ନୂଆଦିଲ୍ଲୀ ୧୯।୦୩: ସରକାରଙ୍କ ଉପରେ ଶିକ୍ଷାର ଗେରୁଆକରଣ କରାଯାଉଥିବା ସଙ୍ଗୀନ ଅଭିଯୋଗ ହୋଇଛି। ତେବେ ଗେରୁଆକରଣରେ ଭୁଲ୍ କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଶନିବାର ଦେଶର ଶିକ୍ଷା ପ୍ରଣାଳୀରେ ସଂପୂର୍ଣ୍ଣ ପରିବର୍ତ୍ତନ ଆସିବା ଦରକାର ବୋଲି ସେ କହିଛନ୍ତି। ଉପ ରାଷ୍ଟ୍ରପତି ଦେବ ସଂସ୍କୃତି ବିଶ୍ଵ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି, ଭାରତୀୟଙ୍କୁ ନିଜର ଔପୋନିବେଶକ ମାନସିକତା ଛାଡି ଦେବା ଉଚିତ୍। ନିଜର ଭାରତୀୟ ପରିଚୟକୁ ନେଇ ଗର୍ବ କରିବା ଉଚିତ୍। ଶିକ୍ଷା ପ୍ରଣାଳୀର ଭାରତୀୟକରଣ ଭାରତର ନୂତନ ଶିକ୍ଷା ନୀତିର କେନ୍ଦ୍ରସ୍ଥଳ। ଏହା ମାତୃଭାଷାକୁ ପ୍ରୋତ୍ସାହିତ କରିବା ଉପରେ ଜୋର ଦେଇଥାଏ।
ସ୍ଵାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପରେ ପାରମ୍ପରିକ ଶିକ୍ଷା ପ୍ରଣାଳୀକୁ ଖାରଜ କରିବାକୁ ଆହ୍ଵାନ ଦେଇ ଉପ ରାଷ୍ଟ୍ରପତି କହିଛନ୍ତି, ଏଥିରେ ଦେଶର ଶିକ୍ଷା ମାଧ୍ୟମରେ ଏକ ବିଦେଶୀ ଭାଷାକୁ ସଭିଙ୍କ ଉପରେ ଲଦି ଦିଆଗଲା। ଶିକ୍ଷାକୁ ଅଭିଜାତ ବର୍ଗରେ ସୀମିତ ରଖି ଦିଆଗଲା। ନାଇଡୁ କହିଛନ୍ତି, ଦଶନ୍ଧି ଦଶନ୍ଧି ଧରି ଔପୋନିବେଶକ ଶାସନରେ ଆମେ ନିଜକୁ ଏକ ନିମ୍ନ ଜାତି ଭାବେ ଦେଖିବାକୁ ଶିକ୍ଷା ଦିଆଯାଉଛି। ଆମକୁ ନିଜ ସଂସ୍କୃତି, ପାରମ୍ପରିକ ଜ୍ଞାନକୁ ତିରସ୍କାର କରିବା ଶିଖା ଯାଇଛି। ଏହା ଏକ ରାଷ୍ଟ୍ର ଭାବେ ଆମ ବିକାଶକୁ ଧିମା କରି ଦେଉଛି। ଆମର ଶିକ୍ଷା ଏକ ବିଦେଶୀ ଭାଷାରେ ସୀମିତ ହୋଇ ରହି ଯାଇଛି। ସମାଜର ଏକ ଛୋଟ ବର୍ଗ ଶିକ୍ଷାର ଅଧିକାରରୁ ଏକ ବଡ ବର୍ଗକୁ ବଞ୍ଚିତ କରୁଛି।
ଉପ ରାଷ୍ଟ୍ରପତି କହିଛନ୍ତି, ଆମକୁ ନିଜର ବିରାସତ, ନିଜର ସଂସ୍କୃତି, ନିଜର ପୂର୍ବଜଙ୍କ ଉପରେ ଗର୍ବ ଅନୁଭବ କରିବା ଉଚିତ୍। ଆମକୁ ନିଜ ମୂଳକୁ ପୁନର୍ବାର ଫେରିଯିବା ଉଚିତ୍। ଆମକୁ ନିଜର ଔପନିବେଶିକ ମାନସିକତାକୁ ତ୍ୟାଗ କରିବା ଉଚିତ୍। ନିଜର ପିଲାଙ୍କୁ ଭାରତୀୟ ପରିଚୟ ଭାବେ ଗର୍ବ କରିବା ଶିଖାଇବା ଉଚିତ୍। ଆମକୁ ଯେତେ ସମ୍ଭବ ଭାରତୀୟ ଭାଷା ଶିଖିବା ଉଚିତ୍। ଆମକୁ ନିଜର ମାତୃଭାଷା ପ୍ରତି ପ୍ରେମ କରିବା ଉଚିତ୍। ଆମକୁ ନିଜର ଶାସ୍ତ୍ରକୁ ଜାଣିବା ପାଇଁ ସଂସ୍କୃତି ଶିଖିବା ଉଚିତ୍ ଯାହା ଜ୍ଞାନର ଖଣି ବୋଲି କହିଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ।