ତିତଲି ଏବେ ଗୋପାଳପୁରଠାରୁ ୨୩୦ କିଲୋମିଟର ଦୂରରେ, ଲ୍ୟାଣ୍ଡଫଲ୍ ପରେ କଣ ହେବ ସ୍ଥିତି – ଆସନ୍ତୁ ଜାଣିବା
10/10/2018 at 6:34 PM

ଭୁବନେଶ୍ବର ୧୦|୧୦: ତିତଲି ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ହେବ । ଯାହା ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି କରିବ ।
ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ୱାର୍ଣ୍ଣିଂ ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଗତକାଲି ଠାରୁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ୫ଟି ଜିଲ୍ଲା ପାଇଁ ଜାରି ହୋଇଥିବା ରେଡ୍ ୱାର୍ଣ୍ଣିଂ ବଳବତ୍ତର ରହିଛି । ପ୍ରବଳ ବର୍ଷା ଯୋଗୁଁ ରୁଷିକୁଲ୍ୟା ଓ ବଂଶଧାରାରେ ବନ୍ୟା ସ୍ଥିତି ଉପୁଜିବା ସମ୍ଭାବନା ରହିଛି । ଜଳସମ୍ପଦ ବିଭାଗ, କେନ୍ଦୁଝର ଜିଲ୍ଲାରେ ସାଳନ୍ଦୀ ଡ୍ୟାମର ୪ଟି ଗେଟ୍ ଖୋଲି ଦେଇଥିବା ବେଳେ ଉପକୂଳ ଜିଲ୍ଲାରେ ବନ୍ୟା ଜଳ ନିଷ୍କାସନ ପାଇଁ ତତ୍ପର ହୋଇଛି ।
ଗଞ୍ଜାମ ଜିଲ୍ଲାରେ ୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରେ।