ରେଡ୍ ଜୋନ୍‌ର ନିୟମ କେତେ କଡା ? ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍‌ରେ କ’ଣ କ’ଣ କୋହଳ

Published By : Prameya-News7 Bureau | May 04, 2020 IST

ଭୁବନେଶ୍ବର ୪।୫: କେନ୍ଦ୍ର ସରକାରଙ୍କ ଲକ୍ ଡାଉନ୍ ୩.୦ ଗାଇଡ୍ ଲାଇନ୍ ଜାରି ହେବା ପରେ ରାଜ୍ୟ ସରକାର ମଧ୍ୟ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଭୁବନେଶ୍ବର ମହାନଗର ନିଗମ ସମେତ ରାଜ୍ୟର ୩ଟି ଜିଲ୍ଲା ଯାଜପୁର, ବାଲେଶ୍ବର ଓ ଭଦ୍ରକ ରେଡ୍‌ ଜୋନ୍‌ରେ ରହିଛି । ସେହିପରି ୧୧ଟି ଜିଲ୍ଲାକୁ ଅରେଞ୍ଜ ଓ ୧୬ଟିକୁ ଗ୍ରୀନ୍‌ ଜୋନ୍‌ରେ ରଖାଯାଇଛି ।  ଅରେଞ୍ଜ ଜୋନରେ ଖୋର୍ଦ୍ଧା (ବିଏମ୍‌ସି ଅଞ୍ଚଳ ବାଦ୍‌), ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ ଜିଲ୍ଲା ରହିଛି ।  ସେହିପରି ଗ୍ରୀନ୍‌ ଜୋନ୍‌ ରେ ଅନୁଗୋଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ, ପୁରୀ ଜିଲ୍ଲା ରହିଛି ।

୪ଟି ରେଡ୍‌ ଜୋନ୍‌ରେ ସମସ୍ତ ମଲ୍‌, ମାର୍କେଟ୍‌ କମ୍ପ୍ଲେକ୍ସ ବନ୍ଦ ରହିବ । ପୌରାଞ୍ଚଳରେ ଥିବା ବଜାର ବି ବନ୍ଦ ରହିବ । ରିକ୍ସା ଓ ଅଟୋ, ଟାକ୍ସି, କ୍ୟାବ୍‌ ବି ଚଳାଚଳ କରିବନାହିଁ । ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ସେଲୁନ୍‌, ସ୍ପା, ବିଉଟି ପାର୍ଲର୍‌ ବନ୍ଦ ରହିବ । ସେହିଭଳି ଅନୁମତିପ୍ରାପ୍ତ କାର୍‌ ଚାଲିବ । ତେବେ ଚାରି ଚକିଆ ଗାଡିରେ ଡ୍ରାଇଭର୍‌ ସମେତ ସର୍ବାଧିକ ଦୁଇ ଜଣ ଯାଇପାରିବେ । ଦୁଇ ଚକିଆରେ କେବଳ ଜଣେ ହିଁ ଯାଇପାରିବେ । ତେବେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ବାରା ଅନୁମତିପ୍ରାପ୍ତ ସୀମିତ ସଂଖ୍ୟକ ଓଲା, ଉବେର୍‌ ହସ୍ପିଟାଲକୁ ଯାଇପାରିବେ । ଏଥିରେ କେବଳ ରୋଗୀ ଓ ସ୍ବାସ୍ଥ୍ୟ କର୍ମଚାରୀ ଯିବେ ।

ସହରାଞ୍ଚଳରେ ଥିବା ଏସ୍‌ଇଜେଡ୍‌, ରପ୍ତାନୀ ୟୁନିଟ୍‌, ଶିଳ୍ପାଞ୍ଚଳ, ଶିଳ୍ପାଞ୍ଚଳରେ ଥିବା ଟାଉନସିପ୍‌ରେ କଟକଣା ସୀମିତ କୋହଳ କରାଯାଇଛି । ଡ୍ରଗସ୍‌, ଫାର୍ମାସିଟ୍ୟୁକାଲସ୍‌, ସ୍ବାସ୍ଥ୍ୟସେବା ଓ ଏହାର କଞ୍ଚାମାଲ ସମେତ ସମସ୍ତ ଜରୁରୀ ସାମଗ୍ରୀ ଉତ୍ପାଦନ ୟୁନିଟ୍‌, ଉତ୍ପାଦନ ୟୁନିଟ୍‌ ଓ ଏହାର ସପ୍ଲାଇ ଚେନ୍‌, ଆଇଟି ଓ ହାର୍ଡଓୟାର ଉତ୍ପାଦନ ୟୁନିଟ୍‌, ଝୋଟ ଶିଳ୍ପ ଓ ଏହାର ଉତ୍ପାଦନ ଓ ସାମଗ୍ରୀ ପ୍ୟାକେଜିଂକୁ ଅନୁମତି ଦିଆଯାଇଛି । ତେବେ ଏଠାରେ ସାମାଜିକ ଦୂରତ୍ବ ନିୟମକୁ କଡାକଡି ପାଳନ କରାଯିବ ।

