ବ୍ୟାଟିଂ ବେଳେ ସାମାନ୍ୟ ଭୟଭୀତ ଥିଲେ ଗ୍ରୀନ୍, ଏମିତି କହି ଡର ଛଡାଇଲେ କେଏଲ ରାହୁଲ

Published By : Prameya-News7 Bureau | December 04, 2020 IST

ସିଡନୀ, ୦୪/୧୨ :   ଅଷ୍ଟ୍ରେଲିଆର ଯୁବ ଖେଳାଳି କ୍ୟାମରନ୍ ଗ୍ରୀନ କାନବେରାରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ପଦାର୍ପଣ କରିଥିଲେ । ସେ ଅଷ୍ଟ୍ରେଲିଆର ୨୩୦ ତମ ଖେଳାଳି ହୋଇଥିଲେ । ତାଙ୍କୁ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ ଗ୍ରୀନ କ୍ୟାପ୍ ଦେଇଥିଲେ । ମ୍ୟାଚରେ ଯେତେବେଳେ ଗ୍ରୀନ୍ ବ୍ୟାଟିଂ ପାଇଁ ଆସିଥିଲେ କିଛି ମାତ୍ରାରେ ତାଙ୍କ ମନରେ ଭୟ ଥିଲା । କିନ୍ତୁ ଭାରତୀୟ ଓ୍ୱିକେଟ୍ କିପର କେଏଲ ରାହୁଲ ଏପରି କିଛି କହିଥିଲେ ଯାହା ଶୁଣି ଗ୍ରୀନଙ୍କ ଭୟ ଦୂର ହୋଇଯାଇଥିଲା । ଏନେଇ ନିଜେ ମ୍ୟାଚ୍ ପରେ କହିଛନ୍ତି ଗ୍ରୀନ୍ ।

ଗ୍ରୀନ୍ ମ୍ୟାଚ୍ ପରେ କହିଛନ୍ତି ଯେ, କେଏଲ ରାହୁଲ ଓ୍ୱିକେଟ୍ ପଛରେ ଭଲ ସମର୍ଥନ କରିଥାନ୍ତି । ଯେତେବେଳେ ସେ ବ୍ୟାଟିଂ କରିବାକୁ ଆସିଥିଲେ ସାମାନ୍ୟ ନର୍ଭସ ଥିଲେ । ଏହାପରେ ରାହୁଲ ତାଙ୍କୁ କହିଥିଲେ ଯେ, ଭଲ କର ୟଙ୍ଗଷ୍ଟାର୍ । ରାହୁଲଙ୍କ ଏପରି ଆଚରଣକୁ ସେ ସର୍ବଦା ମନେ ରଖିବେ ବୋଲି ଗ୍ରୀନ୍ କହିଛନ୍ତି ।

ଏହାସହ ଗ୍ରୀନ୍ ଭାରତୀୟ ସ୍ପିନ୍ ବୋଲିଂକୁ ପ୍ରଶଂସା କରିଛନ୍ତି । ଆଗରୁ ସେ ଏପରି ସ୍ପିନ୍ ଦେଖିନଥିଲେ ।  ରବୀନ୍ଦ୍ର ଜାଡେଜା ଜଣେ ଆକର୍ଷଣୀୟ ସ୍ପିନର । ଏପରି ବୋଲରଙ୍କ ସାମ୍ନା କରିବାକୁ ଯେତେ ଫୁଟେଜ ଦେଖିଲେ ମଧ୍ୟ  ମଇଦାନରେ ସ୍ଥିତି ଭିନ୍ନ ରହିଥାଏ । ଏହି ଅନୁଭବ ସମ୍ପୂର୍ଣ୍ଣ ଅଲଗା । ଏହାସହ ସେ ବିରାଟ କୋହଲିଙ୍କୁ ଗୋଟିଏ ଓଭର ବୋଲିଂ କରିଥିଲେ । ବିରାଟ ଜଣେ ଭଲ ବ୍ୟାଟସମ୍ୟାନ୍ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଏହି ମ୍ୟାଚରେ ଗ୍ରୀନ୍ ୨୧ ରନ୍ କରି ରବିନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ ।ଏହି ପାଳିରେ ସେ ଗୋଟିଏ ଛକା ଓ ଗୋଟିଏ ଚୌକା ଲଗାଇଥିଲେ । ଏହାସହ ସେ ୪ ଓଭର ବୋଲିଂ କରି ୨୭ ରନ୍ ବ୍ୟୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.