତି। ସେ ପ୍ରଗତଶୀଳ କଂଗ୍ରେସ ନାମରେ ନୂତନ ପାର୍ଟି ଗଠନ କରି ପାରନ୍ତି। ଏହାର ଘୋଷଣା ଜୁନ ୧୧ରେ ଜୟପୁରରେ କରି ପାରନ୍ତି। କାରଣ ଏହି ଦିନ ସଚିନ ପାଇଲଟଙ୍କ ପିତା ରାଜେଶ ପାଇଲଟଙ୍କ ମଧ୍ୟ ପୁଣ୍ୟତିଥି ପଡୁଛି।

ଯଦି ସଚିନ ପାଇଲଟ୍ ନୂତନ ପାର୍ଟି ଗଠନ କରନ୍ତି ତେବେ ବଡ଼ ପ୍ରଶ୍ନ ଏହା ଯେ ତାଙ୍କୁ କେତେ ବିଧାୟକ ସମର୍ଥନ କରିବେ ? ଏମିତି ହେଲେ ଅଶୋକ ଗେହଲଟ ସରକାର ଉପରେ ସଙ୍କଟ ଆସିବନି ତ ? ଏହା ପୂର୍ବରୁ ୨୦୨୦ରେ ଯେବେ ସଚିନ ପାଇଲଟ୍ ବିଦ୍ରୋହ କରିଥିଲେ, ସେତେବେଳେ ତାଙ୍କ ସହିତ ୧୯ ବିଧାୟକ ଥିଲେ। କୁହାଯାଉଛି ଏଥର ମଧ୍ୟ ଅନେକ ବିଧାୟକ ତାଙ୍କ ସମର୍ଥନରେ ରହି ପାରନ୍ତି।