କ’ଣ ୟୁଏନଏସସିର ଆତଙ୍କବାଦ ନିରୋଧକ ସମିତି, କାହିଁକି ଏହା ଭାରତ ପାଇଁ ଖାସ୍ ?

Published By : Prameya-News7 Bureau | October 27, 2022 IST

ନୂଆଦିଲ୍ଲୀ ୨୭/୧୦ : କେବଳକ ଭାରତ ନୁହେଁ ପୁରା ବିଶ୍ବ ଆତଙ୍କବାଦକୁ ନେଇ ଚିନ୍ତିତ। ଦୁନିଆରେ ସବୁ ଦେଶ ମିଶି ଆତଙ୍କବାଦ ଉପରେ ରୋକ୍ ଲଗାଇବା  ପାଇଁ କାମ କରୁଛନ୍ତି। ଏହି କ୍ରମରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବା ୟୁଏନଏସସି ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଆତଙ୍କବାଦକୁ ରୋକିବାକୁ ଅନେକ ରଣନୀତି ନେଇ ୟୁଏନଏସସି ତରଫରୁ ସିଟିସି ବୈଠକ ଆୟୋଜନ କରାଯାଏ। ତେବେ ଏଥର ବୈଠକ ଭାରତ ପାଇଁ ଖାସ୍ ହେବ, କାରଣ ୟୁଏନଏସସିର ସିଟିସି ବୈଠକ ଭାରତରେ ହିଁ ଆୟୋଜନ କରାଯାଉଛି। ଏମିତିରେ ପ୍ରଶ୍ନ ଉଠୁଛି ଯେ ପ୍ରକୃତରେ ଏହି ସିଟିସି କ’ଣ ? ଏହି ବୈଠକରେ କ’ଣ ହୋଇଥାଏ ? ଯେଉଁ କାରଣରୁ ଏହାର ଚର୍ଚ୍ଚା ପୂରା ଦେଶରେ ହେଉଛି। ତେବେ ଆସନ୍ତୁ ଜାଣିବା କ’ଣ ଏହି ସିଟିସି ଓ କାହିଁକି ଏହି ବୈଠକ ଭାରତ ପାଇଁ ସ୍ୱତନ୍ତ୍ର।

ସିଟିସି ହେଉଛି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଏକ ଖାସ୍ ପଦକ୍ଷେପ, ଯାହା କେବଳ ଆତଙ୍କବାଦ ଉପରେ କାମ କରିଥାଏ। ସିଟିସିର ପୂରା ନାମ ଆତଙ୍କବାଦ ନିରୋଧକ ସମିତି। ଯାହାକୁ ଇଂରାଜୀରେ କାଉଣ୍ଟର-ଟେରରିଜିମ୍ କମିଟି କୁହାଯାଏ। ସଂଯୁକ୍ତ ରାଷ୍ଟ୍ର ସିଟିସି ସୁରକ୍ଷା ପରିଷଦର ୧୫ ସଦସ୍ୟ ଅଛନ୍ତି। ୨୦୦୧ ସେପ୍ଟେମ୍ବର ୨୮ ରେ ସିଟିସି ଆରମ୍ଭ ହୋଇଥିଲା। ସୁରକ୍ଷା ପରିଷଦ, ସଂଯୁକ୍ତ ରାଷ୍ଟ୍ରର ଅନ୍ତର୍ଗତ ଦେଶରେ ଆତଙ୍କବାଦ ନିରୋଧି ଉପାୟ ଲାଗୁ କରିବାର ସଂକଳ୍ପ ନେଇଥିଲେ। ଏହି କମିଟି ସବୁ ଦେଶ ସହ କଥାବାର୍ତ୍ତା କରି ଯାହା ସଂକଳ୍ପ ନିଆଯାଇଛି ତାହା ଉପରେ କାମ କରିଥାଏ। ଅର୍ଥାତ୍ କମିଟି ଆତଙ୍କବାଦକୁ ଶେଷ କରିବାକୁ ବିଭିନ୍ନ ଉପାୟ ଆପଣାଇଥାଏ।

