ଶାସ୍ତ୍ରୀ ହଟିବେ, ଦ୍ରାବିଡ ହେବେ କି ମୁଖ୍ୟ କୋଚ୍ ? କ'ଣ କହିଲେ କପିଲ ଦେବ...

Published By : Prameya-News7 Bureau | July 05, 2021 IST

ନୂଆଦିଲ୍ଲୀ,୦୫/୦୭: ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ପାଇଁ ପୂର୍ବତନ ବ୍ୟାଟସମ୍ୟାନ୍ ତଥା ଜାତୀୟ କ୍ରିକେଟ ଆକାଡେମୀ ମୁଖ୍ୟ ରାହୁଲ ଦ୍ରାବିଦଙ୍କୁ କୋଚ୍ ଭାବେ ଦାୟିତ୍ୱ ଦିଆଯାଇଛି ।ଭବିଷ୍ୟତରେ ଦ୍ରାବିଡଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ୍ କରାଯିବ ବୋଲି କେହି କେହି ଅନୁମାନ କରୁଛନ୍ତି । ଦଳର ବର୍ତ୍ତମାନର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଟି୨୦ ବିଶ୍ୱକପ ପରେ ଶେଷ ହୋଇଯିବ । ଏହାପରେ ଦ୍ରାବିଡଙ୍କୁ ଦାୟିତ୍ୱ ଦିଆଯାଉ ବୋଲି ଅନେକ କ୍ରିକେଟ ବିଶେଷଜ୍ଞ ମତ ଦେଉଛନ୍ତି ।

ଶାସ୍ତ୍ରୀ କୋଚ୍ ଭାବେ ଦଳ ପାଇଁ ବହୁତ କିଛି କରିଛନ୍ତି । କିନ୍ତୁ ଦଳ ଗୋଟିଏ ହେଲେ ଆଇସିସି ଟ୍ରଫି ହାସଲ କରିପାରି ନାହିଁ । ଅନ୍ୟଦିଗରେ ଦ୍ରାବିଡ ନିଜକୁ ସଫଳ କୋଚ୍ ଭାବେ ପ୍ରମାଣିତ କରିଛନ୍ତି । ଦ୍ରାବିଡ କୋଚ୍ ଥିବା ବେଳେ ଭାରତ ୨୦୧୮ ଅଣ୍ଡର-୧୯ ବିଶ୍ୱକପ ଜିତିଥିଲା । ତେବେ ଦ୍ରାବିଡ ମୁଖ୍ୟ କୋଚ୍ ହେବେ  ନା ନାହିଁ ସେନେଇ ପ୍ରତିକ୍ରିୟା ଦେଇଛନ୍ତି ଭାରତକୁ ପ୍ରଥମ ବିଶ୍ୱକପ ଭେଟି ଦେଇଥିବା ପୂର୍ବତନ ଅଧିନାୟକ କପିଲ ଦେବ ।

କପିଲ ଦେବ କହିଛନ୍ତି ଯେ.ଏନେଇ ଅଧିକ ଆଲୋଚନା କରିବା ଠିକ୍ ନୁହେଁ । ପ୍ରଥମେ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଶେଷ ହେଉ । ଏହାପରେ ଦଳ କିପରି ପ୍ରଦର୍ଶନ କରିଛି ତାହା ସ୍ପଷ୍ଟ ହୋଇଯିବ । ଯଦି ଦଳ ନୂଆ କୋଚ୍ ଖୋଜୁଛି ତେବେ କିଛି ଭୁଲ ହେବନାହିଁ । ଯଦି ଶାସ୍ତ୍ରୀ କୋଚ୍ ଭାବେ ସଫଳ ହୁଅନ୍ତି ତେବେ ତାଙ୍କୁ ହଟାଇବା ଆବଶ୍ୟକ ନାହିଁ । ଏହା କେବଳ ସମୟ ହିଁ କହିପାରିବ । ଏହାପୂର୍ବରୁ କୋଚ୍ ଓ ଖେଳାଳିଙ୍କୁ ଅଯଥା ଚାପ ଦେବା ଠିକ୍ ନୁହେଁ । 

ଭବିଷ୍ୟତରେ ଭାରତକୁ ୨ଟି ଟିମ୍ କରିବାକୁ ହେବ କି ବୋଲି ପ୍ରଶ୍ନରେ କପିଲ୍ କହିଛନ୍ତି ଯେ, ଭାରତ ପାଖରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି । ଯଦି ଭାରତ ଉଭୟ ଇଂଲଣ୍ଡ ଓ ଶ୍ରୀଲଙ୍କାରେ ସିରିଜ୍ ଜିତିବ ତେବେ ସବୁଠୁ ଭଲ କଥା ହେବ । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଭୁଲ ନୁହେଁ । କିନ୍ତୁ ସବୁ କିଛି ଦଳ ମ୍ୟାନେଜମେଣ୍ଟ ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.