ସହରାଞ୍ଚଳରେ ନିର୍ମାଣ ସାଇଟ୍‌ରେ ଥିବା ଶ୍ରମିକଙ୍କୁ ନେଇ ନିର୍ମାଣ କାମ ଚାଲିପାରିବ । ବାହାରୁ କୌଣସି ଶ୍ରମିକଙ୍କୁ ଆଣି ଏଥିରେ ନିୟୋଜିତ କରିହେବନି । ରେଡ୍‌ ଜୋନ୍‌ରେ ଜରୁରୀ ସାମଗ୍ରୀ ଦୋକାନ ଖୋଲିବ । ସେହିଭଳି ରେଡ୍‌ ଜୋନ୍‌ରେ ଥିବା ଗୋଟିକିଆ ଦୋକାନ ଓ ଗଳିକନ୍ଦିରେ ଥିବା ଦୋକାନରେ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିହେବ । ଗ୍ରାମାଞ୍ଚଳରେ ମଲ୍‌କୁ ଛାଡି ଅନ୍ୟ ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ଖୋଲିବ । ତେବେ ଦୋକାନରେ ୬ଫୁଟର ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି ।

ରେଡ୍‌ ଜୋନ୍‌ରେ କେବଳ ଜରୁରୀ ସାମଗ୍ରୀ ପାଇଁ ଇ-କମର୍ସ ପାଇଁ ଅନୁମତି ଦିଆଯାଇଛି । ଘରୋଇ ଅଫିସ୍‌ ଖୋଲା ରହିବ କିନ୍ତୁ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । କେନ୍ଦ୍ରୀୟ ଓ ସରକାରୀ ଅଫିସ୍‌ ସମେତ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସରକାରୀ ଅଫିସ୍‌ ଖୋଲିବ । ରେଡ୍‌ ଜୋନ୍‌ରେ ଆସୁଥିବା ଗ୍ରାମାଞ୍ଚଳର ସମସ୍ତ ଶିଳ୍ପ ଓ ନିର୍ମାଣ କାମକୁ ଅନୁମତି ଦିଆଯାଇଛି ।

ସେହିଭଳି ଅରେଞ୍ଜ ଜୋନ୍‌ରେ ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ କୌଣସି ବସ୍‌ ଯିବନି । କିନ୍ତୁ ଟାକ୍ସି ଓ କ୍ୟାବ୍‌ ଚାଲିପାରିବ । କିନ୍ତୁ ଏଥିରେ ଡ୍ରାଇଭର ସହ କେବଳ ଦୁଇ ଜଣ ଲୋକ ବସି ଯାଇପାରିବେ । ଅରେଞ୍ଜ ଜୋନ୍‌ରେ ସ୍ପା, ସେଲୁନ୍‌ ଖୋଲିପାରିବ । ରିକ୍ସା ଓ ଅଟୋ ଚାଲିବ । ଗ୍ରୀନ୍‌ ଜୋନ୍‌ରେ ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବସ୍‌ ଗଡିବନି । କିନ୍ତୁ ଅନ୍ୟ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ଅନୁମତି ମିଳିଛି ।

ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୭ଟାରୁ ସକାଳ ୭ଟା ମଧ୍ୟରେ ଯାତାୟତ ବନ୍ଦ କରାଯାଇଛି । ଏହି ସମୟରେ କୌଣସି ଲୋକେ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ଅଣ ଅତ୍ୟାବଶ୍ୟକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ରହିବ । ସବୁ ଜୋନ୍‌ରେ ୬୫ବର୍ଷରୁ ଅଧିକ ବୟସ୍କ, ରୋଗୀ ବ୍ୟକ୍ତି, ଗର୍ଭବତୀ, ଶିଶୁ ଘରେ ରହିବେ । କେବଳ ଚିକିତ୍ସା ଓ ଜରୁରୀ ଆବଶ୍ୟକତା ଥିଲେ ବାହାରକୁ ଯିବେ । କଣ୍ଟେନ୍‌ମେଣ୍ଟ ଜୋନ୍‌ ବା କରୋନା ସଂକ୍ରମଣ ରୋକିବାକୁ ସିଲ୍‌ ହୋଇଥିବା ଅଞ୍ଚଳରେ ଓପିଡି, ମେଡିକାଲ କ୍ଲିନିକ୍‌ ବନ୍ଦ କରାଯାଇଛି । କିନ୍ତୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ସାମାଜିକ ଦୂରତା ନିୟମ ପାଳନ ସର୍ତ୍ତରେ ଏହାକୁ ଅନୁମତି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.