ସିଟିସି ସବୁ ଦେଶରୁ ମିଳୁଥିବା ରିପୋର୍ଟର ଯାଞ୍ଚ କରେ ଏବଂ ରିପୋର୍ଟ ଆଧାରରେ ଏହାର ବିଶ୍ଳେଷଣ କରି ଆତଙ୍କ ପ୍ରଭାବିତ ସ୍ଥାନକୁ ଚିହ୍ନଟ କରିଥାଏ ଏବଂ ସେହି ଦେଶ ସହ ମିଶି ଆତଙ୍କବାଦରେ ସୁଧାର ଆଣିବା ଉପରେ କାମ କରିଥାଏ। ଏହା କେବଳ ଆତଙ୍କବାଦ ସହ ଜଡ଼ିତ ପ୍ରସଙ୍ଗ ଉପରେ କାମ କରେନାହିଁ ବରଂ ଆତଙ୍କବାଦ ଉପରେ ରୋକିବା ପାଇଁ ସବୁ ସମ୍ଭବ ପ୍ରୟାସ କରିଥାଏ।

ସିଟିସିର ବୈଠକ ଭିନ୍ନ ଭିନ୍ନ ଦେଶରେ ହୋଇଥାଏ ଏବଂ ଏଥର ଏହା ଭାରତରେ ହେବ। ଏହା ଭାରତରେ ସିଟିସିର ପ୍ରଥମ ବୈଠକ। ଏଥର ଏହି ବୈଠକ ୨୮ ଅକ୍ଟୋବର ଏବଂ ୨୯ ଅକ୍ଟୋବରରେ ମୁମ୍ବାଇ ଏବଂ ଦିଲ୍ଳୀରେ ହେବ। ନଭେମ୍ୱର ୨୬ ଆତଙ୍କି ଆକ୍ରମଣ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ନୀରବ ପ୍ରାର୍ଥନା ସହ ଏହି ବୈଠକ ଆରମ୍ଭ ହେବ। ଆତଙ୍କବାଦ ପାଇଁ ବ୍ୟବହାର ହେଉଥିବା ନୂଆ ଏବଂ ଆଡଭାନ୍ସ ଟେକ୍ନୋଲୋଜୀର ମୁକାବିଲା କରିବା ଚଳିତ ବର୍ଷ ବୈଠକର ବିଷୟ ଅଟେ। ଏହି ବୈଠକରେ ସଦସ୍ୟ ଦେଶଙ୍କ ମଧ୍ୟରେ ଆତଙ୍କବାଦ ପାଇଁ ହେଉଥିବା ଇଣ୍ଟରନେଟ୍‌ର ବ୍ୟବହାର, ଡ୍ରୋନ୍ ବ୍ୟବହାର ଏବଂ ନୂଆ ପେମେଣ୍ଟ ଟେକ୍ନୋଲୋଜୀର ବ୍ୟବହାରକୁ ବନ୍ଦ କରିବାକୁ ନେଇ ଆଲୋଚନା ହେବ।

ତେବେ କେବଳ ଯେ, ଭାରତରେ ବୈଠକ ଆୟୋଜିତ ହେଉଛି ସେଥିପାଇଁ ଏହା ଗୁରୁତ୍ବପୂର୍ଣ୍ଣ ନୁହେଁ। ବୈଠକରେ ଭାରତରେ ହେଉଥିବା ଆତଙ୍କବାଦୀ ଗତିବିଧିକୁ ବିଶ୍ବ ଆଗରେ ରଖାଯିବ। ଭାରତର ସମସ୍ୟା ବିଶ୍ବ ସାମ୍ନାରେ ଆସିବ ଏବଂ ଏହାର ଖୁବଶୀଘ୍ର ଏହାର ସମାଧାନ ହେବ। ଏଥିପାଇଁ ଏହାକୁ ଆତଙ୍କବାଦ ବିରୋଧରେ ଭାରତର ଯୁଦ୍ଧକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଏହା ସହ ଏହି ସଭା ଏଥିପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ କାରଣ ଏଥିର ବ୍ରିଟେନର ବିଦେଶ ମନ୍ତ୍ରୀ ଜେମ୍ସ କ୍ଲେବରଲୀ ଭାରତ ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.